୨୦୨୦ ର ସବୁଠୁ ବଡ ରାଜନୈତିକ ଘଟଣା । ଦିଲ୍ଲୀରେ ବିଜେପି ଧରାଶାୟୀ ହେବା ପରେ ବିହାର ଓ ମଧ୍ୟପ୍ରଦେଶରେ କ୍ଷମତା ଦଖଲ । ଆନ୍ଦୋଳନ ଓ ମେଣ୍ଟକୁ ନେଇ କ’ଣ ରହିଥିଲା ରାଜଜୈତିକ ଦୃଶ୍ୟପଟ

104

କନକ ବ୍ୟୁରୋ : ବର୍ଷ ୨୦୨୦ କିଛି ବଡ ରାଜନୈତିକ ଘଟଣା, ଯାହା କି ରାଜନୈତିକ ଦୃଶ୍ୟ ପଟରେ ସବୁଦିନ ମନେ ରହିବ । ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ହାଟ୍ରିକ୍ ସେପଟେ ମଧ୍ୟପ୍ରଦେଶରେ କଂଗ୍ରେସ ଦଳ ମଧ୍ୟରେ ବିବାଦରୁ ଫାଇଦା ଉଠାଇଲା ବିଜେପି ଓ ବିହାରରେ ମାଗଣା କରୋନା ଟିକା ଖେଳି ବିଜେପିର ବାଜିମାତ୍ । ଏମିତି କିଛି ଘଟଣାବଳୀକୁ ନେଇ ୨୦୨୦ ବର୍ଷର ସବୁଠାରୁ ବଡ ୧୦ ଟି ବଡ ଘଟଣାକୁ ନେଇ ଆଜିର ଆଲୋଚନା ।

ଦିଲ୍ଲୀରେ କେଜ୍ରିୱାଲଙ୍କ ବାଜିମାତ୍ : ସଂଶୋଧିତ ନାଗରିକ କାନୁନକୁ ନେଇ ଦିଲ୍ଲୀ ସମେତ ଦେଶସାରା ଜାନୁଆରୀ ମାସରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏହାର କେନ୍ଦ୍ରସ୍ଥଳି ପାଲଟିଥିଲା ସାହିନବାଗ । କେନ୍ଦ୍ରସରକାର ଓ ଦେଶର ଜନତାଙ୍କ ମଧ୍ୟରେ ଏଭଳି ଘମାଘୋଟ ଲଢେଇ ଚାଲିଥିବା ବେଳେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା ବିଧାନସଭା ନିର୍ବାଚନ । ଦିଲ୍ଲୀରେ କେନ୍ଦ୍ରସରକାରଙ୍କ ଧ୍ରୁବିକରଣ କାମ ନଦେବାରୁ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱରେ ଆମ୍ ଆଦମୀ ପାର୍ଟି ୭୦ ରୁ ୬୨ ଆସନ ଅକ୍ତିଆର କରି ବିଜୟ ହାସଲ କରିଥିଲା । ସବୁଠାରୁ ବଡ କଥା କେନ୍ଦ୍ର କ୍ଷମତାରେ ଥିବା ବିଜେପିକୁ ୮ ଟି ଆସନ ମିଳିଥିବା ବେଳେ କଂଗ୍ରେସ ଖାତା ଶୂନ୍ୟ ହୋଇଯାଇଥିଲା ।

