ଭିନ୍ନ ଭିନ୍ନ ପାଞ୍ଜିରେ ରହୁଛି ଭିନ୍ନ ଭିନ୍ନ ତଥ୍ୟ । ଅଲଗା ଅଲଗା ତଥ୍ୟକୁ ନେଇ ଦ୍ୱନ୍ଦ୍ୱରେ ପଡୁଛନ୍ତି ଲୋକ

1,003

କନକ ବ୍ୟୁରୋ : ସନାତନ ପରମ୍ପରାରେ ପଞ୍ଜିକା ଗଣନାର ମହତ୍ୱ ରହିଛି । ସବୁ ଶୁଭ ଅଶୁଭ କାମ ଓ ଦେବନୀତି ପଂଜିକା ଆଧାରରେ କରାଯାଇଥାଏ । ଓଡିଶାରେ ପ୍ରଚଳିତ ପାଂଜି ଜଗନ୍ନାଥ ସଂସ୍କୃତି ଓ ନୀତି ଅନୁସାରେ, ପ୍ରସ୍ତୁତ ହେଉଥିଲେ ହେଁ ବିଗତ କିଛି ବର୍ଷରେ ବିଭିନ୍ନ ପାଂଜିରେ ଭିନ୍ନଭିନ୍ନ ତଥ୍ୟକୁ ନେଇ ଲୋକ ଦ୍ୱନ୍ଦ୍ୱରେ ପଡିଥିଲେ । ଗହ୍ମାପୂର୍ଣ୍ଣିମା ଓ ଜନ୍ମାଷ୍ଟମୀ ପାଳନରେ ଦ୍ୱନ୍ଦ୍ୱ ହେବାରୁ ଲୋକେ ଦୁଇ ଦିନ ଲେଖାଏ ପାଳନ କରିଥିଲେ । ତେଣୁ ଆସନ୍ତା ବର୍ଷର ପାଂଜିରେ ସମାନ ତଥ୍ୟ ରଖିବା ପାଇଁ ଉଦ୍ୟମ କରାଯାଉଛି । ତେଣୁ ଚଳିତ ବର୍ଷ ପଂଜିକା ସଂଶୋଧନ ନେଇ ଆବେଦନ କରିବାକୁ ପ୍ରକାଶକଙ୍କୁ ଅନୁରୋଧ କରାଯାଇଛି । ନଭେମ୍ବର ୨୦ ତାରିଖ ସୁଦ୍ଧା ଆବେଦନ କରିବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ପାଞ୍ଜି ଗଣନାକାରଙ୍କର ସାଧନା, ତତ୍ତ୍ୱ ଓ ଜ୍ୟୋତିଷ ଶାସ୍ତ୍ର ଉପରେ ଦକ୍ଷତାର ଫରକ ଦେଖାଇଥାଏ । ଅନ୍ୟପଟେ ଗଣନା ପାଇଁ ସିଦ୍ଧାନ୍ତ ଦର୍ପଣ ସୂତ୍ର ଓ ଭାସ୍ବତୀ ସୂତ୍ର ଭଳି ଦୁଇଟି ସୂତ୍ରକୁ ଆପଣା ଯାଉଥିବାରୁ ମଧ୍ୟ ପାଞ୍ଜିରେ ଗଣନାଗତ ପ୍ରାର୍ଥକ୍ୟ ଦେଖାଯାଏ । ତେଣୁ ସମସ୍ତ ପଞ୍ଜିକା ପ୍ରକାଶକମାନେ ଏସବୁକୁ ଧ୍ୟାନରେ ରଖି ଏକ ତଥ୍ୟ ଓ ଗଣନାରେ ତାଳମେଳ ରଖିବା ସହ ମୁକ୍ତିମଣ୍ଡପ ପଣ୍ଡିତ ସଭା ପକ୍ଷରୁ ଦକ୍ଷ ପାଞ୍ଜିକାକାରମାନଙ୍କୁ ନେଇ ନିର୍ଭୁଲ, ସଠିକ ତଥ୍ୟ ଦେବାର ଆବଶ୍ୟକତା ରହିଛି ।

ଓଡ଼ିଶାରେ ଦୋଳପୂର୍ଣ୍ଣିମାରେ ପାଞ୍ଜି ପୂଜା ଓ ପଣା ସଂକ୍ରାନ୍ତି ଠାରୁ ପାଞ୍ଜି ଚଳନ ହୋଇଥାଏ । ପଣା ସଂକ୍ରାନ୍ତି ଦିନଠାରୁ ସୂର୍ୟ୍ୟ ଅଶ୍ବିନୀ ନକ୍ଷତ୍ର ମେଶ ରାଶିକୁ ଗତି କରିବା ସହ ଆରମ୍ଭ ଶକାବ୍ଦ ହୋଇଥାଏ । ତେଣୁ ଉଭୟ ମୁକ୍ତିମଣ୍ଡପ ପଣ୍ଡିତ ସଭା ଓ ପଞ୍ଜିକା ପ୍ରକାଶକ ମାନେ ମିଶି ଗଣନା ସଂଶୋଧନ ଓ ତାଳମେଳ ରକ୍ଷା କରି ୨୦୨୪-୨୫ ପଂଜିକା ପ୍ରକାଶ କରିବେ ବୋଲି ଆଶା କରାଯାଉଛି ।