ନାବାଳିକା ଗଣଦୁଷ୍କର୍ମ ମାମଲାରେ ମହିଳା କମିଶନଙ୍କ ପ୍ରତିକ୍ରିୟା : ଚ୍ୟାନେଲର ଏମଡିଙ୍କୁ ନୋଟିସ ଜାରି ହୋଇଛି, ହାଜର ନହେଲେ କାର୍ଯ୍ୟାନୁଷ୍ଠାନ : ସେପଟେ ମହିଳା ଥାନାରେ ହାଜର ହେଲେ ବରିଷ୍ଠ କର୍ମଚାରୀ

273

କନକ ବ୍ୟୁରୋ : ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗରେ ସଂପୃକ୍ତ ଚ୍ୟାନେଲର ଜଣେ ବରିଷ୍ଠ କର୍ମଚାରୀ ଆଜି ମହିଳା ଥାନାରେ ହାଜର ହୋଇଛନ୍ତି । ପୁଲିସ ଏଥିପାଇଁ ନୋଟିସ ଜାରି କରିଥିଲା । ତଦନ୍ତରେ ପୁଲିସକୁ ସମସ୍ତ ପ୍ରକାରର ସହାୟତା କରାଯାଉଛି ବୋଲି ସଂପୃକ୍ତ ଚ୍ୟାନେଲ ପକ୍ଷରୁ କୁହାଯାଇଛି ।

ସେପଟେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ମହିଳା କମିଶନ ଅଧ୍ୟକ୍ଷା । ସେ କହିଛନ୍ତି, ପୀଡିତାଙ୍କ ମାଙ୍କ ଅଭିଯୋଗ ଅନୁସାରେ ସଂପୃକ୍ତ ଘରୋଇ ଚ୍ୟାନେଲରେ ଏମଡିକୁ ନୋଟିସ ଜାରି କରାଯାଇଛି । ପୀଡିତାଙ୍କ ମା ଦେଇଥିବା ଅଡିଓ କ୍ଲିପରେ ପୀଡିତାଙ୍କ ମା ଓ ଏମଡିଙ୍କ ମଧ୍ୟରେ ବାର୍ତାଳାପ ହୋଇଥିଲା । ୨୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନୋଟିସ ହୋଇଛି । ସେ ହାଜର ନ ହେଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।

ସେପଟେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ରାଜ୍ୟ ପ୍ରୋଗ୍ରେସିଭ ଓମେନ ଫୋରମ । ଫୋରମ ଅଭିଯୋଗ କରିଛି, ସଂପୃକ୍ତ ଚ୍ୟାନେଲର ଏମଡି କେଉଁ ଆଧାରରେ ଦୁଷ୍କର୍ମ ହୋଇଥିବା ପୀଡିତାଙ୍କ ମାଙ୍କୁ ପ୍ରମାଣ ମାଗିଛନ୍ତି । ପୋକ୍ସ ଆକ୍ଟ ଆଧାରରେ ତାଙ୍କୁ ଗିରଫ କରାଯାଉ । ଜାଣିଶୁଣି ସେ ଘଟଣାକୁ ଚପାଇଦେବାକୁ ଉଦ୍ୟମ କରିଛନ୍ତି ବୋଲି ଫୋରମ ଅଭିଯୋଗ କରିଛି । କାର୍ଯ୍ୟାନୁଷ୍ଠାନ ନହେଲେ ଫୋରମ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।