ଗୁଣିଆ କଥାରେ ଯୁବକଙ୍କୁ ଭୁଜାଲି ମାଡ ଘଟଣା : ମାମଲା ରୁଜୁ କଲେ ମାନବାଧିକାର କମିଶନ, ତୁରନ୍ତ ସର୍ଜରୀ ପାଇଁ କିମ୍ସ ହସ୍ପିଟାଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ; କରୋନା ପଜିଟିଭ ଥିବାରୁ ୧୨ଦିନ ହେଲା ମିଳୁନାହିଁ ହସ୍ପିଟାଲ ବେଡ

175

କନକ ବ୍ୟୁରୋ : ଗୁଣିଆ କଥାରେ ଯୁବକଙ୍କୁ ଭୁଜାଲି ମାଡ ଘଟଣାରେ ହସ୍ତ କ୍ଷେପ କରିଛନ୍ତି ମାନବାଧିକାର କମିଶନ । ଆଜି ଯୁବକଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାନବାଧିକାର କମିଶନ ମାମଲା ରୁଜୁ କରିଛନ୍ତି । ଏଥିସହ ଆହତ ଯୁବକଙ୍କ ତୁରନ୍ତ ସର୍ଜରି କରିବା ପାଇଁ କିମ୍ସ ହସ୍ପିଟାଲ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆହତ ଯୁବକ କରୋନା ପଜିଟିଭ ହୋଇଥିବାରୁ ୧୨ଦିନ ହେଲା ହସ୍ପିଟାଲ ବେଡ ମିଳୁନାହିଁ । ରୋଗୀକୁ ଧରି ଡାକ୍ତରଖାନାରୁ ଡାକ୍ତରଖାନା ବୁଲିବା ପରେ ବି ମିଳୁନାହିଁ ଚିକିତ୍ସା ସୁବିଧା । ୧୨ ଦିନରେ ୧୦ଟି ଡାକ୍ତରଖାନା ବୁଲି ସାରିଲେଣି ରୋଗୀଙ୍କ ପରିବାର ।

କରୋନା ପଜିଟିଭ୍ ଥିବାରୁ କୌଣସି ହସ୍ପିଟାଲରେ ରୋଗୀକୁ ରଖି ସର୍ଜରୀ କରାଇବାକୁ ରାଜି ହେଉନାହାନ୍ତି । ଗୁରୁତର ଅବସ୍ଥାରେ ରୋଗୀ କିମ୍ସ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ସେପଟେ କୌଣସି ଚିକିତ୍ସା ନକରି ରୋଗୀକୁ ଫେରାଇ ନେବାକୁ ଡାକ୍ତରଖାନା କହିବା ପରେ ଚିନ୍ତାରେ ପଡିଥିଲେ ପରିବାର ଲୋକେ । ତେବେ ପରିବାର ଲୋକେ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବା ପରେ ଏବେ ହସ୍ପିଟାଲ କର୍ତୃପକ୍ଷଙ୍କୁ  ସର୍ଜରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଚିକିତ୍ସାରେ ଅବହେଳାର ତଦନ୍ତ କରି ଅକ୍ଟୋବର ୧୫ ସୁଦ୍ଧା ରିପୋର୍ଟ ଦେବାକୁ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ । ଅଭିଯୋଗ ଆସିଥିବା ଅନ୍ୟ ୬ ଜଣଙ୍କୁ ମଧ୍ୟ ଏହି ସମୟ ଅବଧିରେ ଉତର ରଖିବାକୁ କହିଛନ୍ତି ମାନବାଧିକାର କମିଶନ ।  

Comments are closed.