ବାଉଁଶରେ ଗହଣା ଓ ବିଭିନ୍ନ ପ୍ରକାରର ଘରସଜା ଜିନିଷ ତିଆରି କରୁଛନ୍ତି ସୋର ଅଞ୍ଚଳର ମହିଳା। ବଜାରରେ ବଢ଼ୁଛି ସାମଗ୍ରୀର ଚାହିଦା ।

123

କନକ ବ୍ୟୁରୋ: ବାଉଁଶରେ ସୋଫା, ଘର, ପଶୁ ପକ୍ଷୀ ଓ ଗହଣା ଭଳି ସୁକ୍ଷ୍ମ କାରିଗରୀ । ଫୁଲତୋଡ଼ା, ପେନ୍ ଷ୍ଟାଣ୍ଡ, ଫୁଲଦାନୀ, ମୟୂର, ଗଣେଶ, ଜଗନ୍ନାଥଙ୍କ ପ୍ରତିମୂର୍ତି ଭଳି ସୁନ୍ଦର ସୁନ୍ଦର ଘରସଜା ଜିନିଷ ତିଆରି କରୁଛନ୍ତି ବାଲେଶ୍ୱର ସିମୁଳିଆ ବ୍ଳକ ଜାମ୍ମୁଝାଡ଼ିର ମହିଳା । ମହିଳାମାନଙ୍କ ହାତ ତିଆରି ଏହି ଜିନିଷ ଗୁଡ଼ିକ ବିଭିନ୍ନ ମେଳା ମହୋତ୍ସବରେ ପ୍ରଦର୍ଶନୀ କରାଯାଉଛି । ଏଥିପାଇଁ ସେମାନେ ଆନକ ସ୍ଥାନରେ ପୁରସ୍କୃତ ମଧ୍ୟ ହୋଇଛନ୍ତି । ବାଉଁଶ ଓ ବେତରେ ତିଆରି ଏହି ସବୁ ସାମଗ୍ରୀ ଗୁଡ଼ିକ ପୂର୍ବରୁ ବିଭିନ୍ନ ମେଳା ମହୋତ୍ସବରେ ବିକ୍ରି କରାଯାଉଥିବା ବେଳେ ଏବେ ଏହାର ଚାହିଦା ବଢ଼ିଛି । ତାଙ୍କ ନିକଟକୁ ଜିନିଷ କିଣିବାକୁ ଅର୍ଡର ମିଳୁଛି । ଫାଇଭ-ଟି ସ୍କୁଲ ଗୁଡ଼ିକରେ ଡଷ୍ଟବିନ୍ ତିଆରି ପାଇଁ ଅନୁମତି ମିଳିଥିବାରୁ ସେଗୁଡ଼ିକୁ ତିଆରି ପାଇଁ ଲାଗିପଡ଼ିଛନ୍ତି ମହିଳା ।

୨୫ ବର୍ଷ ଧରି ଏହି ବୃତ୍ତିକୁ ଜୀବନର ବ୍ରତ କରିଛନ୍ତି ସରୋଜିନୀ । ସେ ହ୍ୟାଣ୍ଡକ୍ରାପ୍ଟ କର୍ଟେଜ ଇଣ୍ଡଷ୍ଟ୍ରିରେ ଦୁଇ ବର୍ଷ ବେତ ଓ ବାଉଁଶ କାରିଗରୀ ଶିକ୍ଷାଲାଭ କରିଛନ୍ତି । ତ୍ରିପୁରାରେ ମଧ୍ୟ ଏଥିପାଇଁ କିଛି କୋର୍ସ କରିଛନ୍ତି । ଗାଁ ମାଟିରୁ ମିଳୁଥିବା ଉପାଦାନକୁ ନେଇ ୨୦ରୁ ୨୫ଜଣ ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । କଞ୍ଚାମାଲ ଭାବେ ବାଉଁଶକୁ ମୟୂରଭଞ୍ଜ, ଦିଘା ଅଂଚଳରୁ ସଂଗ୍ରହ କରି ତାକୁ ସିଝାଇବା ପରେ ସେଥିରୁ ଏହି ସବୁ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି ।

ସୁନା ଗହଣା ଅପେକ୍ଷା ଏବେ ମହିଳାମାନେ ବାଉଁଶ ଗହଣା ପିନ୍ଧିବାକୁ ଭଲ ପାଉଛନ୍ତି । ତେଣୁ ବାଉଁଶକୁ ମେସିନ୍ ସାହାଯ୍ୟରେ କାଟି ସେଥିରୁ ନେକଲେସ୍, ମଙ୍ଗଳସୁତ୍ର, ବ୍ୟାଙ୍ଗଲନ୍ସ ଭଳି ଗହଣା ତିଆରି କରୁଛନ୍ତି । ଯାହା ଗ୍ରାହକଙ୍କୁ ବେଶ ପସନ୍ଦ ଆସୁଛି ।