ଜାତି ସାଜିଲା ବାଧକ, ସ୍ତ୍ରୀର ମାନ୍ୟତା ଦାବିରେ ସ୍ୱାମୀ ଦୁଆରେ ଧାରଣାରେ ବସିଛନ୍ତି ମହିଳା।

117

କନକ ବ୍ୟୁରୋ: ଜାତିଆଣ ଭେଦଭାବ ଯୋଗୁ ଉପୁଜିଛି ସମସ୍ୟା । ସ୍ତ୍ରୀର ମାନ୍ୟତା ଦାବିରେ ସ୍ୱାମୀ ଦୁଆର ମୁହଁରେ ବସିଛନ୍ତି ମହିଳା । ଏହି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ତିହିଡି ଭାଟପଡା ଶଙ୍ଖିଡା ଗାଁରେ । ଗାଁର ଯୁବକ ପ୍ରଭାସ ଖଡିମାହାରର ଜଣେ ଯୁବତୀ ସ୍ମୃତିଙ୍କୁ ପ୍ରେମ ବିବାହ କରିଥିଲେ । ୨୦୧୦ରେ ସେ ନୋଟାରୀରେ ଓ ପରେ ମନ୍ଦିରରେ ବିବାହ କରିଥିଲେ । ଉଭୟ ପରିବାର ପକ୍ଷରୁ ସମ୍ମତି ମିଳିନଥିବାରୁ ସେ ତାଙ୍କୁ ନେଇ ବାହାରେ ରହୁଥିଲେ । ପ୍ରଭାସ ଓ ମହିଳା ଭିନ୍ନ ଜାତିର ହୋଇଥିବାରୁ ପ୍ରଭାସ ଘର ଲୋକ ତାଙ୍କୁ ଗ୍ରହଣ କରିନଥିଲେ । ତେବେ ପ୍ରଭାସ ବାହାରକୁ ଚାକିରୀ ପାଇଁ ଯାଇଥିବା ବେଳେ ମହିଳା ଜଣଙ୍କୁ ତାଙ୍କ ପରିବାର ଲୋକ ଘରେ ପୁରାଇ ଦେଇନଥିଲେ । ୩ଲକ୍ଷ ଟଙ୍କା ଆଣିବା ପରେ ପୁରି ମୁକ୍ତି ମଣ୍ଡପରେ ତାଙ୍କୁ ଜାତି କରାଇ ଗୋତ୍ରରେ ପୂରାଇବେ ବୋଲି କହିଥିଲେ ।

ଏନେଇ ନିଜ ସ୍ୱାମୀଙ୍କୁ କହିଥିଲେ ବି କୌଣସି ପ୍ରତିକ୍ରିୟା ଦେଇନଥିଲେ ସେ । ଯାହାଫଳରେ ଥାନାର ଦ୍ୱାରସ୍ତ ହୋଇଥିଲେ ମହିଳା । ହେଲେ ସେଠାରେ ବି ପୁଲିସ ଆଜି କାଲି କହି କଥା ଟାଳି ଚାଲିଥିଲା । ଯାହାଫଳରେ ବାଧ୍ୟ ହୋଇ ମହିଳା ଜଣକ ଦୁଇ ଦିନ ଧରି ଶ୍ୱଶୁର ଘର ବାରଣ୍ଡାରେ ଧାରଣାରେ ବସିଛନ୍ତି । ଯେପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନମିଳିଛି ସେ ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି କହିଛନ୍ତି ।