ଓଟିପି ସେୟାରିଂ ସ୍କାମ ନେଇ ଏସଟିଏଫର ବଡ ଖୁଲାସା । ଓଡିଶାର ଯାଜପୁର ଓ ନୟାଗଡରୁ ପାକିସ୍ତାନ ଯାଏଁ ଲମ୍ବିଛି ଚେର । ୩ ଜଣଙ୍କୁ ଗିରଫ କଲା ସ୍ପେଶାଲ ଟାସ୍କଫୋର୍ସ

2,702

କନକ ବ୍ୟୁରୋ: ଦେହ ଓଡିଆ, ମନ ପାକିସ୍ତାନୀ । ଓଡିଶାରେ ରହି ପାକିସ୍ତାନ ଲୋକଙ୍କୁ ଯୋଗାଉଥିଲେ ତଥ୍ୟ । ଓଟିପି ସେୟାରିଂ ସ୍କାମ କରି କିଛି ପାକିସ୍ତାନୀ ଇଣ୍ଟେଲିଜେନ୍ସ, ଅଧିକାରୀ ଓ ଆଇଏସଆଇ ଏଜେଣ୍ଟମାନଙ୍କ ସହ ଲିଙ୍କ ଜେନେରେଟ କରି ତଥ୍ୟ ଦେଉଥିଲେ ଅଭିଯୁକ୍ତ । ଏବେ ବଡ ଧରଣର ଚଢାଉ କରି ଏଭଳି କିଛି କହିଛି ଏସଟିଏଫ । ଏହି ମାମଲାରେ ନୟାଗଡ଼ରୁ ୨ଜଣ ଓ ଯାଜପୁରରୁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଏସଟିଏଫ ।

  • ମନ ପାକିସ୍ତାନ, ଦେହ ଓଡିଶା!
  • ତଥ୍ୟ ବିକୁଥିଲେ, ଟଙ୍କା ନେଉଥିଲେ

ନୟାଗଡର ପଠାଣି ସାମନ୍ତ ଲେଙ୍କା, ସରୋଜ କୁମାର ନାୟକ ଏବଂ ଯାଜପୁରର ସୌମ୍ୟ ପଟ୍ଟନାୟକ । ଏହି ୩ ଅଭିଯୁକ୍ତ ସାମାନ୍ୟ କିଛି ଟଙ୍କା ପାଇଁ ଭିଟାମାଟିକୁ ସଉଦା କରିବାକୁ ପଛାଇନାହାନ୍ତି । ଏମାନେ ଏଭଳି ଅପରାଧ କରିଛନ୍ତି ଯେଉଁଥିପାଇଁ ଓଡିଶାର ମୁଣ୍ଡ ତଳକୁ ହୋଇଯାଇଛି । ଦେଶଦ୍ରୋହୀ କାମ କରିଥିବା ଅଭିଯୋଗରେ ଏହି ୩ ଅଭିଯୁକ୍ତଙ୍କୁ ବାନ୍ଧିଛି ସ୍ପେଶାଲ ଟାସ୍କ ଫୋର୍ସ । ଟଙ୍କା ପାଇଁ ଏମାନେ ଏତେ ତଳକୁ ଖସିଯାଇଛନ୍ତି ଯେ, ପାକିସ୍ତାନ ଏଜେଣ୍ଟଙ୍କୁ ଓଡିଶା ସିମର ଓଟିପି ଦେବାକୁ ପଛାଇନାହାନ୍ତି । ପାକିସ୍ତାନ ଏଜେଣ୍ଟମାନେ ଏହି ସିମର ଅପ ବ୍ୟବହାର କରି ବଡ ବଡ ଅପରାଧ ଘଟାଇବେ ଜାଣି ମଧ୍ୟ ତାଙ୍କୁ ସାହାଯ୍ୟ କରୁଥିଲେ ।

  • ମହିଳା ପାକିସ୍ତାନୀ ଏଜେଣ୍ଟଙ୍କ ସମ୍ପର୍କରେ ଥିଲେ ଓଡିଆ
  • ଫେକ୍ ଆକାଉଣ୍ଟରୁ କାରବାର ହେଉଥିଲା ଟଙ୍କା

ଏହି ୩ ଯୁବକ ଏତେ ତଳକୁ ଖସିଯାଇଥିଲେ ଯେ, ମହିଳା ପାକିସ୍ତାନୀ ଏଜେଣ୍ଟଙ୍କ ସହ ହାତ ମିଶାଇ ତାଙ୍କ ଇସାରାରେ କାମ କରୁଥିଲେ । ମହିଳା ଜଣକ ଯେତେବେଳେ ଯାହା କହୁଥିଲେ ତାହା ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ ଏହି ୩ ଦଲାଲ । ଏହି ମହିଳା ଏଜେଣ୍ଟ ଗତବର୍ଷ ହନିଟ୍ରାପ ମାମଲାରେ ଫଶି ରାଜସ୍ଥାନରୁ ଗିରଫ ହୋଇଥିଲେ । ଆଉ ଏବେ ଏହି ଅଭିଯୁକ୍ତଙ୍କ ନିକଟରୁ ୪୭ ସିମକାର୍ଡ, ୬୧ ଏଟିଏମ କାର୍ଡ ଓ ୨୩ଟି ସିମ୍ କଭର ଜବତ କରାଯାଇଛି ।