ବିଧାନସଭାର ଶୀତ ଅଧିବେଶନ ଆରମ୍ଭ : ପ୍ରଥମ ଦିନରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ସମେତ ଦିବଂଗତ ବିଧାୟକଙ୍କୁ ଶ୍ରଦ୍ଧାଂଜଳି

 କୋଭିଡ଼ କଟକଣା ଭିତରେ ସାଢ଼େ ୪ଘଂଟା ଚାଲିବ ଅଧିବେଶନ

85

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ଶୀତ ଅଧିବେଶନ । କରୋନା ସମୟରେ ଅଧିବେଶନ ବସୁଥିବାରୁ, କଟକଣା ଭିତରେ ଆରମ୍ଭ ହୋଇଛି ଗୃହ କାର୍ଯ୍ୟ । ପ୍ରଥମ ଦିନରେ ପୂର୍ବତନ ବାଚସ୍ପତି ଶରତ କରଙ୍କ ସମେତ ଦିବଂଗତ ବିଧାୟକଙ୍କ ଉଦେଶ୍ୟରେ ଶୋକ  ପ୍ରସ୍ତାବ ପରେ ଆଗତ ହୋଇଛି । ସେହିପରି ସହିଦ କୋଭିଡ଼ ଯୋଦ୍ଧାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରୁଛନ୍ତି ଗୃହର ସଦସ୍ୟ ।

ଏଥିସହ ଚଳିତ ଅଧିବେଶନରେ ୨୦୨୦-୨୧ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ଆଗତ ହେବ । ୩ ଦିନ ଖର୍ଚ୍ଚ ଦାବି ଆଲୋଚନା ପରେ ୨୯ ତାରିଖରେ ଅତିରକ୍ତ ବ୍ୟୟ ମଂଜରୀ ବିଲ୍ ପାରିତ ହେବା କାର୍ଯ୍ୟକ୍ରମ ରହିଛି । ଏହି ଅଧିବେଶନ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ  । ଏହି ସମୟ ମଧ୍ୟରେ ବିଧାନସଭାରେ ୧୦ଟି ବିଲ୍ ଉପସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

ଏହା ଭିତରୁ ତିନୋଟି ଅଧାଦେଶକୁ ଆଇନରେ ପରିଣତ କରିବା ପାଇଁ ସେ ସଂକ୍ରାନ୍ତୀୟ ବିଲ୍ ଆଣିବାକୁ ମଧ୍ୟ ସରକାର ଯୋଜନା କରିଛନ୍ତିି । ଏଥିସହ ବିରୋଧୀ ଦଳ ପକ୍ଷରୁ ଯାହା ପ୍ରସଙ୍ଗ ଉଠାଇବେ ତାହାକୁ ଆଲୋଚନା କରାଯିବ ବୋଲି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଅନ୍ୟପଟେ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରିବାକୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିିଛନ୍ତି ବିରୋଧୀ ।