ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର: ମତଦାନରେ କଲା ରେକର୍ଡ

143

କନକ ବ୍ୟୁରୋ: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇ ରେକର୍ଡ କରିଛନ୍ତି ଭାରତୀୟ । ଭାରତ ଏଥର କେବଳ ଭୋଟ୍ ଦେଇନି, ବରଂ ମତଦାନରେ ନିଆରା ରେକର୍ଡ କରିଛି । ୨୦୨୪ ନିର୍ବାଚନ, ଭାରତକୁ ଐତିହାସିକ ମତଦାନକାରୀ ରାଷ୍ଟ୍ର ହେବାର ପରିଚୟ ଦେଇଛି ।

ଗଣତନ୍ତ୍ର ସେତେବେଳେ ସଫଳ ବୋଲି କୁହାଯାଏ, ଯେତେବେଳେ ପ୍ରତିଟି ନାଗରିକ ଆସି, ଘରୁ ପାଦକାଢ଼ି ଭୋଟ୍ ଦିଅନ୍ତି । ଭାରତ ଏଥର କେବଳ ଭୋଟ୍ ଦେଇନି, ବରଂ ମତଦାନରେ ନିଆରା ରେକର୍ଡ କରିଛି । ଗଣତନ୍ତ୍ରର ଜନନୀ ତଥା ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ଭାରତ ପାଇଁ ୨୦୨୪ ନିର୍ବାଚନ ଏଭଳି କିଛି ସୁଯୋଗ ଆଣିଛି ଯାହା ପ୍ରତିଟି ଭାରତୀୟଙ୍କୁ ଗର୍ବିତ କରିବ । ୨୦୨୪ ନିର୍ବାଚନ, ଭାରତକୁ ଐତିହାସିକ ମତଦାନକାରୀ ରାଷ୍ଟ୍ର ହେବାର ପରିଚୟ ଦେଇଛି । ଚଳିତ ନିର୍ବାଚନରେ ୬୪ କୋଟି ୨୦ ଲକ୍ଷ ଭୋଟର୍ ମତସାବ୍ୟସ୍ତ କରିଛନ୍ତି । ଯାହା ଜି-୭ ଦେଶର ମତଦାତାଙ୍କଠାରୁ ଦେଢ଼ଗୁଣା ଅଧିକ । ୟୁରୋପୀୟ ସଂଘର ୨୭ଟି ଦେଶର ଭୋଟରଙ୍କଠାରୁ ଅଢ଼େଇ ଗୁଣ ଅଧିକ । ଭାରତର ୩୧ କୋଟିରୁ ଅଧିକ ମହିଳା ଭୋଟର୍ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି ।

ଭାରତ ଆଉ ସେଇ ଦେଶ ହୋଇ ରହିନି, ଯେଉଁଠି ନିର୍ବାଚନ ସମୟରେ ମାଓ ହିଂସା ଏକ ଚିନ୍ତା । ଜମ୍ମୁ-କାଶ୍ମୀରରେ ଉଗ୍ରବାଦୀ ହିଂସା ଏକ ସମସ୍ୟା । ୨୦୨୪ ନିର୍ବାଚନ, ଭାରତ ନିଜ ମୁଣ୍ଡରୁ ଏଭଳି ଅନେକ ଅପବାଦକୁ ମୂଳପୋଛ କରିଦେଇଛି । ଝାଡ଼ଖଣ୍ଡ, ଛତିଶଗଡ଼ ଓ ଓଡ଼ିଶା ଭଳି ନକ୍ସଲପ୍ରବଣ ରାଜ୍ୟରେ ମାଓ ହିଂସା ହୋଇନି । ୪ ଦଶନ୍ଧି ମଧ୍ୟରେ ଜମ୍ମୁ-କାଶ୍ମୀରରେ ସର୍ବାଧିକ ମତଦାନ ହୋଇଛି । ଚଳିତ ଲୋକସଭା ନିର୍ବାଚନରେ ରି-ପୁଲିଂର ଆବଶ୍ୟକତା କମିଛି । ୨୭ଟି ରାଜ୍ୟର କୌଣସି ମଧ୍ୟ ବୁଥରେ ପୁନଃ ମତଦାନ ହୋଇନି । ୨୦୨୯ରେ ଯେଉଁଠି ୫୪୦ ସ୍ଥାନରେ ରି-ପୁଲିଂ ହୋଇଥିଲା । ୨୦୨୪ରେ ମାତ୍ର ୩୯ ବୁଥରେ ସାନି ମତଦାନ ହୋଇଛି ।

ଶୃଙ୍ଖଳିତ ନିର୍ବାଚନ ପରିଚାଳନା ଦୃଷ୍ଟିରୁ ଓଡ଼ିଶାର ସଫଳତାରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି । ଚଳିତଥର ମାଓ ଅଂଚଳରେ ବିନା ହିଂସାରେ ସମ୍ପର୍ଣ୍ଣ ହୋଇଛି ନିର୍ବାଚନ । ନିର୍ବାଚନ ଆରମ୍ଭରୁ ଫଳାଫଳ ବାହାରିବା ପର୍ଯ୍ୟନ୍ତ ନିର୍ବାଚନ ସୁରୁଖୁରୁରେ ପରିଚାଳନା ପାଇଁ ପୁଲିସ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିଥିବା କହିଛନ୍ତି ଡିଜିପି । ସମୟ ଗଡୁଛି, ଅଭିଜ୍ଞତା ବଢ଼ୁଛି । ଆଉ ଅଭିଜ୍ଞତା ବଢ଼ିବା ସହ ଆହୁରି ପରିପକ୍ୱ ହୋଇଛି ଭାରତୀୟ ଗଣତନ୍ତ୍ର । ପରିପକ୍ୱତାର ପାହାଚରେ ଆଉ ଏକ ଶୀଢ଼ି ଯୋଡ଼ି ଦେଇଛି ୨୦୨୪ ନିର୍ବାଚନ ।