ଚିକେନ୍ ଟିକ୍କା ଷ୍ଟଲ କରିଛନ୍ତି ଯୁବ ଇଞ୍ଜିନିୟର । ସନ୍ଧ୍ୟା ହେଲେ ଜମୁଛି ଗ୍ରାହକଙ୍କ ଭିଡ଼

208

କନକ ବ୍ୟୁରୋ: ଆପଣ ବଜାରରେ କିମ୍ବା ରେଷ୍ଟୁରାଣ୍ଟରେ ଅନେକ ଚିକେନ ଟିକ୍କା ଖାଇଥିବେ । ତେବେ ମାଲକାନଗିରି ସହରର ଚିକେନ ଟିକ୍କାର ସ୍ୱାଦ କିଛିଟା ଭିନ୍ନ । କାରଣ ଏହାକୁ ପ୍ରସ୍ତୁତ କରୁଛନ୍ତି ଜଣେ ଡିପ୍ଲୋମା ଇଞ୍ଜିନିୟର ଛାତ୍ର । ନିଜ ପଢା ଖର୍ଚ୍ଚ ସାଙ୍ଗକୁ ପରିବାର ପ୍ରତିପୋଷଣ କରିବାକୁ ଜଣେ ଡିପ୍ଲୋମା ଇଲେକ୍ଟ୍ରିକାଲ ଇଞ୍ଜିନିୟର ପ୍ରତି ଦିନ ଚିକେନ ଟିକ୍କା ବିକ୍ରି କରୁଥିବା ବେଳେ ଏହାକୁ ଖାଇବାକୁ ପ୍ରତି ଦିନ ଲାଗେ ଗ୍ରାହକଙ୍କ ଭିଡ ।

ଚର୍ଚ୍ଚାରେ ମାଲକାନଗିରି ସହରର ଚିକେନ୍ ଟିକ୍କା ଷ୍ଟଲ । ଡିଲ୍ପୋମା ଇଞ୍ଜିନିୟର ଛାତ୍ର ବିକ୍ରି କରୁଛନ୍ତି ଚିକେନ୍ ଟିକ୍କା । ମାଲକାନଗିରି ସହର ମୁଖ୍ୟ ରାସ୍ତାରେ ଥିବା ଏହି ଷ୍ଟଲରେ ପ୍ରତି ଦିନ ଲାଗୁଛି ଗ୍ରାହକଙ୍କ ଭିଡ । କାରଣ ଏହାର ସ୍ୱାଦ ଅନ୍ୟ ଟିକ୍କା ଠାରୁ କିଛିଟା ଭିନ୍ନ । ଆଉ ଯିଏ ଏହାକୁ ଚାଖିଛି, ସିଏ ବାରମ୍ବାର ଏଠାକୁ ଆସିଛି । ମାଲକାନଗିରି ଏମ୍.ଭି ୧୧ ଗାଁର ଡିପ୍ଲୋମା ଇଂଜିନିୟ ଛାତ୍ର ସୁଖଦେବ ମଣ୍ଡଳ । ଆଇଟିଆଇ ସାରି ରାୟଗଡାର ଏକ ସରକାରୀ କଲେଜରେ ଡିପ୍ଲୋମା ଇଂଜିନିୟରିଂ ସାରିଛନ୍ତି । ଲକଡାଉନ ସମୟରେ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡ଼ିବାରୁ ନୂଆ କିଛି କରିବା ଆଶାରେ ୟୁଟ୍ୟୁବ ଦେଖି ଚିକେନ ଟିକ୍କା ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ ସୁଖଦେବ ।

ପ୍ରଥମେ ଗାଁ ଗଣ୍ଡାରେ ଜାନି ଯାତ୍ରାରେ ଟିକ୍କା ବିକ୍ରି କରି ସୁନାମ ଅର୍ଜନ କରିବା ପରେ ଏବେ ୩୦୦୦ ଟଙ୍କାରେ ଏକ ଠେଲା ଗାଡିଟେ କିଣି, ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଦୈନିକ ଚିକେନ୍ ଟିକ୍କା ବିକ୍ରି କରୁଛନ୍ତି । ଯାହାକୁ ଖାଇବା ପାଇଁ ପ୍ରତି ଦିନ ସନ୍ଧ୍ୟାରେ ଯୁବ ପିଢିଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଲାଗିଥାଏ ।

ଘରେ ତାଙ୍କର ପକ୍ଷାଘାତରେ ପୀଡିତ ବାପା ଓ ବୁଢୀ ମା’ । ୪ ଭଉଣୀଙ୍କ ବିବାହ ପରେ ଗୋଟିଏ ଭଉଣୀ ସମେତ ପୁରା ପରିବାର ଦାୟିତ୍ୱ ଏବେ ସୁଖଦେବଙ୍କ ଉପରେ । ତେଣୁ ଚିକେନ ଟିକ୍କାକୁ ନିଜ ଜୀବିକାର ମାଧ୍ୟମ ଭାବେ ବାଛି ନେଇଛନ୍ତି ସୁଖଦେବ । ସୁଖଦେବ ପ୍ରତିଦିନ ୫ କିଲୋ ଚିକେନ ଟିକ୍କା ପ୍ରସ୍ତୁତ କରୁଥିବା ବେଳେ ପ୍ରାୟ ୧୫୦୦ ଟଙ୍କା ଖର୍ଚ୍ଚ କରି ଦୈନିକ ୩୦୦୦ ରୁ ୩୫୦୦ ଟଙ୍କାର ବ୍ୟବସାୟ କରୁଛନ୍ତି । ଏଥିରୁ ପ୍ରାୟ ୧୨୦୦ ରୁ ୧୫୦୦ଟଙ୍କା ଲାଭ ହୁଏ ବୋଲି କୁହନ୍ତି ସୁଖଦେବ । କେବଳ ଚିକେନ ଟିକ୍କା ନୁହଁ । ନିଜ ଡିପ୍ଲୋମା ଇଂଜିନିୟରିଂ ପାଠର ସଦବିନିଯୋଗ କରି ସୁଖଦେବ ସ୍ଥାନୀୟ ଓପଟିସିଏଲ ପାଓର ଗ୍ରୀଡରେ ଆପ୍ରେନ୍ଟିସ କରି ଦୁଇ ପଇସା ରୋଜଗାର କରନ୍ତି । ସୁଖଦେବଙ୍କ ଜୀବନ କାହାଣୀ ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି ।