କନକ ବ୍ୟୁରୋ: ବିଶ୍ୱ ଦେଖିଲା ଭାରତର ସ୍ୱଦେଶୀ ଯୁଦ୍ଧାସ୍ତ୍ରର ଦମ । ଭାରତର ୭୪ତମ ସାଧାରଣତନ୍ତ୍ର ଦିବସରେ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଶସ୍ତ୍ର ବଳ ଶକ୍ତି ପ୍ରଦର୍ଶନ କରିଛନ୍ତି । ଆକାଶ ମିଜାଇଲ, ମଡ୍ୟୁଲାର ବ୍ରିଜ, ଟୋ ଗନ୍, ୟୁଟିଲିଟି ହେଲିକପ୍ଟର, ଇଲେକ୍ଟ୍ରୋନିକ୍ସ ଯୁଦ୍ଧ ପ୍ରଣାଳୀ ଏବଂ ଭୁପୃଷ୍ଠରୁ ଆକାଶମାର୍ଗକୁ ମିଜାଇଲ କୌଶଳ ଦେଖିଛି ବିଶ୍ୱ । ସେହିପରି ମିଗ୍-୨୯, ଏଲଚିଏଚ ପ୍ରଚଣ୍ଡ, ଆପାଚି, ସାରଙ୍ଗ, ସି-୧୩୦ର କୌଶଳ ସାଙ୍ଗକୁି ରାଫେଲ, ସୁଖୋଇ- ୩୦, ଜାଗୁଆର ଭଳି ବିମାନ ଆକାଶମାର୍ଗରେ ଦେଖାଇଥିଲେ ପରାକ୍ରମ ।
ମେକ୍ ଇନ୍ ଇଣ୍ଡିଆକୁ ଦୃଷ୍ଟିରେ ରଖି ଏଥର ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ୨୧ ତୋପ ସଲାମୀ ଭାରତରେ ନିର୍ମିତ ବ୍ୟାରେଲରେ ଦିଆଯାଇଛି । ଏହି ତୋପର ନିର୍ମାଣ ଏବଂ ଉତ୍ପାଦନ ଭାରତରେ ହୋଇଛି । ଭାରତରେ ପ୍ରସ୍ତୁତ ୧୦୫ ମିମି ଇଣ୍ଡିଆନ୍ ଫିଲ୍ଡ ଗନ୍ରେ ଦିଆଯାଇଛି ୨୧ ତୋପ ସଲାମୀ । ପୂର୍ବରୁ ବ୍ରିଟିଶ ଅମଳର ୨୫ ପାଉଣ୍ଡର ଆର୍ଟିଲେରୀର ବ୍ୟବହୃତ ହେଉଥିଲା ।
ସାଧାରଣତନ୍ତ୍ର ଦିବସର ଅନ୍ୟତମ ଆକର୍ଷଣ ଥିଲା ‘ରାଫେଲ୍’ ଫାଇଟର ଜେଟ୍ । ଆକାଶ ମାର୍ଗରେ ଉଡ଼ାଣ ଭରିବା ସମୟର ଦୃଶ୍ୟ ଥିଲା ବେଶ ନିଆରା । ଲାଗୁଥିଲା ଯେପରି ଆକାଶକୁ ଚିରି ପକ୍ଷୀ ଭଳି ଉଡ଼ୁଛି ଏହି ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନ । ରନୱେରୁ ସିଧା ୯୦ ଡିଗ୍ରୀ ଆଙ୍ଗେଲରେ ସିଧା ଆକାଶମାର୍ଗକୁ ଉଡ଼ାଣ ଭରିଥିଲା । ପକ୍ଷୀ ଟିଏ ଯେପରି ଖୋଲା ଆକାଶରେ ଡେଲା ମେଲାଇ ତା’ର ଦିଗ ପରିବର୍ତନ କରିଥାଏ, ଠିକ୍ ସେହିପରି ଥିଲା ଆକାଶମାର୍ଗରେ ରାଫେଲର ଦୃଶ୍ୟ ।
୭୫ ଆର୍ମଡ୍ ରେଜିମେଣ୍ଟର ‘ଅର୍ଜୁନ’ର ନେତୃତ୍ୱ ନେଇଥିଲେ କ୍ୟାପଟେନ୍ ଅମନଜିତ ସିଂ । ଏମବିଟି ଅର୍ଜୁନ ଡିଆରଡିଓ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କରାଯାଇଥିବା ତୃତୀୟ ପିଢିର ମୁଖ୍ୟ ଯୁଦ୍ଧ ଟ୍ୟାଙ୍କ ।
