ଲୁଟ୍ ଅଭିଯୋଗ କରିବାକୁ ଆସିଥିବା ଯୁବକ ନିଜେ ବାହାରିଲେ ଲୁଟେରା: ସୁପର ଷ୍ଟକିଜର କ୍ୟାସିଅରଙ୍କଠାରୁ ସାଢେ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ତମାଣ୍ଡୋ ଥାନାରେ ଅଭିଯୋଗ

241

କନକ ବ୍ୟୁରୋ: ଲୁଟ୍ ଅଭିଯୋଗ କରିଥିବା ଯୁବକ ନିଜେ ବାହାରିଲା ଲୁଟେରା । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତମାଣ୍ଡୋ ଥାନାରେ । ସୁପର ଷ୍ଟକିଜ୍ର କାସିଅରଙ୍କ ଠାରୁ ସାଢେ ୩ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଆଉ ତଦନ୍ତବେଳେ ଘଟଣାର ମୋଡ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଜଣା ପଡିଥିଲା ଅଭିଯୋଗ କରିବାକୁ ଆସିଥିବା ଯୁବକ ନିଜେ ହେଉଛନ୍ତି ଅଭିଯୁକ୍ତ । ସେ ନିଜେ ଅନ୍ଲାଇନ୍ରେ ଜୁଆ ଖେଳି ଓ ନିଜ ସାଙ୍ଗମାନଙ୍କ ସହ ମିଶି ସେହି ଟଙ୍କା ଖର୍ଚ୍ଚ କରିଦେଇଥିବା ପୋଲିସ ଆଗରେ ସ୍ୱୀକାର କରିଛି ।

ତମାଣ୍ଡୋ ଥାନାକୁ ଖବର ଆସିଲା, ସାଢେ ୩ ଲକ୍ଷ ଟଙ୍କା ଲୁଟ ହୋଇଯାଇଛି । ଘରୋଇ କମ୍ପାନୀର କ୍ୟାସିୟର ଜୟନ୍ତ ସାହୁ ଥାନାରେ ପହଂଚି ଏହି ଅଭିଯୋଗ କଲେ । କହିଲେ ଅଫିସରୁ ଟଙ୍କା ନେଇ ବୟାହ୍କକୁ ଡିପୋଜିଟ କରିବାକୁ ଯାଉଥିବା ବେଳେ ଏକ ସ୍ପିଡ ବାଇକରେ ଦୁର୍ବୁତମାନେ ଆସି ଟଙ୍କା ଲୁଟିନେଲେ । ଖବର ପାଇ ତମାଣ୍ଡୋ ଥାନା ପୁଲିସ ସ୍ୱତନ୍ତ୍ର ଟିମ ସହ ଘଟଣାସ୍ଥକୁ ଯାଇ ତନାଘନା ଆରମ୍ଭ କରିଦେଲା । ଜୟନ୍ତ ତାଙ୍କ ଅଭିଯୋଗରେ ଯାହା ଯାହା କହିଥିଲେ ସିସିଟିଭି ଫୁଟେଜରେ ପୁରା ଘଟଣା କଏଦ ହୋଇ ରହିଥିଲା । ଜଣେ କ୍ୟାସିୟରଙ୍କ ବ୍ୟାଗ ଛଡାଇ ଲକ୍ଷାଧିକ ଟଙ୍କା ଲୁଟ ଘଟଣା ରାଜଧାନୀରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଅଭିଯୋଗକାରୀ ଜୟନ୍ତ ପୁଲିସ ସହ ବୁଲି ବୁଲି ଘଟଣାକ୍ରମ କହିବା ସହ ଘଂଟା ଘଂଟା ଧରି ପୁଲିସକୁ ଘଟଣାସ୍ଥଳ ବୁଲାଇଥିଲା । ହେଲେ ପୁଲିସ ତଦନ୍ତ ପରେ ଯେଉଁ ଘଟଣା ସାମନାକୁ ଆସିଲେ ତାହା ସମସ୍ତଙ୍କ ହୋସ ଉଡାଇ ଦେଲା ଭଳି ।

