ପ୍ରେମ ପାଇଁ ମାରିଦେଲେ: ପ୍ରେମ ସମ୍ପର୍କକୁ ବିରୋଧ କରି ଯୁବକଙ୍କୁ ହତ୍ୟାକଲେ ଯୁବତୀଙ୍କ ପରିବାର ଲୋକେ

381

କନକ ବ୍ୟୁରୋ: ପ୍ରେମ କରିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କରିଦେବାଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳରେ । ଘଟଣା ଘଟାଇ ମୃତଦେହକୁ ଫିଙ୍ଗିଦେଇଥିଲେ ଯୁବତୀଙ୍କ ପରିବାର । ଆଉ ମୃତଦେହ ୧୦ଦିନ ଧରି ଜଙ୍ଗଲରେ ପଡିଥିଲା । ବାଲିଗୁଡା ଥାନା ଅଂଚଳର ତଳିପଡା ଗାଁରେ ଶୁକଦେବ ରଣାକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । କଲେଜରେ ପାଠ ପଢିବାବେଳେ ଏହି ଗାଁର ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଆଉ ପ୍ରେମବ୍ୟାପାରକୁ ବିରୋଧ କରି ଏଭଳି ସାଂଘାତିକ ପଦକ୍ଷେପ ନେଇଛନ୍ତି ଯୁବତୀଙ୍କ ପରିବାର ଲୋକେ ।

ଶୁକଦେବ ରଣାକୁ ଯେଭଳି ଭାବେ ହତ୍ୟା କରାଗଲା ତାହା କୌଣସି ଫିଲ୍ମ ଷ୍ଟାଇଲରୁ କମ ନଥିଲା । ଯୁବତୀ କଥାହେବା ବାହାନାରେ ଶୁକଦେବଙ୍କୁ ଗାଁକୁ ଡାକିଥିଲେ । ପରେ ପରିବାର ଲୋକେ ହତ୍ୟା କରି ବସ୍ତାରେ ମୃତଦେହକୁ ଜଙ୍ଗଲରେ ଫିଙ୍ଗିଦେଇଥିଲେ ।

ଘଟଣା ଘଟିବାର ଦଶଦିନ ପରେ ଶୁକଦେବଙ୍କ କଙ୍କାଳକୁ ଉଦ୍ଧାର କରିଛି ପୁଲିସ । ୪ଜଣଙ୍କୁ ପୁଲିସ ଗିରଫ କରି ପଚରାଉଚରା କରୁଛି । ଗିରଫଙ୍କ ମଧ୍ୟରେ ସଂପୃକ୍ତ ଯୁବତୀଙ୍କ ବାପା ବି ଅଛନ୍ତି । ୪ ଅଭିଯୁକ୍ତଙ୍କୁ ଧରି ସିନ୍ ରିକ୍ରିଏସନ କରିଛି ପୁଲିସ । ଘଟଣାସ୍ଥଳରେ କିଭଳି ହତ୍ୟା କରି ଶବକୁ ଫିଙ୍ଗିଦେଇଥିଲେ ତାହାର ଡେମୋ ଦେଖାଇଛନ୍ତି ୪ ଅଭିଯୁକ୍ତ ।

-୨୬ ତାରିଖରେ ପ୍ରେମିକାଙ୍କୁ ଭେଟିବାକୁ ଆସିଥିଲେ ଶୁକଦେବ
-ଏହି ସମୟରେ ଠେଙ୍ଗା ଓ ଟାଙ୍ଗିଆରେ ଆକ୍ରମଣ କରିଥିଲେ ଯୁବତୀଙ୍କ ପରିବାର
-ଘଟଣାସ୍ଥଳରେ ହିଁ ଶୁକଦେବଙ୍କ ମୃତ୍ୟୁ ହୋଇଥିଲା
-ଜୀବନ ଚାଲିଯିବା ପରେ ବସ୍ତାରେ ମୃତଦେହକୁ ବାନ୍ଧି ଜଙ୍ଗଲରେ ପିଙ୍ଗିଦେଇଥିଲେ
ଶୁକଦେବ ନ ଫେରିବାରୁ ତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ ।

ପ୍ରେମ ପାଇଁ ଜଣେ ଯୁବକଙ୍କୁ ଏଭଳି ଜଘନ୍ୟ ଭାବେ ହତ୍ୟା କରିବା ଘଟଣା ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି ।