କନକ ବ୍ୟୁରୋ : ଓଡ଼ିଶାର ୪୪ ପ୍ରତିଶତ ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ଏଡିଆର ରିପୋର୍ଟ ଅନୁସାରେ ଓଡ଼ିଶାର ୧୪୫ ବିଧାୟକଙ୍କର ବିଶ୍ଳେଷଣ କରାଯାଇଥିଲା । ସେଥି ମଧ୍ୟରୁ ୬୪ ଜଣ ବିଧାୟକ ବା ୪୪ ପ୍ରତିଶତଙ୍କ ନାମରେ ଅପରାଧିକ ମାମଲା ରହିଛି । ୪୬ ଜଣ ବିଧାୟକଙ୍କ ନାମରେ ଗୁରୁତର ଅପରାଧିକ ମାମଲା ରହିଥିବା ରିପୋର୍ଟରେ ଉଲ୍ଲେଖ ଅଛି । ଦୁଇଜଣ ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରହିଛି ।

Advertisment

ତେବେ ଦେଶର ୪୭ ଜଣ ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରହିଥିବା ରିପୋର୍ଟରେ କୁହାଯାଇଛି । ସେହଭଳି ଦେଶର ୧୮୧ ବିଧାୟକଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ରହିଛି । ଏହି ତାଲିକାରେ ଓଡ଼ିଶାର ୧୧ ଜଣ ବିଧାୟକ ରହିଛନ୍ତି । ଦେଶର ୧୧୪ ବିଧାୟକଙ୍କ ବିରୋଧରେ ମହିଳା ବିରୋଧୀ ହିଂସା ମାମଲା ଥିବାବେଳେ ଏଥିରେ ଓଡ଼ିଶାର ୧୨ ଜଣ ବିଧାୟକ ରହିଛନ୍ତି । ୧୪ ଜଣ ବିଧାୟକଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଥିବାବେଳେ ଏଥିରେ ଓଡ଼ିଶାର ଜଣେ ବିଧାୟକଙ୍କ ନାମ ରହିଛି । ଏଡିଆର ଦ୍ୱାରା ଦେଶର ୨୮ ଟି ବିଧାନସଭା ଓ ୨ଟି କେନ୍ଦ୍ର ଶାସିତ ଅଂଚଳର ବିଧାୟକମାନଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ଘୋଷଣା କରାଯାଇଥିବା ଅପରାଧିକ ପୃଷ୍ଠଭୂମି, ଆର୍ôଥକ, ଶିକ୍ଷା, ବୟସ, ଲିଙ୍ଗ ଓ ଅନ୍ୟାନ୍ୟ ବିବରଣୀକୁ ବିଶ୍ଳେଷଣ କରାଯାଇ ରିପୋର୍ଟ ପ୍ରସ୍ତୁତ କରାଯାଇଛି ।