ମାନିବାକୁ ପଡିବ ଚୋରଙ୍କ ସାହସକୁ… ଠାକୁରଙ୍କୁ ବି ଛାଡୁ ନାହାନ୍ତି । ଲୁଟେରାଙ୍କ ଟାର୍ଗେଟରେ ଏବେ ମଠ ମନ୍ଦିର ।

69

କନକ ବ୍ୟୁରୋ: ଠାକୁରଙ୍କୁ ବି ଛାଡ଼ିଲେନି । ବୌଦ୍ଧର ପ୍ରସିଦ୍ଧ ହନୁମାନ ମନ୍ଦିରରୁ ଗଦା ଓ ଆଭୁଷଣ ଚୋରେଇ ନେଲେ ଲୁଟେରା । ସେହିପରି ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ମନ୍ଦିରରୁ ମା’ଙ୍କ ସୁନା ଆଖି ଓ ରୂପା ଅଳଙ୍କାର ବି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଗାୟତ୍ରୀ ଓ ଶିବ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ଦାନ ଟଙ୍କା ଲୁଟ୍ ହୋଇଛି । ଦୁଇ ମାସ ଭିତରେ ପ୍ରାୟ ୧୦ରୁ ଅଧିକ ମନ୍ଦିରରୁ ଚୋରି ହୋଇଥିବା ବେଳେ ଲୁଟେରାଙ୍କ ଟେର ପାଉନି ପୋଲିସ । ଘଟଣା ସ୍ଥଳରେ ସନ୍ଧାନୀ କୁକୁର ସହାୟତାରେ ପୋଲିସ ତଦନ୍ତ କରୁଛି ।

ଜାନୁଆରୀ ୧୮ ତାରିଖରେ ସ୍ଥାନୀୟ ଚନ୍ଦ୍ରଚୂଡ଼ ମନ୍ଦିର ଦାନ ବାକ୍ସ ଭାଙ୍ଗି ଚୋରି ହୋଇଥିବା ବେଳେ ଏହାର ଠିକ୍ ୧୦ ଦିନ ପରେ ୨୮ ତାରିଖରେ ମହାନଦୀ ଗର୍ଭରେ ଥିବା ହନୁମାନ ମନ୍ଦିରରୁ ଚୋରି ହୋଇଥିଲା । ଏନେଇ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ ହୋଇଛି । ସେହିପରି ଜଳେଶ୍ୱର ମନ୍ଦିର, ବାଘରାପାଲି ମନ୍ଦିର, ହରେକୃଷ୍ଣପୁରରେ ଥିବା ଦୁଇଟି ମନ୍ଦିର, ଖଣ୍ଡପଡ଼ା ଶିବ ମନ୍ଦିର, ବନ୍ଧାପଥର ଶିବ ମନ୍ଦିର ଓ ଜଗନ୍ନାଥ ମନ୍ଦିରରୁ ମଧ୍ୟ ଲୁଟ୍ କରିଛନ୍ତି ଲୁଟେରା । ବାରମ୍ବାର ଏଭଳି ଲୁଟ୍ ହେଉଥିବା ବେଳେ ମନ୍ଦିର ପରିସରରେ ସିସିଟିଭି ଲଗାଇବା ସହ ଲୁଟେରା ଗ୍ୟାଙ୍ଗକୁ ଖୁବ୍ ଶୀଘ୍ର ଧରିବାକୁ ଦାବି କରିଛନ୍ତି ପୂଜକ ଓ ଶ୍ରଦ୍ଧାଳୁ ।

ପୋଲିସକୁ ଚ୍ୟାଲେଂଜ କରି ଗୋଟିଏ ପରେ ଗୋଟିଏ ମନ୍ଦିରରୁ ଲୁଟ୍ କରୁଛନ୍ତି ଲୁଟେରା । କଡ଼ା ପେଟ୍ରୋଲିଂ ପରେ ବି ଏଭଳି ଲୁଟ୍ ହେବା ପୋଲିସର ଚିନ୍ତା ବଢ଼ାଇଛି । ଅନ୍ୟପଟେ ମନ୍ଦିର ପରିଚାଳନା କମିଟି ସହ ବୈଠକ କରି ତଦନ୍ତ ଜୋରଦାର କରିଛି ପୋଲିସ ।