ବୁଲିବାଇ ଆପ୍ ମାମଲାରେ ବ୍ରଜରାଜନଗରରୁ ଗିରଫ ହେଲେ ଯୁବକ । ମୁସଲମାନ ମହିଳାଙ୍କୁ ବଦନାମ୍ କରିବା ଉଦ୍ଦେଶ୍ୟରେ ବ୍ୟବହାର ହେଉଥିଲା ବୁଲିବାଇ ଆପ୍

200

କନକ ବ୍ୟୁରୋ: ବୁଲିବାଇ ଆପ୍ ମାମଲାରେ ଓଡିଶାରୁ ଝାରୁସୁଗୁଡା ବ୍ରଜରାଜନଗରରୁ ଜଣଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ । ଗିରଫ ଯୁବକ ଇବପିଟ ଅଞ୍ଚଳର ନିରଜ କୁମାର ସିଂ ଓ ତାଙ୍କ ବୟସ ୨୮ବର୍ଷ ବୋଲି ଜଣାପଡିଛି । ନିରଜଙ୍କୁ ଜାନୁଆରୀ ୨୬ ସୁଦ୍ଧା ମୁମ୍ବାଇ କୋର୍ଟରେ ହାଜର କରାଯିବ । ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ୍ ୫ ଜଣଙ୍କୁ ଗିରଫ କରାଯାଇସାରିଲାଣି । ନିରଜ ବିଷ୍ଣୋଇ ଏହି ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ । ପ୍ରାୟ ୬ମାସ ତଳେ ବିବାଦୀୟ ହୋଇଥିବା ‘ସୁଲି ଡିଲ୍ସ’ ଆପକୁ ନକଲ କରି ଏହି ବୁଲିବାଇ ଆପ୍ ତିଆରି କରିଥିଲା ନିରଜ ବିଷ୍ଣୋଇ । ଆସାମରୁ ତାକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ଗୁଇନ୍ଦା ଟିମ୍ । ଏହାପରେ ବିଶାଳ ଝା, ଶ୍ୱେତା ସିଂହ ଓ ମୟଙ୍କ ତିୱାରୀଙ୍କୁ ଗିରଫ କରାଯାଇଥିଲା ।

ଅଭିଯୋଗ ଅନୁସାରେ ଏହି ଆପ୍ଲିକେସନ ଜରିଆରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଛି । ମୁସଲମାନ ମହିଳାଙ୍କ ଫଟୋକୁ ଏହି ଆପ ଜରିଆରେ ସୋସିଆଲ ମିଡିଆରେ ଅପଲୋଡ କରି ସେମାନଙ୍କ ସମ୍ମାନହାନୀ ହେଲାଭଳି ମନ୍ତବ୍ୟ ଦିଆଯାଉଛି । ଏପରିକି ଅନଲାଇନରେ ନିଲାମ କରିବା ଭଳି ଘୃଣ୍ୟ ପଦକ୍ଷେପ ନିଆଯାଉଛି । ବିଶେଷ କରି ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ମୁସଲମାନ ମହିଳାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି ଆପ୍ଲିକେସନ୍କୁ ବ୍ୟବହାର କରାଯାଉଛି । ଜଣେ ସାମ୍ବାଦିକା ଏନେଇ ପ୍ରଥମେ ଅଭିଯୋଗ କରିବା ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସିଥିଲା । ସାମାଜିକ କର୍ମୀ, ସେଲିବ୍ରିଟି ଓ ଛାତ୍ରୀମାନେ ସମାନ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ତନାଘନା । ଦିଲ୍ଲୀ ଓ ମୁମ୍ବାଇ ସାଇବର ପୋଲିସ ଏହି ମାମଲା ମୂଳରେ ପହଂଚିବା ସହ ୫ଜଣ ଅଭିଯୁକ୍ତଙ୍କ ଗିରଫ କରିଛି ।