କନକ ବ୍ୟୁରୋ : ବାହାରେ ବୁଲୁଛନ୍ତି ପିଲା । ପାଠପଢା ନାହିଁ । କାହା ହାତରେ ବ୍ୟାଟ୍ ତ ଆଉ କାହା ହାତରେ ବଲ୍ । ୧୦ଟାରୁ ସ୍କୁଲ ଆରମ୍ଭ ହୋଇଥିବା ବେଳେ ପିଲାମାନେ ସ୍କୁଲ ତ ଆସିଯାଉଛନ୍ତି ହେଲେ ସ୍କୁଲ ବନ୍ଦ ହେବା ପର୍ଯ୍ୟନ୍ତ ଖେଳି ବୁଲି ଯାଉଛନ୍ତି । ୪ଟା ପର୍ଯ୍ୟନ୍ତ ଦାଣ୍ଡରେ ବୁଲୁଛନ୍ତି । ସୁବର୍ଣ୍ଣପୁର ବହିରଖମନ ଗାଁର ଏହି ବିଦ୍ୟାଳରେ ନାହାନ୍ତି ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ  ପ୍ରାୟ ୯୦ ପିଲା ଅଛନ୍ତି ପଢିବାକୁ । ହେଲେ ଶିକ୍ଷକ ଅଭାବରୁ ଏହିଭଳି ସ୍ଥିତି ଦେଖିବାକୁ ମିଳିଛି । ଦୁଇଜଣ ଶିକ୍ଷକରୁ ପ୍ରଧାନ ଶିକ୍ଷକ ବାହାରକୁ ଗଲେ ଜଣେ ମାତ୍ର ଶିକ୍ଷକ ପିଲାଙ୍କୁ ପଢାଇବା ଅସମ୍ଭବ । ଏହି ସମସ୍ୟା ବହୁବାର ଜଣାଯାଇଛି । ହେଲେ ଏବେ ବି ପିଲା ବାହାରେ ବୁଲି ଘରକୁ ଫେରୁଛନ୍ତି ।

ଶିକ୍ଷକ ସମସ୍ୟା ପ୍ରତିବାଦରେ ଦୀର୍ଘ ୭ ଦିନ ଧରି ବିଦ୍ୟାଳୟକୁ ତାଲା ମାରିଦେଇଥିଲେ ଗାଁର ଲୋକ । ହେଲେ ବି ଶିକ୍ଷକ ନିଯୁକ୍ତ ହୋଇପାରିନି । ଫଳରେ ବିଦ୍ୟାଳୟ ଖୋଲିଥିଲେ ବି ଛାତ୍ରଛାତ୍ରୀଙ୍କୁ ଛାଡୁନାହାନ୍ତି ଅଭିଭାବକ । ସେପଟେ ସମସ୍ୟା ନେଇ ବିଭାଗୀୟ ଅଧିକାରୀଙ୍କୁ ଜଣାଯାଇଛି । ଶିକ୍ଷକ ନିଯୁକ୍ତ ହେଲେ ଏହି ବିଦ୍ୟାଳକୁ ଆସିବେ ବୋଲି ମିଳିଛି ପ୍ରତିଶ୍ରୁତି । ଖୁବଶୀଘ୍ର ବିଦ୍ୟାଳୟ ପ୍ରତି ଥିବା ଏହି ସମସ୍ୟାର ସମାଧାନ କରାଯାଇପାରିଲେ ଛାତ୍ରଛାତ୍ରୀ ମାନେ ସଠିକ୍ ଭାବେ ପାଠ ପଢିପାରିବେ ।