ମନ୍ତ୍ରୀଙ୍କ ଘରେ ପଶିଲେ ଚୋର । ତାଲା ଭାଙ୍ଗିଲେ, ଟିଭି ଚୋରି କରି ନେଇଗଲେ । 

279

କନକ ବ୍ୟୁରୋ : ମନ୍ତ୍ରୀଙ୍କ ଘରୁ ଚୋରି । ଓଡ଼ିଶାର କୌଣସି ମନ୍ତ୍ରୀ ନୁହଁନ୍ତି ବରଂ ରାଜସ୍ଥାନର ଏକ ମନ୍ତ୍ରୀଙ୍କ ଘରୁ ଚୋରି ହୋଇଛି । ରାଜସ୍ଥାନ ଦୋସା ଜିଲ୍ଲାର ଲାଲସୋଟ ଥାନା ଅଞ୍ଚଳରେ ଗତ ଗୁରୁବାର ରାତିରେ ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ପରସାଦି ଲାଲ ମୀଣାଙ୍କ ଘରୁ ଚୋରି ହୋଇଛି । ମନ୍ତ୍ରୀଙ୍କ ଘରୁ ଦୁଇଟି ଏଲଇଡି ଟିଭି ଚୋରାଇ ନେଇଛି ଚୋର । ଏନେଇ ଲାଲସୋଟ ଥାନାରେ ଅଜ୍ଞାତ ଚୋର ନାଁରେ ମାମଲା ରୁଜୁ ହୋଇଛି ।

ଦୋସାର ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ଜଗଦମ୍ବା କଲୋନୀରୁ ଗତ ଗୁରୁବାର ରାତିରେ ମନ୍ତ୍ରୀଙ୍କ ବାସଭବନରୁ ଦୁଇଟି ଏଲଇଡି ଟିଭି ଅଜ୍ଞାତ ବ୍ୟକ୍ତି ଚୋରି କରି ନେଇଛନ୍ତି । ଏନେଇ ଶୁକ୍ରବାର ମାମଲା ରୁଜୁ କରାଯାଇଛି । ମନ୍ତ୍ରୀଙ୍କ ଘରେ କେହି ପ୍ରାୟତଃ ରହୁନଥିବା ବେଳେ ଏଭଳି ଚୋରି ହୋଇଛି । ଆଉ ଚୋରି ବାବଦରେ ଘରକୁ କାମ କରିବାକୁ ଆସୁଥିବା କର୍ମଚାରୀ ପ୍ରଥମେ ସୂଚନା ଦେଇଥିଲେ । ଚୋରି କରିବା ପୂର୍ବରୁ ପ୍ରଥମେ ଘରର ତାଲା ଭଙ୍ଗା ଯାଇଥିଲା । ଆଉ ତାଲା ଭାଙ୍ଗିବା ପରେ ଘର ଭିତରେ ପଶି ଦୁଇଟି ଏଲଇଡି ଟିଭି ଚୋରାଇ ନେଇଥିଲେ ଚୋର । ତେବେ ଘରେ କେହି ରହୁନଥିବାରୁ ସେଭଳି କୌଣସି ଦାମୀ ସାମଗ୍ରୀ ନଥିଲା । ତେଣୁ ଟିଭି ନେଇ ଫେରାର ହୋଇଯାଇଥିଲେ ଚୋର । ତେବେ ଘଟଣା ସମ୍ପର୍କରେ ଥାନାରେ ଏତଲା ଦିଆଯିବା ପରେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।