କନକ ବ୍ୟୁରୋ: ନାଁ ପ୍ରଦୀପ କୁମାର ସ୍ୱାଇଁ । ଘର ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର । ପାଠ- ବି-ଟେକ୍ (ମେକାନିକାଲ ଇଞ୍ଜିନିୟରିଂ) । ପ୍ରସ୍ତୁତି- ଜେଇ, ଟେକ୍ନିକାଲ, ରେଲୱେ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ପ୍ରଦୀପ ୨୦୧୭ରୁ ଭୁବନେଶ୍ୱରରେ ରହି ଚାକିରି ଖଣ୍ଡିଏ ପାଇଁ ପ୍ରସ୍ତୁତି କରୁଛନ୍ତି । ରାଜଧାନୀରେ ରହିବା, ଖାଇବା ଓ ଯିବା ଆସିବା ଖର୍ଚ୍ଚ ପ୍ରାୟ ସାଢେ ୪ ହଜାର ଟଙ୍କା । ଘରୁ ପଇସା ଆଣନ୍ତି, ଆବଶ୍ୟକ ପଡିଲେ ସାଙ୍ଗମାନଙ୍କଠୁ ବହି ମାଗି ପଢାପଢି କରନ୍ତି । ସରକାରୀ ଚାକିରି ଖଣ୍ଡିଏ ପାଇଁ ୫ବର୍ଷ ହେଲା ପ୍ରସ୍ତୁତି କରୁଥିଲେ ବି ଆଜିଯାଏ ସଫଳତା ମିଳିନାହିଁ । କରୋନା ଯୋଗୁଁ ୨ବର୍ଷ କ୍ଷତି ହୋଇଗଲା । ଘରୁ ବାରମ୍ବାର ଚାପ ଆସୁଥିଲେ ବି ସରକାରୀ ଚାକିରି ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି ।
ନାଁ ସତ୍ୟନାରାୟଣ ସାହୁ । ଘର ଇଟିପୁର, ଧଉଳି । ପାଠ- ଗ୍ରାଜୁଏଟ୍ (ବିଏସସି) । ପ୍ରସ୍ତୁତି- ପୋଲିସ ଏସଆଇ, ଜେଲ ୱାର୍ଡର । ସତ୍ୟନାରାୟଣଙ୍କ ବାପା ଜଣେ ସାଧାରଣ ଚାଷୀ । ୨୦୧୮ରୁ ଭୁବନେଶ୍ୱରରେ ରହି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସରକାରୀ ଚାକିରି ପାଇଁ ଉଦ୍ୟମ କରୁଛନ୍ତି ସତ୍ୟନାରାୟଣ । ଟିଉସନ କରି ନିଜର ଖର୍ଚ୍ଚ ତୁଲାଉଛନ୍ତି । ରାଜଧାନୀରେ ରହଣୀ ଖର୍ଚ୍ଚ ମାସକୁ ସାଢେ ୩ ହଜାରରୁ ୪ ହଜାର । ସାଙ୍ଗ, ସାଥୀଙ୍କ ବହି ମାଗି ପଢନ୍ତି, ନହେଲେ ୟୁ-ଟ୍ୟୁବର ସହାୟତା ନିଅନ୍ତି । ବାରମ୍ବର ପ୍ରୟାସ ପରେ ଅଳ୍ପଟିକେରେ ଅକୃତକାର୍ଯ୍ୟ ହେଉଛନ୍ତି, ତଥାପି ପ୍ରୟାସ ଛାଡି ନାହାନ୍ତି ।
ସରକାରୀ ଚାକିରି ଖଣ୍ଡିଏ ପାଇଁ ଯୁବପିଢୀଙ୍କ ଭିତରେ ଅହେତୁକ ଆଗ୍ରହ । ବାରମ୍ବାର ପ୍ରୟାସରେ କେହିକେହି ସଫଳ ହେଉଥିବାବେଳେ ଆଉ କେତେକ ଅଳ୍ପଟିକିଏରେ ସୁଯୋଗରୁ ବଂଚିତ ହେଉଛନ୍ତି । କିନ୍ତୁ ବର୍ଷବର୍ଷ ଧରି ପ୍ରୟାସ ଚଳାଇଛନ୍ତି ।
କେମିତି ମିଳିବ ଚାକିରି? କେବେ ମିଳିବ ନିଯୁକ୍ତି? ଏନେଇ ଯୁବପିଢିଙ୍କ ଭିତରେ ସବୁବେଳେ ପ୍ରଶ୍ନ ଉଙ୍କିମାରୁଥାଏ । ଆଉ ଯେତେବେଳେ ନିଯୁକ୍ତି ମିଳିବା କଥା ଶୁଣନ୍ତି, ସେତେବେଳେ ଖୁସି କହିଲେ ନସରେ । ଦେଶରେ ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀ ଅଛନ୍ତି । ଚାକିରି ଖଣ୍ଡିଏ ପାଇଁ ଏମାନେ ଅନାଇ ବସିଛନ୍ତି । ସରକାର ନିଯୁକ୍ତି ଦେବା ନେଇ ଘୋଷଣା କରୁଛନ୍ତି । ହେଲେ ପ୍ରତିଶ୍ରୁତି ହିସାବରେ ଚାକିରି ମିଳୁନାହିଁ । ବଢିଚାଲିଛି ବେରୋଜଗାରି ହାର ।
ପାର୍ବଣରେ ସାମଗ୍ରୀର ଚାହିଦା ବଢିଥିଲେ ବି ଏହା ଅତିରିକ୍ତ ରୋଜଗାର ସୃଷ୍ଟି କରି ପାରିନାହିଁ । ସେଂଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମିର ତଥ୍ୟ ଅନୁସାରେ ସେପ୍ଟେମ୍ବର, ଅକ୍ଟୋବର ପାର୍ବଣ ରୁତୁରେ ବେରୋଜଗାରି ହାର ବଢିଛି । ବିଶେଷ କରି ଅକ୍ଟୋବରରେ ଗ୍ରାମାଂଚଳରେ ଏହି ହାର ଅଧିକ ରହିଛି । ଅର୍ଥାତ ପ୍ରତି ୧୦୦୦ ଜଣରେ ୮୧ ଜଣ ବେକାର ଅଛନ୍ତି ।
୨୦୧୪ରେ ନିର୍ବାଚନ ସମୟରେ ବର୍ଷକୁ ୨ କୋଟି ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ମୋଦୀ ସରକାର କ୍ଷମତାକୁ ଆସିଥିଲେ । ଯାହାକୁ ନେଇ ସରକାର ବାରମ୍ବାର ବିରୋଧୀଙ୍କ ସମାଲୋଚନାର ଶିକାର ହେଉଛନ୍ତି । ଏହାରି ଭିତରେ ୭୫ ହଜାର ନିଯୁକ୍ତିପତ୍ର ବାଂଟିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ । ଆଗାମୀ ଦେଢବର୍ଷରେ ୧୦ ଲକ୍ଷ ଖାଲି ପଦବୀ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
Follow Us