ଝାରସୁଗୁଡ଼ା ହସ୍ପିଟାଲ ଆଗରେ ୩ ଘଂଟା ଧରି ଛଟପଟ ହେଲେ ପ୍ରସୂତି ମହିଳା । କୋଭିଡ଼ ଟେଷ୍ଟ ଆଳରେ ଗୁରୁତର ରୋଗୀଙ୍କୁ ଅବହେଳା ଅଭିଯୋଗ । ସିଡ଼ିଏମଓଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । 

132

କନକ ବ୍ୟୁରୋ : କାଭିଡ୍ ଟେଷ୍ଟ ଆଳରେ ଗୁରୁତର ରୋଗୀଙ୍କୁ ଅବହେଳା ଅଭିଯୋଗ  । ତିନି ଘଂଟା ଧରି ହସ୍ପିଟାଲ ବାରଣ୍ଡାରେ ଛଟପଟ ହେଲେ ଗର୍ଭବତୀ । ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲା ଝାରସୁଗୁଡ଼ାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟୟର ଚରମ ସୀମାରେ ପହଂଚି ଯାଇଥିବା ଅଭିଯୋଗ ହୋଇଛି । କୋଭିଡ଼ ଟେଷ୍ଟ ହୋଇନପାରିବାରୁ ଜଣେ ଗର୍ଭବତୀ ହଇରାଣ ହୋଇଥିବା ଜଣାପଡିଛି । ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଘଟଣା ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଛି ।

ଏଥି ସହିତ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟରେ ହୋଇଥିବା ଅବ୍ୟବସ୍ଥାକୁ ପଦାରେ ପକାଇଛି । ବନ୍ଧବାହାଲ ଅଂଚଳର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ଯନ୍ତ୍ରଣା ପରେ ତାଙ୍କୁ ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକେ । ମହିଳା ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିଲେ, ପଡି ରହିଥିଲେ ହସ୍ପିଟାଲ ବାରଣ୍ଡାରେ ।

କୋଭିଡ୍ ଟେଷ୍ଟ ବିଳମ୍ୱ ହେବା ସହିତ ବଢି ଚାଲିଥିଲା ତାଙ୍କର ଯନ୍ତ୍ରଣା । ତାଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ଥିଲା । ମାତ୍ର ହସ୍ପିଟାଲ କର୍ମଚାରୀ ମହିଳାଙ୍କ କୋଭିଡ ଟେଷ୍ଟ ରିପୋର୍ଟ ନେଗେଟିଭ ନଥିଲେ ପ୍ରବେଶ କରାଇ ଦିଆ ଯିବ ନାହିଁ ବୋଲି ଶୁଣାଇ ଚୁପ ହୋଇଯାଇଥିଲେ । ପ୍ରାୟ ୩ ଘଂଟା ଘରି ଗର୍ଭବତୀ ମହିଳା ଜଣଙ୍କ ଏମିତି ବାରଣ୍ଡାରେ ପଡ଼ି ରହିଥିଲେ । ଏହି ଘଟଣାକୁ ଏବେ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି  ।