ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗକୁ ନେଇ ବଡ ଗୁଜବ: ଗାଦିଚ୍ୟୁତ ହେବା ସହ ଗୃହବନ୍ଦୀ ରହିଥିବା ନେଇ ସୋସିଆଲ ମିଡିଆରେ ପ୍ରଚାର

155

କନକ ବ୍ୟୁରୋ: ଚୀନ୍ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ନେଇ ଏବେ ଏକ ବଡ଼ ଗୁଜବ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି । ଏମିତି ଏକ ଖବର ଏବେ ପ୍ରଚାରିତ ହେଉଛି ଯେ, ଜିନପିଙ୍ଗ ଗାଦିଚ୍ୟୁତ ହୋଇଛନ୍ତି । ଏପରିକି ତାଙ୍କୁ ଗୃହବନ୍ଦୀ ରଖାଯାଇଥିବାର ମଧ୍ୟ ଗୁଜବ ପ୍ରସାରିତ ହେଉଛି ।

ବିଜେପିର ବରିଷ୍ଠ ନେତା ତଥା ଚୀନ୍ ପ୍ରସଙ୍ଗ ଉପରେ ବିଶାରଦ ଭାବେ ଜଣାଶୁଣା ସୁବ୍ରମଣ୍ୟମ ସ୍ୱାମୀଙ୍କ ଏହି ଟୁଇଟ୍ ପରେ ଚୀନ୍ ରାଷ୍ଟ୍ରପତି ଜିନପଙ୍ଗଙ୍କୁ ନେଇ ଚର୍ଚ୍ଚା ବଢ଼ିଛି । ସୁବ୍ରମଣ୍ୟମ ଟୁଇଟରେ ଲେଖିଛନ୍ତି ଯେ, ଚୀନ୍ ସୋସିଆଲ ମିଡିଆରେ ଏବେ ଜୋରଦାର ପ୍ରଚାର ହେଉଛି ଯେ, ଜିନପିଙ୍ଗଙ୍କୁ ଗାଦିଚ୍ୟୁତ କରାଯାଇଛି । ଏପରିକି ତାଙ୍କୁ ଗୃହବନ୍ଦୀ କରି ରଖାଯାଇଛି । ତେବେ ଏହା ଏକ ଗୁଜବ ଓ ଏହାର ସତ୍ୟତା ପରଖିବା ଆବଶ୍ୟକତା ଥିବା ଲେଖିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ ।

ଜିରୋ କୋଭିଡ ନୀତି ଓ ଅର୍ଥନୈତିକ ପରିଚାଳନା ନେଇ ସମାଲୋଚନାର ଶୀକାର ହୋଇଥିଲେ ଜିନପିଙ୍ଗ । ଏପରିକି ଚୀନ୍ କମ୍ୟୁନିଷ୍ଟ ଦଳର କିଛି ବରିଷ୍ଠ ନେତା ତାଙ୍କ ନୀତିକୁ ନେଇ ଖୋଲାଖୋଲି ସମାଲୋଚନା କରିଥିଲେ ।

ଟୁଇଟରେ ଅନେକ ଚୀନ୍ ନାଗରିକ ଲେଖିଛନ୍ତି ଯେ, ଜିନପିଙ୍ଗଙ୍କୁ ଏବେ ଗୃହବନ୍ଦୀ ରଖାଯାଇଛି । ଏପରିକି ଜିନପିଙ୍ଗକୁ ବିଦା କରି ଲି କିଆଓମିଙ୍ଗଙ୍କୁ ରାଷ୍ଟ୍ରପତି କରାଯାଇଥିବା ମଧ୍ୟ ଏମାନେ ଲେଖିବାକୁ ପଛାଇ ନାହାନ୍ତି । ତେବେ ଭାରତର ପ୍ରସିଦ୍ଧ ସାମ୍ବାଦିକା ପାଲକି ଶର୍ମା ଏକ ଟୁଇଟ୍ କରି ଲେଖିଛନ୍ତି ଯେ, ଜିନପିଙ୍ଗଙ୍କୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା କେବଳ ଏକ ଗୁଜବ ।

ରାଷ୍ଟ୍ରପତି ଭାବେ ଦୁଇଟି ଟର୍ମ ଶେଷ କରିଥିବା ଜିନପିଙ୍ଗ ପୁଣି ଥରେ ରାଷ୍ଟ୍ରପତି ହେବାକୁ ଯାଉଥିବା ପୂର୍ବରୁ ଚର୍ଚ୍ଚା ହୋଇଆସୁଥିଲା । ଏପରିକି ମାଓଙ୍କ ପରେ ସେ ଚୀନ୍ କ୍ୟମୁନିଷ୍ଟ ପାର୍ଟିର ସବୁଠୁ ଶକ୍ତିଶାଳୀ ଓ ଲୋକପ୍ରିୟ ନେତା ଭାବେ ପରିଗଣିତ ହେଉଥିଲେ । ହେଲେ ଏବେ ଏହି ଚର୍ଚ୍ଚା କେବଳ ଗୁଜବ ନା ଏଥିରେ କିଛି ସତ୍ୟତା ଅଛି, ତାହା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି ।