କନକ ବ୍ୟୁରୋ: ଅଲିମ୍ପିଆନ୍ ତଥା ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀଙ୍କ ଚୋରି ହୋଇଗଲା ମେଡାଲ । ଗତକାଲି ବିଳମ୍ବିତ ରାତିରେ କେହି ନଥିବା ବେଳେ ତାଙ୍କର ଭୁବନେଶ୍ୱର ଘରୁ କେହି କଳାକନା ବୁଲାଇଦେଇଛି । ମେଡାଲ ସହ ପ୍ରବୋଧଙ୍କ ଘରୁ ଟଙ୍କା, ସୁନା, ଏଲଇଡି ଟିଭି ବି ଚୋରି ହୋଇଛି । ପୁରୁଷ ହକି ବିଶ୍ୱକପ ପାଇଁ ପ୍ରବୋଧ ବର୍ତ୍ତମାନ ରାଉରକେଲାରେ ଅଛନ୍ତି । ଆଉ ପରିବାର ଲୋକେ ଗାଁକୁ ଯାଇଛନ୍ତି । ଆଉ ବିଶ୍ୱକପ ଚାଲିଥିବାବେଳେ ଏଭଳି ଚୋରିକରି ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୃତ୍ତ ।

  • ରାଜଧାନୀରେ ଦୁର୍ବୃତ୍ତଙ୍କ ଉତ୍ପାତ
  • ହକି ବିଶ୍ୱକପ୍ ବେଳେ ହକି ତାରକାଙ୍କ ଘରୁ ଚୋରି
  • ପ୍ରବୋଧଙ୍କ ଘରେ ବୁଲାଇଲେ କଳା କନା

ହକି ବିଶ୍ୱକପ୍ ପାଇଁ ରାଜଧାନୀ ଭୁବନେଶ୍ୱର ଚଳଚଞ୍ଚଳ ଥିବା ବେଳେ ଦୁର୍ବୃତ୍ତଙ୍କ ଉତ୍ପାତ କିନ୍ତୁ କମିବାର ନାଁ ନେଉନାହିଁ । ଏବେ ଦୁର୍ବୃତ୍ତଙ୍କ କଳାକନାର ଶିକାର ହୋଇଛନ୍ତି ଭାରତର ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଭୁବନେଶ୍ୱରର ୟୁନିଟ୍-୬ରେ ଥିବା ପ୍ରବୋଧଙ୍କ ସରକାରୀ କ୍ୱାର୍ଟର୍ସରୁ ହୋଇଛି ଚୋରି । ତେବେ ଏହି ଚୋରି ସେହି ସମୟରେ ହୋଇଛି, ଯେଉଁଠାରେ ଚାଲିଛି ହକି ମହାକୁମ୍ଭ । ରାତିରେ କେହି ନଥିବା ବେଳେ ଏହାର ଫାଇଦା ଉଠାଇ ଲୁଟ୍ କରିଛନ୍ତି ଦୁର୍ବୃତ । ପ୍ରବୋଧଙ୍କ ଘରୁ ଟଙ୍କା, ସୁନା, ଏଲଇଡି ଟିଭି, ହକି ମେଡାଲ ଚୋରି ହୋଇଥିବା ସୂଚନା ମିଳିଛି ।

  • ସ୍ୱର୍ଣ୍ଣ ପଦକକୁ ଛାଡ଼ିଲେନି ଚୋର
  • ଟଙ୍କା, ସୁନା ସହ ପଦକ ବି ଲୁଟିନେଲେ

ଏକ ସମୟରେ ଭାରତୀୟ ହକି ଦଳର ପ୍ରମୁଖ ଖେଳାଳି ଥିଲେ ପ୍ରବୋଧ ତିର୍କୀ । ଭାରତ ପକ୍ଷରୁ ୧୦୦ରୁ ଅଧିକ ମ୍ୟାଚରେ ପ୍ରତିନିଧିତ୍ୱ କରିଥିବା ପ୍ରବୋଧ ଏସିଆନ ଗେମ୍ସ ଓ ଏସିଆ କପରେ ପଦକ ଜିତିବାର ସୌଭାଗ୍ୟ ଅର୍ଜନ । ହେଲେ ଦୁବୃର୍ତ ସେହି ପଦକକୁ ମଧ୍ୟ ଛାଡ଼ିନାହାନ୍ତି । କେବଳ ପଦକ ଲୁଟିନାହାନ୍ତି, ଘରେ ଥିବା ଟଙ୍କା, ସୁନା ସହ ପଦକ ମଧ୍ୟ ଲୁଟି ନେଇଛନ୍ତି ଚୋର ।

ହକି ବିଶ୍ୱକପ୍ ପାଇଁ ପ୍ରବୋଧ ବର୍ତମାନ ରାଉରକେଲାରେ ଅଛନ୍ତି । ପ୍ରବୋଧ ଭୁବନେଶ୍ୱରରୁ ବାହାରେ ଥିବାରୁ ଏହାର ଫାଇଦା ଉଠାଇ ବିଳମ୍ବିତ ରାତିରେ କ୍ୱାର୍ଟର୍ସରୁ ଚୋରି ହୋଇଥିଲା । ଏ ନେଇ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଛି । ଏତଲା ଆଧାରରେ କ୍ୟାପିଟାଲ ଥାନା ପୋଲିସ୍ ଛାନଭିନ କରୁଛି ।