କନକ ବ୍ୟୁରୋ : ରାଜଧାନୀରେ ବଢ଼ୁଛି ନାବାଳକ ଅପରାଧ ମାମଲା । କେଉଁଠି ଲୁଟ୍ ତ କେଉଁଠି ସଂଗୀନ ଅପରାଧରେ ଧରାପଡ଼ୁଛନ୍ତି ନାବାଳକ । ହେଲେ କାହିଁକି ଅପରାଧରେ ସମ୍ପୃକ୍ତ ହୋଇପଡ଼ୁଛନ୍ତି କମ୍ ବୟସର ପିଲା? ଜୁଭେନାଇଲ ଆଇନରେ କଠୋର ଦଣ୍ଡ ବ୍ୟବସ୍ଥା ନାହିଁ । ସଙ୍ଗୀନ ଅପରାଧରେ ଦଣ୍ଡବିଧାନ ବେଳେ ବୟସ ସୀମାକୁ କମ୍ କରାଯାଉ ବୋଲି କିଛି ଆଇନଜୀବୀ ଯୁକ୍ତି ବାଢ଼ିଛି ।

Advertisment

ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଧୀନରେ ଗୋଟିଏ ପରେ ଗୋଟିଏ ଚୋରି ପୋଲିସର ନିଦ ହଜାଇ ଦେଇଛି । ଅଭ୍ୟାସଗତ ଅପରାଧୀଙ୍କୁ ପୁଲିସ ଟାର୍ଗେଟ କରୁଥିବା ବେଳେ, ସାମନାକୁ ଆସିଥିବା ନାବାଳକ ଚୋର ପୁରା ଘଟଣାର ମୋଡ ବଦଳାଇ ଦେଇଛନ୍ତି । କାହାର ସ୍କାଏ ଲାଇଟ୍ ତଡା ଯାଉଛି ତ ପୁଣି କାହାର କବାଟ ଭାଙ୍ଗି ଦିନ ଦ୍ୱିପ୍ରହରରେ ଘର ଲୁଟ ହେଉଛି । ନାବାଳକ ମାନଙ୍କ ଏଭଳି କାରନାମା ପାଇଁ କମିଶନରେଟ ପୁଲିସ ଏବେ ହରଡଘଣାରେ । ପୂରା ଘଟଣା ପଛର ମାଷ୍ଟରମାଇ ଣ୍ଡ ଏବେ ଆଉ ଚୋରୀ ପାଇଁ କ୍ରାଇମସିନକୁ ନଯାଇ ନିଜ ଏଜେଂଟ ପଠାଇ ଦେଉଛନ୍ତି । ଟଙ୍କା ରୋଜଗାରର ସର୍ଟକର୍ଟ ନିଶା ଏବେ ଯୁବପୀଢିଙ୍କୁ ଏତେ ଘାରିଛି ଯେ, ସେମାନେ କିଛି ବି ଘଟଣା ଘଟାଇବାକୁ ପଛ ଘୁଞ୍ଚା ଦେଉ ନାହାଁନ୍ତି । ଆଉ କିଛି ଚୋରଙ୍କ ସର୍ଦାର ମାନେ ଏହାର ଭରପୁର ଫାଇଦା ଉଠାଇ ନାବାଳକଙ୍କୁ ଗଳି କନ୍ଦିରେ ଲୁଟ କରିବାକୁ ପଠାଇ ପୁଲିସ ହାତରେ ବଳି ପକାଇ ଦେଉଛନ୍ତି । ଲିଙ୍ଗରାଜ ଥାନା ଅଧିନରେ କବାଟ ଓ ସ୍କାଏ ଲାଇଟ ତାଡି ଘରୁ ଲୁଟ ପରେ ସାମନାକୁ ଆସିଛି ଏହି ଆତଙ୍କିତ କଲା ଭଳି ଦୃଶ୍ୟ । ତେବେ ବଡ କଥା ହେଉଛି ନାବାଳକ ମାନଙ୍କ ପାଇଁ ଆଇନରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ନଥିବାରୁ ଏହାର ଅପବ୍ୟବହାର ହେଉଥିବା ଆଇନଜୀବୀ ମତ ଦେଇଛନ୍ତି ।

ଚୋରି କରି ପୁଲିସ ହାତରେ ଧରା ପଡିବା ପରେ ନାବାଳକ ମାନଙ୍କୁ ଜୁଭେନାଲ କୋର୍ଟରେ ହାଜର ପରେ, ଗିରଫଦାରୀର ନିୟମ ନାହିଁ । ସେମାନଙ୍କୁ ଏନେଇ ବାଳ ସୁଧାର ଗୃହକୁ ପଠାଇ ଦେବାର ନିୟମ ରହିଛି । ଆଉ ସେମାନେ ଏହାର ଭରପୁର ଫାଇଦା ଉଠାଇ ସୁଧୁରିବା ପାଇଁ ଯେଉଁ ବାଳ ସୁଧାର ଗୃହକୁ ଯାଉଛନ୍ତି, ସେଠାରେ ପୂର୍ବରୁ ଥିବା ଅନ୍ୟାମାନଙ୍କ ସହ ମିଶି ଗ୍ୟାଂଗ ତିଆରି କରୁଛନ୍ତି । ତେବେ ଚୋରି ମାନସିକତା ନେଇ ନିଜର କ୍ୟାରିୟର ଗଢିବା ପାଇଁ ମନସ୍ଥ କରିଥିବା ନାବାଳକ ମାନଙ୍କ ଉପରେ ପୋଲିସର ନଜର ନଥିବାରୁ ଅପରାଧ ବଢୁଥିବା ଆଇନଜୀବୀ କହିଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି– ଚୋରି କରି ଧରା ପଡୁଥିବା ନାବାଳକ ମାନଙ୍କ ପଛରେ କିଏ? କିଏ ଏମାନଙ୍କ ପଛର ମାଷ୍ଟରମାଇଣ୍ଡ ? ଚୋରି ଜିନିଷ ଯାଉଛି କୁଆଡେ? ନାବାଳକ ତ ଧରା ପଡୁଛନ୍ତି ହେଲେ ମାଷ୍ଟରମାଇଣ୍ଡଙ୍କ ପାଳି କେବେ ?