୨୧ – ୪୦ ବର୍ଷ ମଧ୍ୟରେ ବ୍ୟକ୍ତି ଅଧିକ ହେଉଛି ସଂକ୍ରମିତ । ଏକାନ୍ତବାସରେ ରୁହନ୍ତୁ ଘରର ବୟସ୍କ ଲୋକ : ସିଏମସି କମିଶନର

194

କନକ ବ୍ୟୁରୋ : କରୋନା ସମୟରେ ପରିବାରର ବୟସ୍କ ସଦସ୍ୟମାନଙ୍କ ସୁରକ୍ଷା କ୍ଷେତ୍ରରେ ଯୁବପୀଢିର ସଦସ୍ୟମାନଙ୍କ ଗୁରୁଦାୟିତ୍ୱ ରହିଛି । ପରିବାରର କାମ କରୁଥିବା ସଦସ୍ୟମାନେ ଏବେ ଅଫିସ କିମ୍ବା ଶିଳ୍ପପ୍ରତିଷ୍ଠାନକୁ ଯାଉଥିବାରୁ ସେମାନେ ବାହାରେ ସଂକ୍ରମିତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଘରର ବୟସ୍କ ବ୍ୟକ୍ତିମାନଙ୍କୁ ଓଲଟ ଏକାନ୍ତବାସରେ ରଖିବାକୁ କଟକ ମହାନଗର ନିଗମ(ସିଏମସି) କମିଶନର ଅନନ୍ୟା ଦାସ କହିଛନ୍ତି ।

ଓଲଟା ଏକାନ୍ତବାସର ଅର୍ଥ ହେଉଛି ଘରର ସୁସ୍ଥ ମାତ୍ର ବୟସ୍କବ୍ୟକ୍ତିଙ୍କୁ ଏକାନ୍ତବାସରେ ରଖିବା, ଯେପରିକି ସେ ବାହାରକୁ ଯାଉଥିବା ଅନ୍ୟମାନଙ୍କ ସହ ମିଶିପାରିବେ ନାହିଁ ।

ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଥିଲେ ଯେ ଗତ ୧୪ ଦିନରେ ସିଏମସି ଅଞ୍ଚଳରେ ମୋଟ ୨୬୭୪୮ଟି ନମୁନା ପରୀକ୍ଷା ହୋଇଛି । ଏହା ମଧ୍ୟରୁ ଅର୍ଦ୍ଧେକ ହେଉଛି ଆରଟିପିସିଆର ଟେଷ୍ଟ । ଏହି ୧୪ ଦିନରେ ସହରରେ ୧୫୬୦ ଟି ନମୁନା ପଜିଟିଭ ବାହାରିଛି ଓ ପଜିଟିଭିଟି ହାର ୫.୯୭ ପ୍ରତିଶତ ରହିଛି । ପଜିଟିଭ ବାହାରିଥିବା ଲୋକମାନଙ୍କ ମଧ୍ୟରୁ ଅଧିକାଂଶ କାମକରୁଥିବା ବର୍ଗର ଅର୍ଥାତ ୨୧-୪୦ ଓ ୪୧-୬୦ ବୟସ ବର୍ଗର ।

ଗତ ଅଗଷ୍ଟ ୧୫ରୁ ୨୧ ମଧ୍ୟରେ ସହରରେ ମୋଟ ୯୫୩ଟି ପିଜିଟିଭ ବାହାରିଛି ଓ ଏଗୁଡ଼ିକ ମଧ୍ୟରୁ ସର୍ବାଧିକ ୪୪୨ଟି ମାମଲା ୨୧ରୁ ୪୦ ବୟସ ବର୍ଗରେ ରହିଥିବାବେଳେ ୨୯୩ଟି ମାମଲା ୪୧-୬୦ ବୟସ ବର୍ଗରେ ରହିଛି । କିନ୍ତୁ ମୃତ୍ୟୁହାର ୬୦ ବର୍ଷରୁ ଅଧିକ ବର୍ଗର ବୟସ ଶ୍ରେଣୀରେ ଅଧିକ ହେଉଥିବାରୁ ଯୁବପୀଢି ବୟସ୍କ ଲୋକମାନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ପରିବାରରେ ଅଲଗା ରଖନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ୨୯୪୯ଟି ନୂଆ ସଂକ୍ରମଣ ମାମଲା ଦେଖାଦେଇଥିବାବେଳେ କଟକ ଜିଲ୍ଲାରୁ ସର୍ବାଧିକ ୫୮୯ଟି ମାମଲା ଚିହ୍ନଟ ହୋଇଛି ।