କନକ ବ୍ୟୁରୋ: ଭୁବନେଶ୍ୱର ଗାଡକଣ ଅଞ୍ଚଳରେ ଥିବା ସ୍ପେସ ଟାଉନ ଆପାର୍ଟମେଣ୍ଟରେ ଥିବା ଫ୍ଲାଟରେ ଗତକାଲି ବିଳମ୍ବିତ ରାତିରେ କବାଟ ତାଲା ଭାଙ୍ଗି ଆପାର୍ଟମେଂଟର ୫ଟି ଫ୍ଲାଟରେ କଳାକନା ବୁଲାଇଛନ୍ତି ଲୁଟେରା । ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଦୁର୍ବୁତ । ଘରେ କେହି ନଥିବାର ସୁଯୋଗ ନେଇ ଯୋଜନାବଦ୍ଧ ଭାବେ ଏହି ଲୁଟ କରାଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଚୋରି କରିବା ସମୟରେ ଭୋକ ଶୋଷ ଲାଗିବାରୁ ଫ୍ରିଜରେ ଥିବା ଫ୍ରୁଟି ପିଇଦେଇ ଚୋରୀ କରିଛନ୍ତି ଦୁର୍ବୁତ । ଘଟଣା ସ୍ଥଳରେ ମଂଚେଶ୍ୱର ଥାନା ପୋଲିସ ଓ ସାଇଂଟିଫିକ ଟିମ ପହଂଚି ତଦନ୍ତ ଆରମ୍ଭ କରିଛି । ଚୋରଙ୍କୁ ଧରିବା ପାଇଁ ସନ୍ଧାନୀ କୁକୁରର ମଧ୍ୟ ସହାୟତା ନିଆଯାଇଛି ।

Advertisment
  • କେତେ ସୁରକ୍ଷିତ ରାଜଧାନୀ ଆପାର୍ଟମେଣ୍ଟ?
  • ଚୋରଙ୍କ ଟାର୍ଗେଟରେ ଭୁବନେଶ୍ୱରର ଫ୍ଲାଟ୍

ରାଜଧାନୀରେ ଆପାର୍ଟମେଂଟରୁ ଚୋରି ଏବେ ନିତିଦିନିଆ କଥାରେ ପରିଣତ ହେଲାଣି । ପୋଲିସକୁ ଖୁଲମଖୁଲା ଚ୍ୟାଲେଂଜ ଦେଇ ଚୋରମାନେ ସିରିଜ ଚୋରି କରିଚାଲିଛନ୍ତି । ନଜର ପକାନ୍ତୁ, ଗତ ତିନି ମାସ ମଧ୍ୟରେ ଭୁବନେଶ୍ୱରରେ ଭିନ୍ନଭିନ୍ନ ଆପାର୍ଟମେଂଟରେ ହୋଇଥିବା କିଛି ଚୋରି ଉପରେ । ୧୪ ଅକ୍ଟୋବରରେ ଚନ୍ଦକା ଥାନା ଅନ୍ଧାରୁଆରେ ଥିବା ଏମ.ଜେ.ଉଡ ଆପାର୍ଟମେଂଟରେ ଥିବା ଏକ ଫ୍ଲାଟରୁ ଚୋରି କରି ଫେରାର ହୋଇଥିଲେ ଦୁର୍ବୃତ୍ତ । ଘରେ କେହି ନଥିବା ବେଳେ କଳାକନା ବୁଲାଇଥିଲେ ଚୋର । ସେହିଭଳି ଅକ୍ଟୋବର ୧୭ରେ ଇନଫୋସିଟି ଥାନା ପଛପଟେ ଥିବା ରାଜବାଟିକା ଆପାର୍ଟମେଂଟର ୪ଟି ଫ୍ଲାଟରୁ କୋଟିଏରୁ ଅଧିକ ଟଙ୍କାର କ୍ୟାସ ଓ ସୁନାଗହଣା ଲୁଟି ନେଇଥିଲେ ଲୁଟେରା । ୬ ନଭେମ୍ବରରେ ଭରତପୁର ଥାନା ଅଧିନ ଶ୍ରୀକ୍ଷେତ୍ର ରେସିଡେନ୍ସି ଆପାର୍ଟମେଂଟର ଦୁଇଟି ଫ୍ଲାଟରେ ଦୁର୍ବୃତ୍ତ ବୁଲାଇଥିଲେ କଳାକନା ।

ସେପଟେ ଆପାର୍ଟମେଂଟ ଗୁଡିକରେ ବାରମ୍ବାର ଚୋରି ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି, ଅପରାଧୀ ମାନଙ୍କୁ ଧରିବା ପାଇଁ ଚେଷ୍ଟା ଯାରି ରହିଥିବା ସେ କହିଛନ୍ତି । ତେବେ ଆପାର୍ଟମେଣ୍ଟରୁ ଚୋରି ଏବେ ପୋଲିିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଚୋର ମାନେ ଆପାର୍ଟମେଂଟ ଗୁଡିକରୁ ଚୋରି କରି ଚାଲୁଥିବା ବେଳେ ପୋଲିସ ସେମାନଙ୍କ ଟେର ପାଉନି ।