ମଧ୍ୟପ୍ରଦେଶରେ ପୁଣି ମାମାଙ୍କ ପତିଆରା : ମଧ୍ୟପ୍ରଦେଶରେ ସଂଖ୍ୟା ଗରିଷ୍ଠତା ଠାରୁ ଅଳ୍ପକିଛି ଅଧିକ ଆସନ ହାତେଇ କଂଗ୍ରେସର କମଳନାଥ୍ ସରକାର ମାର୍ଚ୍ଚ ୨୦୨୦ ରେ ସଂଖ୍ୟା ଗରିଷ୍ଠତା ହରାଇଥିଲା । କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସ୍କିନ୍ଦିଆ ଦଳ ସହିତ ବିଶ୍ୱାସଘାତକ କରି ୨୫ ଜଣ ବିଧାୟକଙ୍କ ସହ କଂଗ୍ରେସରୁ ଇସ୍ଥଫା ଦେଇଥିଲେ । ପାଖା ପାଖି ୧ ମାସ ଧରି ଏହି ବିଧାୟକ ମାନେ କର୍ଣ୍ଣାଟକର ଏକ ହୋଟେଲରେ ରହିବା ପରେ ୨୩ ମାର୍ଚ୍ଚ ୨୦୨୦ ରେ ମଧ୍ୟପ୍ରଦେଶରେ ମାମା ଭାବେ ପରିଚିତ ଶିବରାଜ ସିଂ ଚୌହାନ ପୁଣି ଥରେ ବିଜେପି ନେତୃତ୍ୱରେ ସରକାର ଗଠନ କରିବାରେ ସଫଳ ହୋଇଥିଲେ । ଏହା ପରେ କରୋନା କାଳରେ ହୋଇଥିବା ଉପନିର୍ବାଚନରେ ବିଜେପି କଂଗ୍ରେସରୁ ଇସ୍ତଫା ଦେଇଥିବା ୨୫ ଜଣ ବିଧାୟକଙ୍କ ମଧ୍ୟରୁ ୧୯ ଜଣଙ୍କୁ ବିଜେପି ଟିକେଟ୍ ରେ ଜିତାଇବାରେ ସକ୍ଷମ ହୋଇ ସରକାରରେ ସଂଖ୍ୟା ଗରିଷ୍ଠତାକୁ ମଜଭୁତ୍ କରିଥିଲେ ।

ରାଜସ୍ଥାନରେ ବିଜେପିର ମଧ୍ୟପ୍ରଦେଶ କୌଶଳ ଫେଲ୍ : ରାଜସ୍ଥାନରେ ଅଶୋକ ଗେହଲଟ୍ ସରକାର ବି କମଳନାଥଙ୍କ ଭଳି ବିଜେପି ଚକ୍ରବ୍ୟୁହରେ ଫସିବାକୁ ଯାଉଥିଲେ । ଦଳର ଯୁବନେତା ତଥା ରାଜସ୍ଥାନର ପ,ୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ବିଜେପି ପ୍ରରୋଚନାରେ ଗୃହଭେଦି ବିଭିଷଣ ଭଳି କାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲେ । ସେ ତାଙ୍କ ସମର୍ଥିତ ୧୯ ବିଧାୟକଙ୍କ ସହ ହରିଆଣାରେ ଡେରା ପକାଇଥିଲେ । ଗେହଲଟ୍ ଓ ପାଇଲଟଙ୍କ ଭିତରେ ଏଭଳି ଲୁଚକାଳି ଖେଳ ପାଖା ପାଖି ଗୋଟିଏ ମାସ ଦେଖିବାକୁ ମିଳିଥିଲା । ହେଲେ କଂଗ୍ରେସର ବିରିଷ୍ଠ ନେତା ମାନେ ଏହି ବିବାଦ ମଧ୍ୟରେ ହସ୍ତକ୍ଷେପ କରିବା ଦ୍ୱାରା ପାଇଲଟ୍ ପୁଣି ଦଳ ଭିତରକୁ ଫେରିଥିଲେ । ନହେଲେ ମଧ୍ୟପ୍ରଦେଶ ଭଳି ରାଜସ୍ଥାନର କଂଗ୍ରେସ ସରକାରକୁ ବି ହାଇଜାକ୍ କରିବାରେ ସଫଳ ହୋଇଥା’ନ୍ତା ବିଜେପି ।

ଏନଡିଏର ହାତ ଛାଡିଲା ଅକାଳୀଦଳ : ମହାରାଷ୍ଟ୍ରର ଶିବସେନା ପରେ ଏନଡିଏର ସବୁଠାରୁ ପୁରୁଣା ସହଯୋଗୀ ଅକାଳୀ ଦଳ ଚଳିତ ବର୍ଷ ଏନଡିଏ ଠାରୁ ଦୂରେଇ ଯାଇଛି । ସଂସଦରେ କୃଷି ବିଲ୍ କୁ ପାରିତ କରିବା ଭଳି ମୁଦ୍ଦାକୁ ନେଇ ଅକାଳୀ ଦଳ ୨୬ ସେପ୍ଟେମ୍ବର ୨୦୨୦ ରେ ଏନଡିଏ ସହିତ ଥିବା ୨୨ ବର୍ଷର ସଂପର୍କ ଛିନ୍ନ କରିଥିଲା ।

