ମୋଦୀଙ୍କୁ ସୁରକ୍ଷାରେ ବଡ ତ୍ରୁଟି । ସୁରକ୍ଷା ବଳୟ ଭେଦ କରି ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚିଲେ ଯୁବକ, ଫୁଲମାଳ ଦେବାକୁ ଉଦ୍ୟମ ।

206

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ତ୍ରୁଟି । ସୁରକ୍ଷା ବଳୟ ଭେଦ କରି ପ୍ରଧାନମନ୍ତ୍ରୀଙ୍କ ଅତି ନିକଟରେ ପହଞ୍ଚିଲେ ଯୁବକ, ଫୁଲମାଳ ଦେବାକୁ ଉଦ୍ୟମ କଲେ । ତେବେ ହୁବଳିରେ ମୋଦୀ ବିଶାଳ ରୋଡ ଶୋ କରୁଥିବାବେଳେ ସାମନାକୁ ଆସିଛି ଏଭଳି ବଡ଼ ତ୍ରୁଟି ।

  • ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଲାଗିଲା ପ୍ରଶ୍ନଚିହ୍ନ
  • ମୋଦୀଙ୍କ ଅତି ନିକଟରେ ପହଞ୍ଚିଗଲେ ଯୁବକ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଏପରି ଘଟଣା ଘଟିବା ସମସ୍ତଙ୍କୁ ଚକିତ କରି ଦେଇଛି । ଆଜି ହାତରେ ଫୁଲମାଳ ଧରି ମୋଦୀଙ୍କ ଅତି ନିକଟକୁ ଚାଲିଆସିଲେ ଅଜ୍ଞାତ ଯୁବକ । ତେବେ ପ୍ରଧାନମନ୍ତ୍ରୀଙ୍କ କଡ଼ା ସୁରକ୍ଷା ବଳୟକୁ ଭେଦ କରିବା ପାଇଁ କିପରି ଜଣେ ସମର୍ଥ ହେଲେ, ତାହା ପୂରା ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ଲଗାଇ ଦେଇଛି ।

ନ୍ୟାସନାଲ୍ ୟୁଥ୍ ଫେଷ୍ଟିଭାଲର ଉଦଘାଟନ କରିବା ପାଇଁ କର୍ଣ୍ଣାଟକର ହୁବଲୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିଶାଳ ରୋଡ ସୋ’ର ଆୟୋଜନ କରାଯାଇଥିଲା । ମୋଦୀଙ୍କ ସ୍ୱାଗତ ପାଇଁ ରାସ୍ତାର ଦୁଇ ପାଶ୍ୱର୍ରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । କାରର ଡୋର୍ ନିକଟରେ ଛିଡ଼ା ହୋଇ ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ଫୁଲ ବର୍ଷା, ନାରାବାଜି ଭିତରେ ମୋଦୀଙ୍କ ଗାଡ଼ି ଆଗକୁ ଗଡୁଥିଲା । ଏହି ସମୟରେ ହଠାତ୍ ଜଣେ ଯୁବକ ହାତରେ ଫୁଲମାଳ ଧରି ସୁରକ୍ଷା ବାଡ଼ ଭିତରକୁ ପଶି ଆସିଥିଲେ । କେହି କିଛି ବୁଝିବା ପୂର୍ବରୁ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ମୋଦୀ ଅତି ନିକଟକୁ ଚାଲି ଆସିଥିଲେ । ଏବଂ ଫୁଲମାଳ ବଢାଇବାକୁ ଉଦ୍ୟମ କରିଥିଲେ । ସେହି ସମୟରେ ଯୁବକଙ୍କୁ କାବୁ କରି ବାହାରକୁ ନେଇ ଯାଇଥିଲେ ଏସପିଜି ଯବାନ । କିନ୍ତୁ ଯୁବକଙ୍କ ହାତରୁ ଫୁଲମାଳ ନେଇ ଯାଇଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବଳୟ 

  • ଗୃହ ମନ୍ତ୍ରାଳୟର ବ୍ଲୁ-ବୁକରେ ରହିଛି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା 
  • ସ୍ପେସିଆଲ୍ ପ୍ରୋଟେକସନ୍ ଗ୍ରୁପ୍ (ଏସପିଜି) ଉପରେ ରହିଛି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ
  • ଉଭୟ ଭାରତ ଭିତରେ ଓ ବାହାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ନେଇଥାଏ ଏସପିଜି
  • ସୁରକ୍ଷା ଦାୟିତ୍ୱରେ ରହିଥାନ୍ତି ଏସପିଜିର ଦକ୍ଷ ଓ ଉଚ୍ଚ ତାଲିମପ୍ରାପ୍ତ କମାଣ୍ଡୋ ୟୁନିଟ୍ 
  • ପ୍ରଧାନମନ୍ତ୍ରୀଙ୍କ ପ୍ରତି ମିନିଟର କାର୍ଯ୍ୟସୂଚୀକୁ ମନିଟର କରିଥାଏ ଏସପିଜି
  • ଦ୍ୱିତୀୟ ଓ ତୃତୀୟ ସୁରକ୍ଷା ଦାୟିତ୍ୱରେ ରହିଥାନ୍ତି କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ଓ ସ୍ଥାନୀୟ ପୁଲିସ
  • ୫ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଥାଏ 
  • ସମସ୍ତ ସୁରକ୍ଷା ସଂସ୍ଥା ସହ ସମନ୍ୱୟ ରଖିଥାଏ ଏସପିଜି

ଏତେ ବ୍ୟବସ୍ଥା ପରେ ବି କିପରି ଜଣେ ମୋଦୀଙ୍କ ଅତି ନିକଟକୁ ଚାଲି ଆସିବାକୁ ସମର୍ଥ ହେଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରଥମ ଥର ପାଇଁ ହୋଇନାହିଁ । ଗତବର୍ଷ ଜାନୁଆରୀ ମାସରେ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାଭାଲକେଡ୍ ୧୫ ମିନିଟରୁ ଅଧିକ ସମୟ ଅଟକି ଯାଇଥିଲା । ପାକିସ୍ତାନ ସୀମା ନିକଟ ଜାତୀୟ ସହିଦ ସ୍ମାରକୀଙ୍କୁ ଯିବା ବେଳେ ଆନ୍ଦୋଳନରତ କୃଷକ ରାସ୍ତା ଅବରୋଧ କରିଥିଲେ ।