ଆମେରିକା ଆକାଶରେ ଉଡିଲା ସବୁଠାରୁ ବଡ ଉଡାଜାହାଜ ‘ଷ୍ଟ୍ରାଟୋଲଂଚ’ ଏୟାରକ୍ରାଫ୍ଟ

ବର୍ଷ ବର୍ଷର ପ୍ରତୀକ୍ଷା ପରେ ପ୍ରଥମ ଥର ପାଇଁ ଆକାଶରେ ଉଡିଛି ବିଶ୍ୱର ସବୁଠୁ ବଡ଼ ଉଡାଜାହାଜ

353

କନକ ବ୍ୟୁରୋ : ବର୍ଷ ବର୍ଷର ପ୍ରତୀକ୍ଷା ପରେ ପ୍ରଥମ ଥର ପାଇଁ ଆକାଶରେ ଉଡିଛି ବିଶ୍ୱର ସବୁଠୁ ବଡ଼ ଉଡାଜାହାଜ । ଆମେରିକାର ଲସ୍ ଆଂଜେଲସ ଆକାଶରେ ପରୀକ୍ଷାମୂଳକ ଭାବେ ଉଡିଛି ‘ଷ୍ଟ୍ରାଟୋଲଂଚ’ ଏୟାରକ୍ରାଫ୍ଟ । ୬ଟି ଇଂଜିନ୍ ବିଶିଷ୍ଟ ଏହି ବିମାନର ଡେଣାର ଆକାର ୩୮୫ ଫୁଟ, ଯାହା ଏକ ଫୁଟବଲ ପଡ଼ିଆ ଆକାର ସହ ସମାନ ବୋଲି କୁହାଯାଉଛି । ଏୟାରକ୍ରାଫ୍ଟର ଲମ୍ବ ୨୩୮ ଫୁଟ, ଓଜନ ୨୨୬ ଟନ୍ରୁ ଅଧିକ । ଏଥିରେ ଦୁଇଟି କକଫିଟ ମଧ୍ୟ ରହିଛି ।

ମାକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ପଲ୍ ଆଲେନଙ୍କ ‘ଷ୍ଟ୍ରାଟୋଲଂଚ ସିଷ୍ଟମ୍ସ’ କଂପାନୀ ୨୦୧୧ ମସିହାରେ ଏହି ବିମାନର ବିକାଶ କାର୍ଯ୍ୟରେ ଲାଗିଥିଲା । ଏହି ଏୟାରକ୍ରାଫ୍ଟ ଉଡନ୍ତା ଲଂଚ ପ୍ୟାଡ୍ ଭାବେ କାମ କରିବ । ବିଶେଷ କରି ପୃଥିବୀର ନିମ୍ନ କକ୍ଷରେ ସାଟେଲାଇଟ୍ ପ୍ରକ୍ଷେପଣ କରିବା ଉଦ୍ଦେଶ୍ୟରେ ଏହାକୁ ନିର୍ମାଣ କରାଯାଇଛି । ନାସାର ମହାକାଶ ଗବେଷଣାରେ ମଧ୍ୟ ଏହା ସହାୟକ ହେବ । ସାମରିକ ଓ ଘରୋଇ କଂପାନୀଗୁଡିକ ପାଇଁ କାମ କରିବ ଏହି ମେଗା ଜେଟ୍ ।