ଆସନ୍ତା ୨୦ ତାରିଖରୁ ବିଧାନସଭା ଶୀତ ଅଧିବେଶନ ଆରମ୍ଭ : ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କରୋନା ଟେଷ୍ଟ

44

କନକ ବ୍ୟୁରୋ : ଆସନ୍ତା ୨୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ଶୀତ ଅଧିବେଶନ । ଏହା ଆଗରୁ ସମସ୍ତ ବିଧାୟକ, ବିଧାୟକଙ୍କ ପିଏସଓ, ଡ୍ରାଇଭରଙ୍କ ଆରଟିପିସିଆର ପରୀକ୍ଷା କରାଯିବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଛ ବିଜ୍ଞପ୍ତି । ଆସନ୍ତା ୧୭ରୁ ୧୯ ତାରିଖ , ୩ ଦିନ ଧରି ନମୂନା ସଂଗ୍ରହ କରାଯିବ । ଏଥିପାଇଁ ବିଧାନସଭା ପରିସରରେ ଆବଶ୍ୟକୀୟ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ଯୋଗାଇ ଦିଆଯିବ । ଏନେଇ ବିଏମସି, କ୍ୟାପିଟାଲ ହସ୍ପିଟାଲ ଓ ରାଜ୍ୟ ଔଷଧ ନିଗମକୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଆସନ୍ତା ୧୭ ଓ ୧୮ ତାରିଖରେ ସକାଳ ସାଢେ ୮ଟାରୁ ଦିନ ୧ଟା ଏବଂ ଅପରାହ୍ନ ୩ଟାରୁ ୫ଟା ଯାଏଁ ବିଧାନସଭା ପରିସରରେ ନମୂନା ସଂଗ୍ରହ କରାଯିବ । ୧୯ ତାରିଖ ସକାଳ ସାଢେ ୮ଟାରୁ ଅପରାହ୍ନ ସାଢେ ୧ଟା ଯାଏଁ ପରୀକ୍ଷା କରାଯିବ । ବିଧାନସଭା ଅଧିବେଶନ ଶେଷ ହେବା ପରେ ପୁଣି ଥରେ ସମସ୍ତ ସଦସ୍ୟଙ୍କ ଆରଟିପିସିଆର ନମୂନା ସଂଗ୍ରହ ହୋଇ ପରୀକ୍ଷା କରାଯିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।