ଟଙ୍କା ନଦେଲେ କରୋନା ସଂକ୍ରମିତ ବୋଲି ଘୋଷଣା କରିବାକୁ ଧମକ : ସଙ୍ଗରୋଧ କେନ୍ଦ୍ରରେ ୩ ହଜାର ଟଙ୍କା ଦେଇ ଛାଡ ପାଇଲେ ଯୁବକ; ସୋସିଆଲ ମିଡିଆରେ ଭିଡିଓ ଭାଇରାଲ

700

କନକ ବ୍ୟୁରୋ : ଚିଲିକା ବ୍ଲକ  ଜରିପଡା ପଂଚାୟତ କାଳୁପଡା ଦାଶରଥି ମଧ୍ୟ ଇଂରାଜୀ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ  ଜଣେ ବିଦେଶ ଫେରନ୍ତା  ଅନ୍ତେବାସୀଙ୍କୁ ଟଙ୍କା ମଗାଯିବା ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି ।  ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।  ଖବର ଅନୁସାରେ,  ଗତ ଜୁଲାଇ ୧୦ ତାରିଖରେ  ଜରିପଡାର ମନୋଜ ବେହେରା ଓମାନରୁ ଫେରି  ଜରପଡା ପଂଚାୟତର ଏକ ସଙ୍ଗରୋଧ କେନ୍ଦ୍ରରେ  ଅନ୍ତେବାସୀଭାବେ  ମୋଟ ୧୬ ଦିନ ରହିଥିଲେ । ଗତ ୨୨ ତାରିଖରେ ତାଙ୍କର ଏଠାରେ ରହଣୀ ଅବଧି ସରିଥିଲା ।  ଏହି କେନ୍ଦ୍ରରୁ ବିଦାୟ ନେବାବେଳେ ପିଇଓ  ଅଜୟ କୁମାର ରାୟଗୁରୁ  ସଙ୍ଗରୋଧ କେନ୍ଦ୍ରରେ ରହିଥିବା ମୋଟ ୧୬ ଦିନର  ରହଣୀ ବାବଦରେ ଦେୟ ମାଗିଥିଲେ  ୩ ହଜାର ଟଙ୍କା ।  ଏଭଳି ଟଙ୍କା ଦାବି କରିବା ବେଆଇନ ବୋଲି ମନୋଜ କହିଥିଲେ ବି ସଂପୃକ୍ତ ପିଇଓ ଶୁଣିନଥିଲେ ।  ଟଙ୍କା ନ ଦେଲେ ହାଇରାଣ କରିବାକୁ ଧମକ ଦେଇଥିଲେ ପିଇଓ ।

ତେବେ ସେ ପିଇଓଙ୍କୁ  ମୋଟ ୩ ହଜାର  ଟଙ୍କା ଦେବା ପରେ  ଛାଡ ପାଇଥିଲେ ବୋଲି ମନୋଜ କହିଛନ୍ତି ।  ଘଟଣା ଜିଲ୍ଲା ପ୍ରଶାସନର ସାମ୍ନାକୁ ଆସିବା ପରେ  ଜିଲ୍ଲାପାଳ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର  ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ  ଘଟଣାର ତଦନ୍ତ ପାଇଁ ଜରିପଡା ଆସି ଫେରିଯାଇଛନ୍ତି । କରୋନା କାଳରେ ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି ।