ମନ୍ତ୍ରୀଙ୍କ ସ୍ୱର ନକଲ କରି ଅନ୍ୟକୁ ଠକୁଥିଲେ ଯୁବକ । ବାନ୍ଧିଲା କଟକ ସାଇବର ପୋଲିସ

117

କନକ ବ୍ୟୁରୋ : କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସ୍ୱରକୁ ନକଲି କରି ଫୋନରେ ଜଣେ ହୋଟେଲ ମାଲିକଙ୍କ ସହ କଥା ହୋଇ, ଜଣେ ଠକ କେମିତି ଠକେଇ ପାଇଁ ଯୋଜନା କରିଥିଲା ତାହା ଆମେ ଆପଣଙ୍କୁ ଜଣାଇଥିଲୁ । କିନ୍ତୁ ପ୍ରକୃତରେ ସେହି ଠକ ଜଣଙ୍କ କିଏ ତାହା ସାମନାକୁ ଆସିନଥିଲା । ଏତେ ଦିନ ପରେ ସାମନାକୁ ଯାହା ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନାଁ କହି ଠକେଇ କରିବାକୁ ଯୋଜନା କରିଥିବା  ଠକ ଜଣଙ୍କର କଳା କାରନାମା ଏବେ ପଦାକୁ ଆସିଛି ।  ପୋଲିସର ସୂଚନା ଅନୁସାରେ  ସେହି ଠକେଇ ଯୋଜନାର ମାଷ୍ଟରମାଇଣ୍ଡ ସୌମ୍ୟରଞ୍ଜନ ପ୍ରଧାନ ଓରଫ ସୁଲଗ୍ନା । କିନ୍ତୁ ସେ ଠକେଇ ପାଇଁ କେତେବେଳେ ମା’ ଶିବାନୀ ଦୁର୍ଗା ସାଜନ୍ତି ତ ଆଉ କେତେବେଳେ ମନ୍ତ୍ରୀ ବନି ଯାନ୍ତି । ଭିନ୍ନ ଭିନ୍ନ ପରିଚୟ ଦେଇ , ଅନ୍ୟମାନଙ୍କର ସ୍ୱରକୁ ନକଲ କରି ବଡ ବଡ ଲୋକଙ୍କୁ ଟାର୍ଗେଟ କରିଥାନ୍ତି ।  ସେମିତି କଟକର ଏକ ଘରୋଇ ହସ୍ପିଟାଲର ମାଲିକଙ୍କୁ ୪୫ହଜାର ଟଙ୍କା ଚୁନା ଲଗାଇବାପରେ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ମାମଲାର ତଦନ୍ତ ପରେ ପୋଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇଛି ।

ସୌମ୍ୟରଞ୍ଜନଙ୍କୁ ପଚରାଉଚୁରା ପରେ ରାଜ୍ୟର ଶହେ ଜଣ ଡାକ୍ତର ଏବଂ ବହୁ ହୋଟେଲ ବ୍ୟବସାୟୀଙ୍କଠାରୁ ପ୍ରାୟ ୧୦ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଜଣାପଡିଛି । ଗିରଫ ପରେ ଅଭିଯୁକ୍ତ ନିକଟରୁ ଦୁଇଟି ମୋବାଇଲ ଫୋନ, ଦୁଇଟି ଜାଲ ସିମକାର୍ଡ ଏବଂ ବ୍ୟାଙ୍କ ଆକାଉଂଟରେ ଥିବା ୪୬ ହଜାର ୫ଶହ ଟଙ୍କା ଜବତ କରିଛି ପୋଲିସ । ସାଇବର ବିଶେଷଜ୍ଞଙ୍କ ମତରେ ସୁଲଗ୍ନା ଏଆଇ ଆପ୍ ମାଧ୍ୟମରେ ଏପରି ସ୍ୱର ନକଲ କରି ଠକେଇ ହେଉଛି ।

ଅଭିଯୁକ୍ତ ଘରୋଇ ହସ୍ପିଟାଲ, ହୋଟେଲ, ରେସ୍ତୁରାଁ ମାଲିକଙ୍କ ନମ୍ବର ଗୁଗୁଲରୁ ସଂଗ୍ରହ କରି ସେମାନଙ୍କୁ ଟାର୍ଗେଟ କରୁଥିଲା । ଆଉ ବିଭିନ୍ନ ଲୋକଙ୍କ ସ୍ୱର ନକଲ କରି ବିଭିନ୍ନ ଆଳ ଦେଖାଇ ଠକେଇ କରୁଥିଲା । ଆଉ ଧରାପଡିବା ପରେ ଠକ ଓ ଠକେଇର ପର୍ଦାଫାଶ ହୋଇଛି । ତେବେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି କୃଷିମନ୍ତ୍ରୀ ।