ପଟ୍ଟାମୁଣ୍ଡାଇରେ ମହିଳାଙ୍କୁ ଲଣ୍ଡା କରି ଚୂନକାଳି ବୋଳିବା ଘଟଣା । ୧୦ଜଣଙ୍କୁ ଗିରଫ କଲା ପୋଲିସ

119

କନକ ବ୍ୟୁରୋ : ବିଚ ରାସ୍ତାରେ ଜଣେ ମହିଳାଙ୍କୁ ଲଣ୍ଡା କରି ମୁହଁରେ କଳା ବୋଳି ଅକଥନୀୟ ନିଯ୍ୟାତନା ଦେଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇ ଅଂଚଳରେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଖବର ଅନୁସାରେ, ଏହି ଅଂଚଳର ଜଣେ ମହିଳା ଲୋକଙ୍କ ଠାରୁ ଲୋନ ନାଁରେ ଟଙ୍କା ଠକିନେଇଥିଲେ । ପରବର୍ତୀ ସମୟରେ ଲୋନ ନଦେବାରୁ ଉତ୍ୟକ୍ତ ଲୋକେ ଆକ୍ରୋଶ ଶିକାର ହୋଇଥିଲେ ମହିଳା । ଲୋକେ ମହିଳାଙ୍କୁ ବିଚ ରାସ୍ତାରେ ଲଣ୍ଡା କରିଥିଲେ । ଏନେଇ ମହିଳା ଜଣଙ୍କ ପଟ୍ଟାମୁଣ୍ଡା ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ । ଘଟଣା ସ୍ଥଳରେ ଆଇଆଇସି, ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ପହଂଚି ୧୦ ଜଣ ମହିଳାଙ୍କୁ ଗିରଫ କରିଛନ୍ତି । ତେବେ ଆଇନର ଆଶ୍ରୟ ନ ନେଇ ଲୋକଙ୍କ ଏଭଳି କାମକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସୂଚନା ଅନୁସାରେ, ବେଲତଳ ଗ୍ରାମର ଜଣେ ମହିଳା ସେହି ଗ୍ରାମର ମାଝିସାହିର କେତେକ ସ୍ବୟଂସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବ୍ୟାଙ୍କରେ ଋଣ କରାଇଦେବାର ପ୍ରତିଶ୍ରୁତି ଦେଇଥିଲେ । ଏଥିପାଇଁ ପ୍ରାୟ ୨୦ ଜଣ ମହିଳାଙ୍କଠାରୁ ୧୨ଶହ ଲେଖାଏ ଟଙ୍କା ନେଇଥିଲେ । ମାତ୍ର ଋଣ ନ ହେବାରୁ ଉକ୍ତ ମହିଳାମାନେ ସେମାନଙ୍କ ଟଙ୍କା ଫେରସ୍ତ ମାଗିଥିଲେ । ମହିଳା ଜଣକ ଏହି ଟଙ୍କା ଫେରାଇବାରେ ଅସମର୍ଥ ହୋଇଥିଲେ । ଫଳରେ ଗତ ଶୁକ୍ରବା‌ର ଦିନ ମହିଳାମାନେ ମିଶି ଉକ୍ତ ମହିଳାଙ୍କୁ ଗାଁ ଦାଣ୍ଡରେ ଲଣ୍ଡା କରି ମାଡ଼ ମାରିବା ସହ ମୁହଁରେ ଚୂନକାଳୀ ବୋଳି ଦେଇଥିଲେ । ଅଭିଯୁକ୍ତମାନେ ତାଙ୍କଠାରୁ ମଙ୍ଗଳସୂତ୍ର, କାନଫୁଲ, ଏଟିଏମକାର୍ଡ, ନଗଦ ୨୫ଶହ ଟଙ୍କା ଛଡାଇ ନେବା ସହିତ ତାଙ୍କୁ ଉଲଗ୍ନ କରି ମାଡ଼ ମାରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ପୁଲିସ ଘଟଣାର ତଦନ୍ତ କରିବା ସହିତ ଏଥିରେ ସଂପୃକ୍ତ ଥିବା ୧୦ ମହିଳାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।