ମାସ୍କ ପିନ୍ଧି ନ ଥିଲେ ବୋଲି…ପୁଲିସ ଠେଙ୍ଗାରେ ମହିଳାଙ୍କ ଫାଟିଲା ମୁଣ୍ଡ; ଦୀର୍ଘ ସମୟ ଧରି ରାସ୍ତାରୋକ

403

କନକ ବ୍ୟୁରୋ : କଟକ ଜିଲ୍ଲା ଓଲଟପୁର ଥାନା ଅଧୀନ ଅଡ଼ଶପୁର ବଜାରରେ ପୁଲିସର ମାସ୍କ ଚେକିଂ ସମୟରେ ଲଙ୍କାକାଣ୍ଡ । ମାସ୍କ ଚେକିଂ ବେଳେ ଜଣେ ମହିଳାଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପୁଲିସ ଓ ଜନତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଉତ୍ତ୍ୟକ୍ତ ଲୋକେ ନିଆଁ ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ଥଳରେ କଟକ ସଦର ଉପଖଣ୍ଡ ଅଧିକାରୀ ପହଁଚି ଆହତ ମହିଳାଙ୍କୁ ଡାକ୍ତରଖାନା ପଠାଇଥିଲେ । ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।

ଅଭିଯୋଗ ଅନୁସାରେ, ଜଣେ ଯୁବକ ତାଙ୍କ ପତ୍ନୀଙ୍କ ସହ ଛୋଟ ପୁଅକୁ ନେଇ ବାଇକରେ ଡାକ୍ତରଖାନା ଯାଉଥିଲେ । ବାଟରେ ସେମାନଙ୍କ ଗାଡିକୁ ପୁଲିସ ଅଟକାଇଥିଲା । ମାସ୍କ ପିନ୍ଧିନଥିବା ଅଭିଯୋଗରେ ତାଙ୍କୁ ଜରିମାନା ଦେବାକୁ କହିଥିଲେ । ତେବେ ତାଙ୍କ ମୁହଁରେ ରୁମାଲ ଓ ତାଙ୍କ ପତ୍ନୀଙ୍କ ମୁହଁରେ ଶାଢ଼ୀ ରହିଥିବାରୁ କାହିଁକି ଜୋରିମାନା ଦେବେ ଯୁବକ ଜଣକ ପାଲଟା ପ୍ରଶ୍ନ କରିଥିଲେ । ଏହାପରେ ପୁଲିସ ତାଙ୍କୁ ମାଡ ମାରିଥିବା ଅଭିଯୋଗ କରିଛନ୍ତି ସଂପୃକ୍ତ ଯୁବକ । ତାଙ୍କ ପତ୍ନୀ ପ୍ରତିବାଦ କରିବାରୁ ପୁଲିସ ଗାଡି ଡ୍ରାଇଭର ମାଡ ମାରି ମୁଣ୍ଡ ଫଟାଇ ଦେଇଥିବା ସେ ଅଭିଯୋଗ କରିଛନ୍ତି ।