ସ୍କୁଲକୁ ଆସି କାନ୍ଦିଲେ ଶେଷ କିଷାନ୍ । ବିଦେଶରୁ ଉଚ୍ଚଶିକ୍ଷା ନେଇ ଫେରିବା ପରେ ମଣିଷ ଗଢ଼ୁଛନ୍ତି ସମ୍ବଲପୁରର ଯୁବ ବୈଜ୍ଞାନିକ

1,674

କନକ ବ୍ୟୁରୋ: ସମ୍ବଲପୁରର ଶେଷଦେବ କିଷାନଙ୍କ କାହାଣୀ ଯେତେବେଳେ ମୁଖ୍ୟମନ୍ତ୍ରୀ ଶୁଣିଥିଲେ ତାଙ୍କ ଆଖି ଛଳଛଳ ହୋଇଉଠିଥିଲା । ଦାରିଦ୍ରର ଦୁଃଖକୁ ଅତିକ୍ରମ କରି ଆଜି ସେ ବୈଜ୍ଞାନିକ । ତେବେ ଶେଷଦେବ ଯେତେବେଳେ ନିଜ ଗାଁରେ ପହଞ୍ଚିଥିଲେ, ସେଇ ସ୍କୁଲକୁ ଯାଇଥିଲେ ଯେଉଁଠି ତାଙ୍କର ମୁଳଦୂଆ ପଡ଼ିଥିଲା ।

ପାଠ ପଢ଼ିବା ଥିଲା ବୋଧେ ଦ୍ୱିତୀୟ ବିକଳ୍ପ । ପ୍ରଥମ ଲକ୍ଷ୍ୟ ଥିଲା ସ୍କୁଲ ଗଲେ ଓଳିଏ ଖାଇବାକୁ ମିଳିବ । ପେଟର ଭୋଗ ତାଙ୍କୁ ଦିନେ ସ୍କୁଲକୁ ଟାଣି ଆଣିଥିଲା । ମାତ୍ର ୬ ମାସର ଥିବା ବେଳେ ମା’ ଚାଲିଯାଇଥିଲେ । ପୁଅ ଶେଷଦେବଙ୍କୁ ମଣିଷ କରିବା ବାପାଙ୍କ ପାଇଁ ଥିଲା ଏକ ସ୍ୱପ୍ନ ଭଳି । ଏଭଳି ଏକ ସମୟରେ ସ୍କୁଲରେ ମିଳୁଥିବା ମଧ୍ୟାହ୍ନ ଭୋଜନ ପାଇଁ ବାପା ସ୍କୁଲ ଯିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମ ଦିନ ଯେତେବେଳେ ସ୍କୁଲ ଯାଇଥିଲେ, ହାତରେ ଥିଲା ପତ୍ର ତିଆରି ଖଲି ଓ ଦନା । ହେଲେ ସ୍କୁଲରେ ପାଦ ପଡ଼ିବା ପରେ ବଦଳିଯାଇଥିଲା ସବୁ କିଛି । ଆଜି ବୈଜ୍ଞାନିକ ହୋଇ ଯେତେବେଳେ ସ୍କୁଲକୁ ଫେରିଛନ୍ତି ଶେଷଦେବ, ପୁରୁଣା କଥାକୁ ମନେ ପକାଇ ଭାବ ବିହ୍ୱଳ ହୋଇପଡ଼ିଥିଲେ ।

ସଂଘର୍ଷରୁ ଆସିଥିବା ସଫଳତା କିନ୍ତୁ ବଦଳାଇ ଦେଇଛି ସ୍ଥିତି । ଆଜି ସମ୍ବଲପୁର ଜିଲ୍ଲା ବଲାରଙ୍ଗା ଗାଁ ଶେଷଦେବଙ୍କୁ ନେଇ ଗର୍ବିତ । ବିଦେଶରରୁ ଉଚ୍ଚଶିକ୍ଷା ନେଇ ଫେରିବା ପରେ ମଣିଷ ଗଢ଼ୁଛନ୍ତି ସମ୍ବଲପୁରର ଯୁବ ବୈଜ୍ଞାନିକ ଶେଷଦେବ କିଷାନ । ଗାଁ ସ୍କୁଲରେ ୨ ଜଣ ଶିକ୍ଷକ ନିଯୁକ୍ତ କରିବା ସହ ସନ୍ଧ୍ୟା ସମୟରେ ମାଗଣା ଶିକ୍ଷା ଦେଉଛନ୍ତି । ଏମିତି କି ୨୭ ପିଲାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ବହନ କରୁଛନ୍ତି ପାଠପଢ଼ା ଖର୍ଚ୍ଚ ।