ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୁକ୍ରବାର କାଉଡ଼ିଆ ଯାତ୍ରା ମାର୍ଗରେ ଥିବା ସମସ୍ତ ଭୋଜନାଳୟକୁ ସେମାନଙ୍କ ମାଲିକଙ୍କ ନାମ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ଖାଦ୍ୟ ଦୋକାନ ବୋର୍ଡରେ ମାଲିକଙ୍କ ନାମ ରଖିବାକୁ ପଡିବ। କାଉଡ଼ିଆ ଶ୍ରଦ୍ଧାଳୁଙ୍କ ପବିତ୍ରତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୟୁପି ସରକାର ଯୁକ୍ତି ବାଢ଼ିଛନ୍ତି, ଅନେକ ବ୍ୟବସାୟୀ ତୀର୍ଥଯାତ୍ରୀଙ୍କୁ ଆମିଷ ଖାଦ୍ୟ ବିକ୍ରି କରୁଛନ୍ତି।

Advertisment

ଉତ୍ତରପ୍ରଦେଶ ମନ୍ତ୍ରୀ କପିଲଦେବ ଅଗ୍ରୱାଲ ଏ ବାବଦରେ କହିଛନ୍ତି ଯେ, ମୁସଲମାନମାନେ ହିନ୍ଦୁ ନାମ ବ୍ୟବହାର କରି ହୋଟେଲ କରୁଛନ୍ତି ଏବଂ କାଉଡିଆଙ୍କୁ ଆମିଷ ଖାଦ୍ୟ ବିକ୍ରି କରୁଛନ୍ତି। ସେମାନେ ବୈଷ୍ଣୋ ଢାବା ଭଣ୍ଡାର, ଶାକମ୍ଭରୀ ଦେବୀ ଭୋଜନାଳୟ ଓ ଶୁଦ୍ଧ ଭୋଜନାଳୟ ଭଳି ନାମ ଲେଖି ଆମିଷ ଖାଦ୍ୟ ବିକ୍ରି କରନ୍ତି ବୋଲି ମନ୍ତ୍ରୀ ଅଭିଯୋଗ କରିଛନ୍ତି। ଆଉ ଏଥିପାଇଁ, ରେଷ୍ଟୁରାଣ୍ଟ, ରାସ୍ତାକଡ଼ ଢାବା ହେଉ କିମ୍ବା ଖାଦ୍ୟ ଗାଡ଼ି, ପ୍ରତ୍ୟେକ ଭୋଜନାଳୟ ମାଲିକ ବୋର୍ଡରେ ନିଜ ନାମ ଲେଖିବା ବାଧ୍ୟତାମୂଳକ କରିଛନ୍ତି ।