ରାଜ୍ୟରେ ସରକାରୀ ଅଧିକାରୀଙ୍କ ମରୁଡି । ୪୧ ବିଭାଗରେ ଖାଲି ପଡିଛି ୯୮,୩୪୮ ପଦବୀ । ସ୍ୱାସ୍ଥ୍ୟ ବିଭାଗର ୨୬ ହଜାର ପଦବୀରେ ନାହାଁନ୍ତି ଅଧିକାରୀ ।

948

କନକ ବ୍ୟୁରୋ: ରାଜ୍ୟରେ ସରକାରୀ ଅଧିକାରୀଙ୍କ ମରୁଡି । ପଦବୀ ଖାଲି ଥାଇ ମଧ୍ୟ ପୂରଣ କରୁନାହାଁନ୍ତି ରାଜ୍ୟ ସରକାର । ବିଧାନସଭା ପ୍ରଶ୍ନୋତ୍ତରରୁ ମିଳିଥିବା ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ୪୧ଟି ବିଭାଗରେ ଖାଲି ପଡିଛି ୯୮ ହଜାର ୩୪୮ଟି ପଦବୀ ।

ମଙ୍ଗଳବାର ବିଧାନସଭାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ପ୍ରଶ୍ନ କରିବା ସହ, ଜାନୁଆରୀ ୩୧ ସୁଦ୍ଧା ରାଜ୍ୟ ସରକାରଙ୍କ କେଉଁ ବିଭାଗରେ କେତେ ସଂଖ୍ୟକ କର୍ମଚାରୀ ପଦବୀ ଖାଲି ଅଛି ତାହା ଜାଣିବାକୁ ଚାହିଁଥିଲେ । ଏଥିସହିତ ରାଜ୍ୟରେ ବେରୋଜଗାରୀ ସଂଖ୍ୟା ହ୍ରାସ କରିବା ପାଇଁ ଓ ସରକାରୀ ଚାକିରି ଆଶାୟୀ ଯୁବକ ଓ ଯୁବତୀଙ୍କୁ ସରକାରୀ ଚାକିରି ନିମନ୍ତେ ପ୍ରତିଯୋଗିତାରେ ସୁଯୋଗ ଦେବା ପାଇଁ ଆବେଦନ କରିବାକୁ ବୟସ ସୀମାକୁ ୪୨ ବର୍ଷ କରିବା ଦାବିକୁ ପୂରଣ ପାଇଁ ସରକାର କୁଣ୍ଠିତ କାହିଁକି ବୋଲି ସେ ପ୍ରଶ୍ନ କରିଥିଲେ ।

ଏହାର ଉତ୍ତର ରଖି ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ କହିଛନ୍ତି ଯେ, ସରକାରୀ ଚାକିରିରେ ଆବେଦନ ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୪୨ ବର୍ଷକୁ ବୃଦ୍ଧି କରାଯିବା ନେଇ କୌଣସି ପ୍ରସ୍ତାବ ନାହଁ । ନିକଟରେ ସରକାର ଏହି ବୟସ ସୀମାକୁ କେବଳ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଛନ୍ତି । ଅନ୍ୟପଟେ ସରକାରୀ ପଦବୀ ଖାଲି ପଡିଥିବା ନେଇ ମନ୍ତ୍ରୀ ବିସ୍ତୃତ ତଥ୍ୟ ଦେଇଛନ୍ତି । ତଥ୍ୟରୁ ମିଳିଥିବା ସୂଚନା ମୁତାବକ, ସ୍ୱାସ୍ଥ୍ୟ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଖାଲି ପଡିଛି ସର୍ବାଧିକ ପଦବୀ । ସ୍ୱାସ୍ଥ୍ୟ ବିଭାଗର ୨୬ ହଜାର ୮୧୫ଟି ପଦବୀ ଖାଲି ପଡିଥିବା ନେଇ ମନ୍ତ୍ରୀ ତଥ୍ୟ ଦେଇଛନ୍ତି । ଏହାବାଦ୍ ସ୍କୁଲ ଓ ଗଣଶିକ୍ଷା ବିଭାଗରେ ୨୧ ହଜାର ୮୪୪ ପଦବୀ । ଗୃହ ବିଭାଗରେ ୭୩୧୫ ପଦବୀ ଖାଲି ପଡିଛି । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗରେ ୫୮୯୨ ପଦବୀ, ଉଚ୍ଚଶିକ୍ଷା ବିଭାଗରେ ୩୭୭୭ ପଦବୀ ଏବଂ କୃଷି ବିଭାଗରେ ୨୮୨୧ ପଦବୀ ଖାଲି ପଡିଛି ।