ବିହାର ନିର୍ବାଚନ ପୂର୍ବରୁ ତେଜସ୍ୱୀଙ୍କ ଉଦୟ : ୨୦୧୯ ରେ ହୋଇଥିବା ଲୋକସଭା ନିର୍ବାଚନରେ ବିହାରରେ ଆରଜେଡିର ଲଜ୍ଜାଜନକ ପରାଜୟ ପରେ ଲାଲୁଙ୍କ ପୁଅ ତେଜସ୍ୱୀଙ୍କ ଟାର୍ଗେଟରେ ଥିଲା ବିହାର ବିଧାନସଭା ନିର୍ବାଚନ । ହେଲେ ୨୦୧୯ ଲୋକସଭା ନିର୍ବାଚନ ପରେ ବିଜେପି ଓ ଜେଡିୟୁ ମଧ୍ୟରେ ଥିବା ମେଣ୍ଟ ପୁଣିଥରେ ନିର୍ଦ୍ୱନ୍ଦରେ ବିହାର ବିଧାନସଭା ନିର୍ବାଚନ ଜିତିବ ବୋଲି ହେଉଥିବା ଆକଳନରେ ପୁର୍ଣ୍ଣଛେଦ ପକାଇଥିଲେ ତେଜସ୍ୱୀ । ତେଜସ୍ୱୀଙ୍କ ନିର୍ବାଚନୀ ପ୍ରଚାରର ତରିକା, ପିତା ଲାଲୁ ଯାଦବଙ୍କ ଭଳି ଲୋକଙ୍କ ସହିତ ଯୋଡି ହେବାର କୌଶଳ, ପୁରା ଆକଳନକୁ ବଦଳାଇ ଦେଇଥିଲା । ଆରଜେଡି ୭୫ ଟି ବିଧାନସଭା ଆସନ ଜିତି ବିହାରର ସବୁଠାରୁ ବଡ ରାଜନୈତିକ ଦଳ ଭାବେ ନିଜର ବଳ ଦେଖାଇଛି । ହେଲେ ୨୪୩ ଆସନ ବିଶିଷ୍ଠ ବିହାର ବିଧାନସଭାରେ ଏନଡିଏମେଣ୍ଟ ବହୁମତ ଠାରୁ ମାତ୍ର ୨ ଟି ଆସନ (୧୨୫) ହାସଲ କରି ସରକାର ଗଠନ କରିବାରେ ସଫଳ ହୋଇଛି ।

ଜେ.ପି ନଡ୍ଡା ଦେଲେ ବିଜେପି ଅଧ୍ୟକ୍ଷ : ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହାଙ୍କ ଐତିହାସିକ କାର୍ଯ୍ୟକାଳ ପରେ ବରିଷ୍ଠ ବିଜେପି ନେତା ଜଗତ୍ ପ୍ରକାଶ ନଡ୍ଡାଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଗଲା । ଏପ୍ରିଲ ୬ ୨୦୨୦ ରେ ବିଜେପିର ସ୍ଥାପନା ଦିବସ ଅବସରରେ ଶ୍ରୀ ନଡ୍ଡାଙ୍କୁ ଏହି ପଦରେ ଅବସ୍ଥାପିତ କରାଗଲା । ତାଙ୍କ ନେତୃତ୍ୱରେ ବିଜେପି ବିହାର ନିର୍ବାଚନରେ ଆଶାତିତ ସଫଳତା ପାଇବା ପରେ ଗୁଜୁରାଟ୍, କଣ୍ଣ ର୍ାଟକ, ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଉପନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିଛି ।