ପୁଲିସର ସନ୍ଦେହି ଆଖି ଅଭିଯୁକ୍ତ ପାଖରେ ପହଂଚିଥିଲା । ଯେଉଁ ଜୟନ୍ତ ସାହୁ ଥାନାରେ ଅଭିଯୋଗ କରିଥିଲା ସେ ହିଁ ଅଭିଯୁକ୍ତ, ଏକଥା ତଦନ୍ତ ବେଳେ ସାମନାକୁ ଆସିଥିଲା । ଅଭିଯୁକ୍ତ ଜୟନ୍ତ କେମିତି ରଚିଥିଲା ଅପରାଧିକ ଷଡ଼ଯନ୍ତ୍ର । ଗତମାସରେ ଏକ ଘରୋଇ କମ୍ପାନୀରେ କ୍ୟାସିୟର ଭାବରେ କାମ କରୁଥିଲା ଜୟନ୍ତ । ସଂସ୍ଥାର ବକେୟା ୩ ଲକ୍ଷ ୩୩ ହଜାର ଟଙ୍କା ବଜାରରୁ ସଂଗ୍ରହ କରିଥିଲା । ଶନିବାର ଦିନ ଉକ୍ତ ଟଙ୍କାକୁ ବ୍ୟାଙ୍କରେ ଜମା କରିବା ପାଇଁ ମାଲିକ କହିଥିଲେ । ହେଲେ ଧରାଛୁଆଁ ଦେଇନଥିଲା ଜୟନ୍ତ । କାହିଁକି ନା ଜୟନ୍ତ ସେହି ଟଙ୍କା ମଧ୍ୟରୁ ୨ ଲକ୍ଷ ୪ ହଜାର ଟଙ୍କା ଅନଲାଇନରେ ଜୁଆ ଖେଳି ହାରି ଯାଇଥିଲା । ତିନ୍ ପତି ଆପ୍ରେ କିଛି ଟଙ୍କା ହାରିବା ପରେ, ମୂଳ ଟଙ୍କାର ଦୁଇ ଗୁଣା କରିବା ଆଶାରେ ଏହି ଟଙ୍କା ହାରି ଯାଇଥିଲା । ବଳକା ୧ ଲକ୍ଷ ୨୯ ହଜାର ଟଙ୍କା ନିଜ ସାଙ୍ଗ ମାନଙ୍କ ମଧ୍ୟରେ ବାଂଟି ଦେଇଥିଲା । ଆଉ ବଂଟା ଯାିଥିଲା ଟଙ୍କା ବାବଦକୁ ମିଛ ଅଭିନୟ କରିବାକୁ କହିଥିଲା । ମିଛ ଟଙ୍କା ବ୍ୟାଗ ଧରି ସତ ଲୁଟର ସଡଯନ୍ତ୍ର ତଆରି କରିଥିଲା ଏହି ଅଭିଯୁକ୍ତ କ୍ୟାସିୟର ।

ଅଭିଯୁକ୍ତ ଜୟନ୍ତ ସମେତ ତାର ୨ ସହଯୋଗୀ ନିଶିକାନ୍ତ ସାହୁ ଓ ରାଜୁ ରାଓକୁ ଗିରଫ କୋର୍ଟ ଚାଲଣ କରଯାଇଥିବେ ବେଳେ, ଅନ୍ୟ ସହଯୋଗୀଙ୍କୁ ଖୋଜୁଛି ପୁଲିସ । ଜଣେ ଅଭିଯୁକ୍ତ ନିଜେ ନିଜର ଲୁଟ କରି କିପରି କମିଶନରେଟ ପୁଲିସକୁ ଦିନ ତମାମ ଭୁଆଁ ବୁଲାଇଲା ତାକୁ ସାରା ରାଜ୍ୟରେ ଚର୍ଚ୍ଚା ବଢିଛି ।