କନକ ବ୍ୟୁରୋ: ପୁରୀ ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାମ । ତିନି ରଥର ଚକ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପରମ୍ପରା ଅନୁସାରେ ଆଜି ଭଉଁରି ତିଥିରେ ଚକ ଓ ଅଖ ଡେରା ନୀତି ପରେ ନିର୍ମାଣ ସରିଥିବା ଚକଗୁଡ଼ିକୁ ବିଧି ଅନୁସାରେ ବାହାରକୁ ନିର୍ଦ୍ଦିଷ୍ଟ ସ୍ଥାନକୁ ଅଣାଯିବ । ଏହାପୂର୍ବରୁ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ତତ୍ୱାବଧାନରେ ଭୋଇ ସେବକମାନେ ୩ଟି ଲେଖାଏଁ ତୁମ୍ବରେ ଅର ସଂଯୋଗ ପୂର୍ବକ ଯନ୍ତାଗାଡ଼ଠାରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ କରି ଅଖବିନ୍ଧ ପାଇଁ ରଥଚାଳିକୁ ଯୋଗାଇ ଦେଇଥିଲେ । ଗତକାଲି ସିଙ୍ଗଡ଼ା ବାଡ଼ିଆ ସରିଥିବା ତୁମ୍ବଗୁଡ଼ିକରେ ବିନ୍ଧ କାରିଗରଙ୍କ ଦ୍ୱାରା ଅଖବିନ୍ଧ ହୋଇଛି ।
ତିନି ରଥର ମହାରଣା ସେବକମାନେ ମାପ ପ୍ରକାରେ ବଳକା ଅର କଟିଂ ତଥା ସାଲ କାର୍ଯ୍ୟ ଶେଷ କରିଛନ୍ତି । ମହାରଣା ସେବକମାନେ ଚକ ପ୍ରସ୍ତୁତ ପାଇଁ ୮ଟି ଲେଖାଏଁ ପଇ ବିନ୍ଧ ଶେଷ କଲା ପରେ ତିନି ରଥର ସିଙ୍ଗଡ଼ାରେ ପଇ ସଂଯୋଗ ଶେଷ କରିଛନ୍ତି । ପଇରେ ବିଲେଇ ବାଡ଼ିଆ ହୋଇ ପଇ କଳସା ଜାରି ରହିଛି । ରଥ ଖଳାରେ ସ୍ଥାନାଭାବ ଯୋଗୁଁ ଅଧିକ ଚକ ନିର୍ମାଣ କରି ରଖିବା ସମ୍ଭବ ହେଉନଥିବାରୁ ଉପଯୁକ୍ତ ସ୍ଥାନ ଖୋଜା ଚାଲିଛି ।