୨୩ ଅସନ୍ତୁଷ୍ଟ କଂଗ୍ରେସ ନେତା ଉଠାଇଥିଲେ ପ୍ରଶ୍ନ : ବିଭିନ୍ନ ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳର ୨୩ ଜଣ ବରିଷ୍ଠ ନେତା ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଥିଲେ । ୨୦୨୦ ଅଗଷ୍ଟ ମାସରେ ଗୁଲାମନବୀ ଆଜାଦଙ୍କ ସମେତ ଦଳର ୨୩ ଜଣ ନେତା ଦଳର ନେତୃତ୍ୱଙ୍କୁ ଏକ ଚିଠି ଲେଖିଥିଲେ । ଯାହାଙ୍କ ମଧ୍ୟରେ ଥିଲେ ଆନନ୍ଦ ଶର୍ମା, କପିଲ ଶିବଲ୍, ଶଶି ଥରୁର୍, ମନିଷ ତିୱାରୀ, ଭୂପେନ୍ଦରସିଂ ହୋଡ୍ଡା ।

କୃଷକ ଆନ୍ଦୋଳନ : ୩ ଟି ନୂଆ କୃଷି ଆଇନକୁ ବିରୋଧ କରି ଅକ୍ଟୋବର ମାସ ଶେଷରୁ ପଞ୍ଜାବରୁ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନ ୨୫ ନଭେମ୍ବରରେ ଦିଲ୍ଲୀରେ ପହଂଚି ଯାଇଥିଲା । ଟ୍ରାକ୍ଟର ଓ ଟଲିରେ ହଜାର ହଜାର କୃଷକ ଦିଲ୍ଲୀରେ ପହଂଚିଯାଇଥିଲେ । ପୋଲିସର ପାଣିମାଡ, ଲାଠି ମାଡ ଏସବୁ କିଛି ତାଙ୍କ ଉପରେ ପ୍ରଭାବ ପକାଇ ପାରି ନଥିଲା । ନଭେମ୍ବର ୨୫ ରୁ ଦିଲ୍ଲୀ ଠାରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏପର୍ଯ୍ୟନ୍ତ ଚାଲିଛି ।

ମହାରାଷ୍ଟ୍ରରେ କଂଗ୍ରେସ ଓ ଶିବସେନା ମେଣ୍ଟକୁ ଗୋଟିଏ ବର୍ଷ : ମହାରାଷ୍ଟ୍ରରେ ବିଜେପି ସହିତ ମେଣ୍ଟରେ ସରକାର ଗଠନ କରିଥିବା ଶିବସେନା ନଭେମ୍ବର ୨୦୧୯ ରେ ବିଜେପି ସହିତ ମେଣ୍ଟ ଭାଙ୍ଗି କଂଗ୍ରେସ ଓ ଏନସିପି ସହିତ ମିଳିତ ସରକାର ଗଠନ କରିଥିଲା । ଏହାକୁ ଦେଶର ମେଣ୍ଟ ରାଜନୀତିରେ ଏକ ସ୍ୱତନ୍ତ୍ର ଚେହେରା ବୋଲି କୂୁୂହାଯାଉଛି । ଏହାରି ମଧ୍ୟରେ ମେଣ୍ଟ ସରକାରକୁ ଗୋଟିଏ ବର୍ଷ ପୁରଣ ହୋଇଛି । ଏହା ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ଶିବସେନା ମଧ୍ୟରେ ମତ ପାର୍ଥକ୍ୟ ଦେଖା ଦେଇଥିଲେ ବି ମେଣ୍ଟ ମଜଭୁତ ଥିବା ଭଳି ମନେ ହେଉଛି ।

କଙ୍ଗନା ଓ ଉଦ୍ଧବଙ୍କ ମଧ୍ୟରେ କଥା କଟା କଟି : ଅଭିନେତା ସୁଶାନ୍ତସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ମହାରାଷ୍ଟ୍ରରୁ ବିହାର ପର୍ଯ୍ୟନ୍ତ ରାଜନୀତି ସରଗରମ ହୋଇଥିଲା । ଏହାରି ମଧ୍ୟରେ ଅଭିନେତ୍ରୀ କଙ୍ଗନା ରାଣାୱତ ଓ ମହାରାଷ୍ଟ୍ର ଉଦ୍ଧବ ଠାକରେଙ୍କ ମଧ୍ୟରେ ବାକ୍ ଯୁଦ୍ଦ ସୀମା ଲଙ୍ଘିଥିଲା । ବିଏମସି ପକ୍ଷରୁ କଙ୍ଗନାଙ୍କ ଘର ଭାଙ୍ଗି ଦିଆଯାଇଥିଲା ।