ଖରାରେ ଖଟୁଛନ୍ତି ଶ୍ରମିକ । ନିୟମକୁ ଖାତିର ନକରି ପ୍ରଚଣ୍ଡ ଖରାରେ ଚାଲିଛି ନିର୍ମାଣ କାମ ।

72

କନକ ବ୍ୟୁରୋ: ତାତି କରୁଛି କଲବଲ । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ବାହାରକୁ ବାହାରିବାକୁ ମନା କରିଛନ୍ତି ରାଜ୍ୟ ସରକାର । ଏହାସହ ଖରାରେ ବାହାରେ କାମ କରିବା ନେଇ କଟକଣା ମଧ୍ୟ ଜାରି କରିଛନ୍ତି । ହେଲେ କଟକଣାକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଉଛି । ଖରାରେ କୋଠା ନିର୍ମାଣ କାମରେ ନିୟୋଜିତ ହୋଇଛନ୍ତି ଶ୍ରମିକ ।

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଖରା ତ ନୁହେଁ ଆକାଶରୁ ନିଆଁ ବର୍ଷୁଛି । ପ୍ରଚଣ୍ଡ ଖରାକୁ ଆଖିରେ ରଖି ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ କାମ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ କେହି ମାନୁ ନାହାନ୍ତି ।

ଉପାନ୍ତ ଅଂଚଳ କଥା ଛାଡନ୍ତୁ ରାଜଧାନୀରେ ଖୋଲାଖୋଲି ନିୟମର ଉଲ୍ଲଂଘନ ହେଉଛି । ଭୁବନେଶ୍ୱରର ବହୁ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ କୋଠା ନିର୍ମାଣ ଚାଲିଥିବାବେଳେ ନିୟମକୁ ଉଲଂଘନ କରାଯାଇଛି । ଏସବୁର ରିଏଲିଟି ଚେକ କରିଛି କନକ ନ୍ୟୁଜ ।

କନକ ନ୍ୟୁଜ କ୍ୟାମେରାରେ କଏଦ ହୋଇଛି ଧୁ ଧୁ ଖରାରେ ଶ୍ରମିକ କାମ କରୁଥିବାର ଦୃଶ୍ୟ ।
ପୋଲିସ ରିଜର୍ଭ ପରିସରରେ ଦୁଇଟି କୋଠା ନିର୍ମାଣ ଚାଲିଛି । ପ୍ରଚଣ୍ଡ ଖରାରେ ଛାତ ଉପରେ ଶ୍ରମିକ କାମ କରୁଛନ୍ତି । କଳିଙ୍ଗ ଷ୍ଟାଡିୟମରେ ଏ ହେଉଛି ବ୍ୟାଡମିଂଟନ ହାଇପରଫରମେନ୍ସ ସେଂଟର । ମୁଣ୍ଡ ଉପରକୁ ସୂର୍ଯ୍ୟ ଆସିଥିଲେ ବି କାମ ଚାଲିଛି ।

ଭୁବନେଶ୍ୱର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଂଟ ପରିସରରେ ୧୨ଟା ୩୦ ଟପିବା ସତ୍ୱେ କୋଠା ନିର୍ମାଣ କାମ ଜାରି ରହିଛି ।

ଦିନ ୧୧ଟାରୁ ଅପରାହ୍ଣ ୩ଟା ଯାଏଁ ଶ୍ରମିକଙ୍କ କାମ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏପରି କି ଏହାର ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନର କଥା ମଧ୍ୟ କହିଛନ୍ତି । ହେଲେ ରାଜଧାନୀରେ ଅର୍ଥାତ୍ ରାଜ୍ୟ ସରକାରଙ୍କ ନାକତଳେ ସରକାରୀ ନିୟକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି ।