କନକ ବ୍ୟୁରୋ: ଆଉ ୩ ଦିନ ବଢିଲା ବିଶ୍ୱ ଓଡିଆ ଭାଷା ସମ୍ମିଳନୀ । ଭୁବନେଶ୍ୱରର ଜନତା ମୈଦାନରେ ଶନିବାରଠାରୁ ଏହି ସମ୍ମିଳନୀ ଆରମ୍ଭ ହୋଇଥିଲା । ଏହା ଆଜି ସରିବାର ଥିଲେ ବି ଏହାକୁ ଆଉ ୩ ଦିନ ବଢାଇବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଣିକି ପ୍ରତି ୫ ବର୍ଷରେ ଥରେ ଏହି ବିଶ୍ୱ ଓଡିଆ ଭାଷା ସମ୍ମିଳନୀ କରାଯିବ । ସାରା ବିଶ୍ୱରେ ଓଡ଼ିଆ ଭାଷାର ପ୍ରଚାର-ପ୍ରସାର, ସଂରକ୍ଷଣ ଏବଂ ଓଡ଼ିଆ ଭାଷା ପ୍ରୀତି ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏଭଳି ସମ୍ମିଳନୀର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଏଥିରେ ଅନ୍ତର୍ଜାତୀୟସ୍ତରର ଭାଷାବିତ୍, ଲେଖକ, ସାହିତ୍ୟିକ, ବୁଦ୍ଧିଜୀବୀ, ଭାଷା ପ୍ରେମୀ ଯୋଗ ଦେଇଛନ୍ତି । ଦେଶ ବିଦେଶରୁ ୧୦୦ରୁ ଅଧିକ ଭାଷାବିତ୍ ସମ୍ମିଳନୀରେ ସାମିଲ୍ ହୋଇଛନ୍ତି । ଭାଷା ସମ୍ମିଳନୀରେ ଶୋଭା ପାଉଛି ଓଡିଆ ଭାଷାର ଅସ୍ମିତା । ଅ, ଠାରୁ ଆରମ୍ଭ କରି ଲ ପର୍ଯ୍ୟନ୍ତ ଅକ୍ଷର, ଓଡିଆ ଭାଷାର ପରିଚୟ ଦେଉଛି । ଅତୀତ, ବର୍ତମାନ ଓ ଭବିଷ୍ୟତକୁ ଦର୍ଶାଉଛି । ଓଡିଆ ଭାଷା ଏବଂ ଲିପିର ଉତ୍ପତି ଓ ବିବର୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର, ପୋଥି,କଳିଙ୍ଗଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତିଗୁଡିକର ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହୋଇଛି ।