କନକ ବ୍ୟୁରୋ: କଥାରେ ଅଛି ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ନମିଳିଲେ, ପତ୍ରଟିଏ ବି ହଲି ନଥାଏ । ଏମିତି ଜଣେ ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ଅଛନ୍ତି, ଯିଏ ମହାପ୍ରଭୁଙ୍କ ସବୁଠାରୁ ଛୋଟ ବିଗ୍ରହ ତିଆରି କରିପାରିଛନ୍ତି । ସେ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ୮ନଂ ୱାର୍ଡର ତୁଷାର ମହାନ୍ତି । ମହାପ୍ରଭୁଙ୍କ ନବକଳେବର ପରେ ସେ ଆରମ୍ଭ କରିଥିଲେ ମହାପ୍ରଭୁଙ୍କ ବିଗ୍ରହ ତିଆରି । ଆଜିକୁ ଚାରି ବର୍ଷରୁ ଅଧିକ ହେବ ନିମ୍ବ କାଠରେ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରାଙ୍କ ବିଗ୍ରହ ତିଆରି କରିଆସୁଛନ୍ତି । ଚାରି ବର୍ଷ ଭିତରେ ସେ ଭିନ୍ନ ଆକାରର ୨୦ରୁ ଅଧିକ ବିଗ୍ରହ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।
ତେବେ ଏବେ ତାଙ୍କ ଦ୍ୱାରା ନିର୍ମିତ ମହାପ୍ରଭୁଙ୍କ ସବୁଠାରୁ ଛୋଟିଆ ବିଗ୍ରହକୁ ନେଇ ସେ ଚର୍ଚ୍ଚାରେ । ମାତ୍ର ଏକ ସେଣ୍ଟିମିଟର ଉଚ୍ଚତାରେ ତିଆରି କରିଛନ୍ତି ମହାପ୍ରଭୁଙ୍କ ବିଗ୍ରହ । ପୂର୍ବରୁ ତିନି ଫୁଟ୍ ଏବଂ ତା’ଠାରୁ ଛୋଟ ବିଭିନ୍ନ ଆକାରରେ ବିଗ୍ରହ ତିଆରି କରିଥିବା ବେଳେ ଏବେ କିନ୍ତୁ ଜଗନ୍ନାଥଙ୍କର ତିଆରି କରିଛନ୍ତି ସବୁଠାରୁ ଛୋଟ ବିଗ୍ରହ । ଯାହାର ରୂପରେଖ ଦେବା ନିମନ୍ତେ ତାଙ୍କୁ ୩ରୁ ୪ଘଣ୍ଟା ସମୟ ଲାଗିଥିବା ସେ କହିଛନ୍ତି ।
ଜଗନ୍ନାଥଙ୍କ ଆଶୀର୍ବାଦରେ ସେ ଏତେ ଛୋଟ ବିଗ୍ରହ ତିଆରି କରିଥିବା କହିଛନ୍ତି । ଏପରିକି ଅନେକ ଥର ସେ ବିଗ୍ରହ ତିଆରି କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ସମ୍ଭବ ହୋଇପାରି ନ ଥିବା ବେଳେ ଶେଷରେ ମହାପ୍ରଭୁଙ୍କ କୃପାରୁ ସେ ଆଜି ଏହି ସବୁଠାରୁ ଛୋଟ ବିଗ୍ରହ ତିଆରି କରିବାରେ ସକ୍ଷମ ହୋଇପାରିଛନ୍ତି ବୋଲି କହିଛନ୍ତି । ଏପରିକି ତାଙ୍କ ଦ୍ୱାରା ତିଆରି ହୋଇଥିବା ବିଗ୍ରହ ଆମେରିକାରେ ମଧ୍ୟ ପୂଜା ପାଉଛନ୍ତି । ବିଭିନ୍ନ ମନ୍ଦିରରେ ତାଙ୍କ ନିର୍ମିତ ବିଗ୍ରହ ଆଜି ବି ପୂଜା ପାଉଛି । ପରିବାର ସଦସ୍ୟଙ୍କର ମଧ୍ୟ ସହଯୋଗ ରହିଥିବାରୁ ସେ ଆଜି ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/Screen-Shot-2022-10-17-at-6.33.38-PM.png)