କନକ ବ୍ୟୁରୋ : ସଭ୍ୟ ସମାଜରେ ମାନବିକତା ମରିଯାଉଥିବାର ଖବର ଅନେକ ସମୟରେ ଆସେ । ଏହା ଆମକୁ ବିଚଳିତ କରେ, ଆଉ ଅସମୟରେ କାହିଁକି ସହାୟତାର ହାତ  ବଢିଆସୁନି, ସେନେଇ ଆମେ ଚିନ୍ତାପ୍ରକଟ କରୁ । ଆଉ ଏବେ ଯେଉଁ ଖବର ଆମେ ଆପଣଙ୍କୁ ଦେଖାଇବାକୁ ଯାଉଛୁ, ତାହା ଆପଣଙ୍କୁ ହଜାରେ ଥର ଚିନ୍ତା କରିବାକୁ ବାଧ୍ୟ କରିବ ଯେ ପ୍ରକୃତରେ କଣ ମଣିଷପଣିଆ ସମାଜରେ ଅଛି ।

Advertisment

ଆଜି ଆମେ ଏକ କୁଆଁରୀ ମା’ର ଯନ୍ତ୍ରଣା ଜର୍ଜରିତ ମୃତ୍ୟୁର କାହାଣୀ କହିବୁ । କାହଣୀ କିଛି ଏମିତି । ଗଞ୍ଜାମ ବଡଗଡ ଥାନା ଟିଣିଟିଣାପଲ୍ଲୀ ଗାଁ । ଗାଁର ବାପାମା ନଥିବା ଅନାଥ ଝିଅଟିଏ । ବାପା ମା ନାହାନ୍ତି, ଭାଇ ଭଉଣୀ ନାହାନ୍ତି, ଯାହାକୁ ଆମେ ଅନାଥ ବା ବେସାହାରା ବୋଲି କହୁ । ଜେଜେମା ଓ ଜେଜେବାପାଙ୍କ ପାଖରେ ରହି କଷ୍ଟରେ ଦଶମ ପର୍ଯ୍ୟନ୍ତ ପାଠ ପଢିଛି ଝିଅଟି । ବୟସ ବଢିବା ପରେ, କେଉଁ ଗୋଟିଏ ଦୁର୍ବଳ ମୁହୁର୍ତରେ ପାଖ ଗାଁର ଜଣେ ଯୁବକକୁ ଭଲପାଇବସେ । ସମ୍ପର୍କ ବଢିବା ପରେ ପ୍ରେମିକର ମିଠା ମିଠା କଥାରେ ଭଳିଯାଇ ଝିଅଟି ଗର୍ଭବତୀ ହୁଏ । କୁମାରୀ ମାତୃତ୍ୱ ପାଇଁ ଲୋକଲଜ୍ଜ୍ୟା ଭୟରେ ଝିଅଟିକୁ ଘରୁ ତଡିଦିଅନ୍ତି ଜେଜମା । ଏକୁଟିଆ ଝିଅଟି ପ୍ରସବ ପାଇ ଧରାକୋଟ ହସ୍ପିଟାଲକୁ ଯାଏ, ଆଉ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ବହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଏ । ଆଉ ହସ୍ପିଟାଲରେ ଏକ ଶିଶୁପୁତ୍ରକୁ ଜନ୍ମଦେବା ପରେ ଏହି କୁଆଁରୀ ମା’ଟିର ମୃତ୍ୟୁ ହୁଏ ।

କାହାଣୀ ଏତିକିରେ ସରୁନି । ଜନ୍ମିତ ଶିଶୁଟିକୁ ହସ୍ପିଟାଲରୁ ଗାଏବ କରିଦିଆଯାଏ । ଏପଟେ ହସ୍ପିଟାଲରୁ ଶବ ନେବାକୁ ନା ପରିବାରଲୋକେ, ନା ସମ୍ପର୍କୀୟ ନା ଗାଁଲୋକେ, ସମସ୍ତେ ଅମଙ୍ଗ ହେଲେ । ଆଉ ୪ଦିନ ପର୍ଯ୍ୟନ୍ତ ଶବ ସଂରକ୍ଷଣ ଗୃହରେ ଶବ ପଡିରହିଲା । ଶେଷରେ ଏକ ସାମାଜିକ ସଂଗଠନ ଓ ସ୍ଥାନୀୟ ସାମ୍ବାଦିକ ଲୋକଙ୍କୁ ବୁଝାସୁଝା କରିବା ପରେ ଶବ ସଂସ୍କାର କରାଯାଇଛି । ସେପଟେ ଥାନାରେ କୌଣସି ମାମଲା ହୋଇନଥିବାରୁ ଯୁବତୀଙ୍କ ଏଭଳି ଅବସ୍ଥା ସମ୍ପର୍କରେ କୌଣସି ତଦନ୍ତ ହୋଇନାହିଁ ।