ଲେଫନାଣ୍ଟ ସିଦ୍ଧାର୍ଥ ତ୍ୟାଗିଙ୍କ ନେତୃତ୍ୱରେ ୧୭ ମେକାନାଇଜଡ୍ ଇନଫାଣ୍ଟ୍ରି ରେଜିମେଣ୍ଟର ଏନଏଜି ବା ନାଗ୍ ମିଜାଇଲ ସିଷ୍ଟମ ଦେଖାଇଛି ପରାକ୍ରମ । ଡିଆରଡିଓ ଦ୍ୱାରା ନିର୍ମିତ ଏହି ନାଗ ହେଉଛି ଏକ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିଜାଇଲ । ଏଥିରେ ଏକ ଟ୍ରାକ୍ଡ ଆର୍ମଡ ଫାଇଟିଂ ଭେଇକିଲ ରହିଛି, ଯେଉଁଥିରେ କ୍ରୁ ଲେସ ଟର୍ଟ ରହିଛି ।
ଲେଫ୍ଟନାଂଟ ପ୍ରଜ୍ୱଳ କଲାଙ୍କ ନେତୃତ୍ୱରେ ୮୬୧ ମିଜାଇଲ ରେଜିମେଂଟ ବ୍ରହ୍ମୋସ କର୍ତବ୍ୟପଥରେ ଦେଖାଇଛି ପରାକ୍ରମ । ବ୍ରହ୍ମୋସ ଏକ ସୁପରସୋନିକ କ୍ରୁଜ ମିଜାଇଲ, ଯାହାର ରେଞ୍ଜ ୪୦୦ କିଲୋମିଟର ଯାଏଁ ରହିଛି ।
‘ଆକାଶ’ ଯୁଦ୍ଧାସ୍ତ୍ର ସିଷ୍ଟମ ପ୍ରଥମ ସ୍ୱଦେଶୀ ବିକଶିତ ବାୟୁରକ୍ଷା ପ୍ରଣାଳୀ, ଯାହା ଶତ୍ରୁର ବିମାନ ପ୍ଲାଟଫର୍ମ ବିରୋଧରେ ସର୍ଟ ରେଞ୍ଜ ସରଫେସ୍ ଟୁ ଏୟାର ମିଜାଇଲ ଫାୟର କରିବାରେ ସକ୍ଷମ । ‘ଆକାଶ’ରେ ଦୁଇଟି ଧ୍ରୁବ ହେଲିକପ୍ଟର ଏବଂ ଦୁଇଟି ରୁଦ୍ର ହେଲିକପ୍ଟର ଅସ୍ତ୍ରଶସ୍ତ୍ର ସହ ଶକ୍ତି ପ୍ରଦର୍ଶନ କରିଛି ।
ଦିଲ୍ଲୀର କର୍ତବ୍ୟ ପଥରେ ତିନି ସେନା ତଥା ସ୍ଥଳ, ବାୟୁ ଓ ନୌସେନା ଶକ୍ତି ଦେଖାଇଥିଲା । ତେବେ ଏହାରି ଭିତରେ ମୁକ୍ୟ ଆକର୍ଷଣ ଥିଲା ‘ଆଇଏଲ-୩୮’ । ନୌସେନାର ଏହି ପୁରୁଣା ଜାହାଜ ଆଇଏଲ୍-୩୮ ପ୍ରଥମ ଓ ଶେଷଥର ପାଇଁ ଫ୍ଲାଇପାଷ୍ଟ କରିଥିଲା ।
ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରତିବର୍ଷ ଫ୍ଲାଇପାଷ୍ଟ ମୁଖ୍ୟ ଆକର୍ଷଣର କେନ୍ଦ୍ର ହୋଇଥାଏ । ସେହିପରି ପରେଡରେ ନେତୃତ୍ୱ ନେଇଥିଲେ ଦ୍ୱିତୀୟ ପିଢ଼ିର ସେନା ଅଧିକାରୀ ତଥା ପରେଡ୍ କମାଣ୍ଡର ଲେଫ୍ଟନାଂଟ ଜେନେରାଲ ଧୀରଜ ସେଠ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/23-21.jpg)