ଅଳ୍ପକେ ବର୍ତ୍ତିଲା ଭୁବନେଶ୍ୱର ବାଙ୍ଗିରିପୋଷୀ ଟ୍ରେନ : ବିଦ୍ୟୁତକରଣ ପାଇଁ ଟ୍ରେନ ଲାଇନ ଉପରେ ଟଣାଯାଉଥିବା ତାରକୁ ଚୋରୀ କରୁଥିଲେ ଦୁର୍ବୁତ୍ତ

ହଠାତ୍ ଟ୍ରେନ ଆସିଯିବାରୁ ଖୁଂଟରୁ ପଡି ଚୋରର ମୃତ୍ୟୁ; ସେପଟେ ଟ୍ରେନଲାଇନରେ ତାର ପଡିଥିବା ଦେଖି ଅଟକାଇଦେଲେ ଡ୍ରାଇଭର

1,242

କନକ ବ୍ୟୁରୋ :ବଡ ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ । ବିଦ୍ୟୁତକରଣ ପାଇଁ ଟ୍ରେନ ଲାଇନ ଉପରେ ଟଣାଯାଉଥିବା ତାରକୁ କାଟି ଚୋରୀ କରୁଥିଲେ ଦୁର୍ବୁତ୍ତ। ହେଲେ ହଠାତ୍ ଟ୍ରେନ ଆସିଯିବାରୁ ଖୁଂଟରୁ ଖସି ପଡି ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଟ୍ରେନ ଆସିବାରୁ ଭୟରେ ଡେଇଁ ପଡି କିମ୍ବା ତରବରରେ ଖୁଂଟରୁ ଖସିପଡି ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ବାରିପଦା ସହରର ବାଘଡା ରୋଡ ଶନିମନ୍ଦିର ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତକ ହେଉଛନ୍ତି ବାରିପଦା ସହର ୧୭ ନମ୍ବର ୱାର୍ଡର ଚନ୍ଦନ ସରକାର । ତେବେ ଏଥିରେ ଆଉ କେହି ତାଙ୍କୁ ସହଯୋଗ କରୁଥିବା ମଧ୍ୟ ସନ୍ଦେହ କରାଯାଉଛି । ତାର କଟାଯିବା ପରେ ଏହା ରେଳ ଟ୍ରାକ ଉପରେ ପଡିରହିଥିଲା । ଯାହାକୁ ଦେଖି ଡ୍ରାଇଭର ଟ୍ରେନକୁ ଅଟକାଇ ଦେଇଥିଲେ । ତେବେ ତାର ଟ୍ରେନ ଚକରେ ଲାଗିଥିଲେ, ବଡଧରଣର ଦୁର୍ଘଟଣା ଘଟିଥାନ୍ତା ବୋଲି ଆଶଙ୍କା କରାଯାଉଛି । ଯାହା ଡ୍ରାଇଭରଙ୍କ ସାବଧାନତାରୁ ଟଳିଯାଇଛି । ଦୁଇ ଘଂଟାପରେ ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ ଟ୍ରେନ ପୁଣି ଷ୍ଟେସନ ଛାଡିଥିବା ଜଣାପଡିଛି ।