ବିଶ୍ୱର ସବୁଠୁ ମହଙ୍ଗା ବିରିୟାନି । ଗୋଟିଏ ପ୍ଲେଟର ଦାମ୍ ୧୯ ହଜାର ଟଙ୍କା । ବିରିୟାନିରେ ବ୍ୟବହାର ହୋଇଛି ୨୩ କ୍ୟାରେଟ୍ ସୁନା । ଜାଣନ୍ତୁ କେଉଁଠି ମିଳୁଛି ଏହି ସ୍ୱତନ୍ତ୍ର ବିରିୟାନି ।

300

କନକ ବ୍ୟୁରୋ : ବିରିୟାନି । ପ୍ରାୟ ସବୁ ଲୋକଙ୍କର ଏହା ପ୍ରିୟ ଖାଦ୍ୟ । ବଜାରରେ ଆପଣ ଅନେକ ଥର ବିରିୟାନି ଖାଇଥିବେ । ତେବେ ବିରିୟାନିର ଦର ସାଧାରଣତଃ ୧୦୦ ଟଙ୍କାରୁ ୨୦୦ ଟଙ୍କା ଭିତରେ ଥାଏ । ଆଉ ଯଦି ଆପଣ କୌଣସି ବିଳାସପୂର୍ଣ୍ଣ ରେଷ୍ଟ୍ରୁରାଂଟରେ ଖାଉଛନ୍ତି ତେବେ, ଏହାର ଦର ୫୦୦ରୁ ୬୦୦ ଟଙ୍କା ବି ରହିଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ବିରିୟାନି ପ୍ଲେଟ୍ ବିଷୟରେ କହିବୁ, ଯାହାର ଏକ ପ୍ଲେଟର ଦାମ୍ ୧୯ ହଜାର ଟଙ୍କା । ତେବେ ଆସନ୍ତୁ ଜାଣିବା ବିଶ୍ୱର ସବୁଠୁ ମହଙ୍ଗା ବିରିୟାନି ମିଳୁଛି କେଉଁଠି ।

ବିଶ୍ୱର ସବୁଠୁ ମହଙ୍ଗା ବିରିୟାନି । ଏକ ପ୍ଲେଟର ଦାମ୍ ୧୯ ହଜାର ଟଙ୍କା । ଦୁବାଇରେ ଥିବା ବମ୍ବେ ବରୋ ନାମକ ରେଷ୍ଟ୍ରୁରାଂଟ ରୟାଲ ଗୋଲ୍ଡ ବିରିୟାନି ବିକ୍ରି କରି ଚର୍ଚ୍ଚା ସୃଷ୍ଟି କରିଛି । ଯାହାର ଏକ ପ୍ଲେଟର ଦାମ୍ ଭାରତୀୟ ମୁଦ୍ରାରେ ପ୍ରାୟ ୧୯ ହଜାର ଟଙ୍କା । ଏହା ବିଶ୍ୱର ସବୁଠୁ ମହଙ୍ଗା ବିରିୟାନିର ମାନ୍ୟତା ହାସଲ କରିଛି । ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ଏହି ବିରିୟାନିରେ ଏମିତି କଣ ସ୍ୱତନ୍ତ୍ରତା ରହିଛି ଯେ, ଯାହାର ଦର ଏତେ ଅଧିକ । ଆସନ୍ତୁ ଜାଣିବା ଏହି ବିରିୟାନି ପ୍ରସ୍ତୁତ କରିବା ପାଇଁ କ’ଣ କ’ଣ ବ୍ୟବହାର ହୋଇଥାଏ ।

ରୟାଲ ଗୋଲ୍ଡ ବିରିୟାନିରେ ଖାଇବା ଯୋଗ୍ୟ ୨୩ କ୍ୟାରେଟ୍ ସୁନା ବ୍ୟବହାର କରାଯାଇଛି । ବିରିୟାନି ଚାଉଳ, କିମା ଚାଉଳ ଏବଂ ଧଳା ଓ ନାରଙ୍ଗୀ ଚାଉଳ ଭଳି ତିନି ପ୍ରକାରରେ ଏହି ବିରିୟାନି ମିଳୁଛି । ଏହାକୁ ରୋଷ୍ଟେଡ୍ କାଜୁ, ଫ୍ରାଏଡ୍ ପିଆଜ, ବେବି ପଟାଟୋ, ସିଝା ଅଣ୍ଡା, ଡାଳିମ୍ବ, କାଶ୍ମୀରୀ ମେଣ୍ଢା ଶିଖ୍ କବାବ୍, ପୁରୁଣା ଦିଲ୍ଲୀର ମେଣ୍ଢା ଚପ୍, ରାଜପୁଟ ଚିକେନ କବାବ୍, ମୁଗଲାଇ କୋପତା ଓ ମଲାର୍ ଚିକେନ୍ ରୋଷ୍ଟରେ ପ୍ରସ୍ତୁତ କରାଯାଇଛି । ସେହିପରି ଚଟନି ଏବଂ ସସରେ ନିହାରୀ ସଲାନ୍, ଯୋଧପୁରୀ ସଲାନ୍, ବାଦାମ୍ ସସ୍, ବାଦାମ ଏବଂ ଡାଳିମ୍ବ ରାଇତା ରହିଥାଏ । ଏହାକୁ ପ୍ଲେଟରେ ରଖିବା ପରେ ତା ଉପରେ ୨୩ କ୍ୟାରେଟ୍ ସୁନା ପରସ୍ତ ଲଗାଯାଇଥାଏ । ଏହି ସୁନାପରସ୍ତ ଖାଦ୍ୟପଯୋଗୀ ।

ତେବେ ଏହି ବିରିୟାନିକୁ ଏକ ବଡ ସୁନା ଥାଳିରେ ପରସାଯାଇଥାଏ । ଯାହାର ଓଜନ ତିନି କିଲୋଗ୍ରାମ ହୋଇଥାଏ । ତେବେ ଏହି ବିରିୟାନିର ସ୍ୱାଦ ମଧ୍ୟ ନିଆରା । ଲୋକେ ଏହି ବିରିୟାନିକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ।