କନକ ବ୍ୟୁରୋ : ଯାଞ୍ଚ ହେବ ଟାଟା ପାୱାରର କାର୍ଯ୍ୟ । ରାଜ୍ୟରେ ବିଦ୍ୟୁତ ସେବା ଯୋଗାଣ କ୍ଷେତ୍ରରେ ଅବ୍ୟବସ୍ଥାର ଚିତ୍ର ସବୁବେଳେ ସାମ୍ନାକୁ ଆସୁଛି । ଆସନ୍ତାବର୍ଷ ନିର୍ବାଚନ ଥିବାବେଳେ ଏହା ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏପରି ସମୟରେ ଆବଣ୍ଟନ କମ୍ପାନୀର କାର୍ଯ୍ୟ ସମୀକ୍ଷା କରିବା ଲାଗି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ବା ଓଇଆରସି ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ସମୀକ୍ଷା କରାଯିବ ବିତରଣ କମ୍ପାନୀର କାର୍ଯ୍ୟଧାରା । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ପକ୍ଷରୁ କୁହାଯାଇଛି ୨୦୨୦ ପରଠାରୁ ଓଡ଼ିଶାର ୪ଟି ବିଦ୍ୟୁତ ବିତରଣ କମ୍ପାନୀର ୫୧ପ୍ରତିଶତ ଅଂଶଧନ ଟାଟା ପାୱାରକୁ ପର୍ଯ୍ୟାୟକ୍ରମେ ହସ୍ତାନ୍ତର ହୋଇଛି ।

Advertisment

ନିଷ୍ପତ୍ତି ମୁତାବକ, ସେମାନେ ଅଧିଗ୍ରହଣ କରିବା ଦିନଠାରୁ ୫ବର୍ଷ ମଧ୍ୟରେ ବିଦ୍ୟୁତ ଭିତିଭୂମିର ବିକାଶ ପାଇଁ ଅର୍ଥ ବିନିଯୋଗ କରିବା କଥା । ଏହାଦ୍ୱାରା ବିଦ୍ୟୁତ ଉପଭୋକ୍ତାମାନେ ଉନ୍ନତମାନର ସେବା ପାଇବେ । ଏଯାଏଁ ବିଦ୍ୟୁତ ବିତରଣ କମ୍ପାନୀମାନେ ଆବଶ୍ୟକ କରୁଥିବା ୫ହଜାର ୬୪୦କୋଟି ଟଙ୍କାରୁ ୧୯ଶହ ୯କୋଟି ୩ଲକ୍ଷ ଟଙ୍କା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବିନିଯୋଗ ହୋଇଛି । ଏସବୁ ଅର୍ଥ ଭିତିଭୂମିର ବିକାଶ ପାଇଁ ଖର୍ଚ୍ଚ ହାଇଛି । ଅନ୍ୟପକ୍ଷରେ ସର୍ତ ଅନୁସାରେ ବିତରଣ କମ୍ପାନୀମାନେ ଏକ ନିର୍ଦ୍ଦିଷ୍ଟ ହାରରେ ସେମାନଙ୍କର ବିତରଣ ଜନିତ କ୍ଷତି କମାଇବା କଥା । ଯାହା ଆଖିଦୃଶିଆ ନୁହଁ ଏବଂ ବିଦ୍ୟୁତ ଦର ବୃଦ୍ଧି ପଛରେ ଏହା ଏକ ମୁଖ୍ୟ କାରଣ ହୋଇପାରେ ।

ଏଣୁ ବିତରଣ କମ୍ପାନୀମାନେ ଏସବୁ ବଂଟନ ଜନିତ କ୍ଷତି କେତେ ପରିମାଣରେ ହ୍ରାସ କରିଛନ୍ତି ସେ ସମ୍ପର୍କରେ ଆୟୋଗ ତନାଘନା କରିବ । କେବଳ ଏତିକି ନୁହେଁ ବିଦ୍ୟୁତ ବିତରଣ କମ୍ପାନୀମାନେ ଆୟୋଗ ଅନୁମୋଦନ କରିଥିବା ଅର୍ଥକୁ କିଭଳି ବିନିଯୋଗ କରିଛନ୍ତି ସେ ସମ୍ପର୍କରେ ସମୀକ୍ଷା କରିବା ଲାଗି ତୃତୀୟ ପକ୍ଷଦ୍ୱାରା ଅଡିଟ କରାଯିବ । ଏହି ଅଡିଟ ରିପୋର୍ଟ ଆସିଲେ ଆୟୋଗ ତାର ସମୀକ୍ଷା କରିବେ । ଏହା ବ୍ୟତୀତ ଆୟୋଗ ତାଙ୍କର ବରିଷ୍ଠ ଅଧିକାରୀଙ୍କୁ ବିତରଣ କମ୍ପାନୀକୁ ପ୍ରତି ମାସ ପଠାଇବେ । ସେମାନେ କମ୍ପାନୀ ଗୁଡିକର କାର୍ଯ୍ୟଧାରା ଓ ଉପଭୋକ୍ତାଙ୍କୁ ଦିଆଯାଉଥିବା ସେବାର ସମୀକ୍ଷା କରିବା ସହ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।