ଶିକାରୀଙ୍କ ଗୁଳିମାଡରେ ମହିଳା ଗୁରୁତର । କାଠ ଆଣିବାକୁ ଯାଇଥିବାବେଳେ ଦେହରେ ବାଜିଲା ଗୁଳି ।

126

କନକ ବ୍ୟୁରୋ: ଶିକାରୀ ଗୁଳିମାଡ଼ରେ ଜଣେ ମହିଳା ଗୁରୁତର ହୋଇଥିବା ଅଭିଯୋଗ । ଜଙ୍ଗଲକୁ ଜାଲେଣି କାଠ ଆଣିବାକୁ ଯାଇଥିବା ବେଳେ ମହିଳାଙ୍କ ଦେହରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ବଲସକୁମ୍ପା ଗାଁ ନିକଟରେ । ବୃଦ୍ଧ ଦମ୍ପତ୍ତି ରଂଜାକୂୁମ୍ପା ଜଙ୍ଗଲକୁ ଜାଲେଣି କାଠ ଆଣିବାକୁ ଯାଇଥିଲେ । ହଠାତ୍ ମହିଳାଙ୍କ ମୁଣ୍ଡରେ ଗୁଳି ବାଜିଥିଲା । ଆହତ ଅବସ୍ଥାରେ ମହିଳାଙ୍କ ସ୍ୱାମୀ ତାଙ୍କୁ ଫୁଲବାଣୀ ମେଡିକାଲରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଆହତ ବୃଦ୍ଧାଙ୍କ ଘର ଚନ୍ଦୁପଦର ଗାଁରେ, ତାଙ୍କ ବୟସ ୬୦ ବର୍ଷ ବୋଲି ଜଣାପଡିଛି । ତେବେ ତାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି ଜଙ୍ଗଲକୁ ପଶୁ ଶିକାର ପାଇଁ ଆସିଥିବା ଶିକାରୀଙ୍କ ଗୁଳି ତାଙ୍କ ପତ୍ନୀଙ୍କ ମୁଣ୍ଡରେ ବାଜିଛି । ଏ ନେଇ ଖଜୁରୀପଡ଼ା ଥାନା ପୁଲିସ ଏକ ମାମଲା ରୁଜୁ କରିଛି । ମେଡିକାଲକୁ ଯାଇ ଘଟଣାର ତଦନ୍ତ ଆରମ୍ଭ ଆରମ୍ଭ କରିଛନ୍ତି ଫୁଲବାଣୀ ଏସଡିପିଓ ।