ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ବାତ୍ୟାର ରୂପ ନେବା ପରେ ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇବା ସଂଭାବନା, ପ୍ରାରମ୍ଭିକ ସଂକେତ ମିଳୁଥିବା ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ଦେଲେ ସୂଚନା

452

ଆରବ ସାଗରରେ ବାତ୍ୟାର ପ୍ରକୋପକୁ ନେଇ ଚର୍ଚ୍ଚା ସରିନି, ଏପଟେ ବଙ୍ଗୋପସାଗରରେ ବାତ୍ୟା ଦାନା ବାନ୍ଧିଲେଣି। ଏହାର ପ୍ରକୃତ ସ୍ବରୂପ କଣ ହେବ, କେଉଁଠାରେ ସ୍ଥଳଭାଗକୁ ଛୁଇଁବ, କେତେ ବିପଦ ଆଣି ଆସୁଛି, ସର୍ବୋପରି କେତେ ପରିମାଣରେ କ୍ଷତି କରିପାରେ, ସେ ସଂପର୍କରେ ଏଯାଏ ଠୋସ୍ ନିର୍ଣ୍ଣୟ ହୋଇନଥିଲେ ମଧ୍ୟ ଏହାକୁ ନେଇ ଅବଗଣନା ଆରମ୍ଭ ହୋଇଯାଇଛି। ଆଜି ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରାଳୟ ସଚିବ ରାଜେଶ ମାଧବନ୍ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସଂପର୍କରେ ପ୍ରଥମେ ଟ୍ବିଟ୍ କରିଥିଲେ ଓ ପରେ ଭାରତର ପାଣିପାଗ ବିଭାଗ ଏହା ଲଘୁଚାପ ରୂପ ନେବ ବୋଲି ସ୍ପଷ୍ଟ କରିଛି। ହେଲେ ପାଣିପାଗ ବିଜ୍ଞାନୀମାନେ ବିଭିନ୍ନ ମଡ଼େଲକୁ ଅନୁଶୀଳନ କରି ସମ୍ଭାବ୍ୟ ବାତ୍ୟା ସଂପର୍କରେ ଏକ ଚିତ୍ର ରଖୁଛନ୍ତି। ଏପରିକି ଓଡ଼ିଶା ପ୍ରତି ଥିବା ବିପଦ ଏଡ଼ାଇ ହେବ ନାହିଁ ବୋଲି ପ୍ରାରମ୍ଭିକ ଆକଳନ କହୁଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ଆସନ୍ତା ୨୩ ତାରିଖ ଦିନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏହା ଓଡ଼ିଶାଠାରୁ ବହୁ ଦୂରରେ ସୃଷ୍ଟି ହେଉଥିବାରୁ ଏହାର ଗତି ଓ ଶକ୍ତି କିଭଳି ରହିବ, ତାହା ଏବେଠାରୁ କହି‌ହେବ ନାହିଁ। ଏଥିସହ ଓଡ଼ିଶା ଉପରେ ଏହାର ପ୍ରଭାବ କ’ଣ ରହିବ ସେ ନେଇ ଏବେଠାରୁ କିଛି ସ୍ପଷ୍ଟ ସୂଚନା ନାହିଁ। ପାଣିପାଗ ବିଭାଗ କିନ୍ତୁ ଏକଥା କହିଛି ଯେ ୨୧ ତାରିଖ ଦିନ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ ସକ୍ରିୟ ହେବାକୁ ଯାଉଛି। ସେହିଭଳି ମେ’ ୩୧ ତାରିଖରେ ଭାରତ ବା କେରଳରେ ମୌସୁମୀ ବାୟୁ ସକ୍ରିୟ ହେବ ଓ ଓଡ଼ିଶାରେ ଏହାର ୧୦/୧୨ ଦିନ ପରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ। ତେବେ ମେ’ ଶେଷ ସପ୍ତାହ ଆଡ଼କୁ ରାଜ୍ୟରେ ପ୍ରାକ୍‌ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ।

ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ କହୁଛି, ଆସନ୍ତା ୨୩ ତାରିଖରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ତେବେ ଏହା କେଉଁ ସ୍ଥାନ ଦେଇ ଅତିକ୍ରମ କରିବ ସେ ନେଇ କୌଣସି ଆକଳନ ଏବେ କରାଯାଇପାରୁନାହିଁ। ଏହା ଓଡ଼ିଶା ଅତିକ୍ରମ କରିବାର ସମ୍ଭାବନା ରହିଛି। ୨୦୦୯ ମସିହାରେ ଏହି ସମୟରେ ‘ଆଇଲା’ ବାତ୍ୟା ଆସିଥିଲା ଓ ଏହା ପଶ୍ଚିମବଙ୍ଗ ଓ ବାଲାଂଦେଶ ଦେଇ ଗତି କରିଥିଲା। ତାହା ବି ଏକ ବଡ଼ ବାତ୍ୟା ସୃଷ୍ଟି କରିଥିଲା। କିନ୍ତୁ ଓଡ଼ିଶା ଉପରେ ତାହାର ପ୍ରଭାବ ପଡ଼ିନଥିଲା। ୨୦୧୦ ମସିହାରେ ବି ଆସିଥିଲା ବାତ୍ୟା ‘ଲାଇନା’ ଆନ୍ଧ୍ରପ୍ରଦେଶ ଅତିକ୍ରମ କରିଥିଲା। ତେବେ ସେହି ଦୁଇଟି ବାତ୍ୟା ଓଡ଼ିଶାକୁ ଆସିନଥିଲେ ମଧ୍ୟ ୧୯୮୨ ମସିହାରେ ମୌସୁମୀ ଆଗମନ ପୂର୍ବରୁ ଏକ ବାତ୍ୟା ଆସିଥିଲା। ତେଣୁ ମୌସୁମୀ ଆସିବାର ସମୟ ହୋଇଯାଇଥିଲେ ବି ଏହି ସମୟରେ ଓଡ଼ିଶାକୁ ଏହି ବାତ୍ୟା ଆସିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ। ଏବେ ଆଣ୍ଡାମାନ ସାଗରରେ ମୌସୁମୀ ସକ୍ରିୟ ହେଉଥିବାରୁ, ଏହି ମୌସୁମୀ ବାୟୁ ଲଘୁଚାପକୁ ବଳ ଯୋଗାଇବ ଓ ବାତ୍ୟା ରୂପ ନେବାରେ ସାହାଯ୍ୟ କରିବ। ୨୩ରେ ଲଘୁଚାପ ହେବ ଓ ୨୫ ଆଡ଼କୁ ବାତ୍ୟା ରୂପ ନେବ ବୋଲି ଜଣାପଡ଼ୁଛି। ତେବେ ଯେଉଁଠି ଏହା ଅତିକ୍ରମ କରିବ ସେଠାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବା ସେ କହିଛନ୍ତି।

ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଉଭୟ ଆମେରିକାନ୍ ନେଭି ଓ ଏନ୍‌ଏସ୍ଇପି ମଡେ଼ଲ ଅନୁସାରେ ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୨୪ ତାରିଖରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ ସୃଷ୍ଟି ହେବ। ଏହା ଘନୀଭୂତ ହୋଇ ଉତ୍ତର ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ମୁହାଁଇବ। ଉପକୂଳ ଆସିବା ପୂର୍ବରୁ ଦୁର୍ବଳ ହୋଇଯାଇପାରେ। ତେବେ କେତେ ଘନୀଭୂତ ହୋଇ କି ରୂପ ନେବ, ତାହା ମଡ଼େଲ୍ ମାନଙ୍କରେ ଭିନ୍ନ ରୂପ ରଖୁଛି। ଆଣ୍ଡାମାନ ନିକଟରେ ସମ୍ଭବତଃ ଉତ୍ତର ଆଣ୍ଡାମାନ ସାମରରେ ୨୩ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ଅତିଶୀଘ୍ର ଘନୀଭୂତ ହୋଇ ୨୪ ତାରିଖରେ ଅବପାତ ରୂପ ନେବ। ୨୫ ତାରିଖରେ ବାତ୍ୟା ରୂପ ନେଇପାରେ। ସେହିଦିନଠାରୁ ଉତ୍ତର ପଶ୍ଚିମ ଦିଗରେ ଗତି କରି ଓଡ଼ିଶା ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପକୂଳକୁ ମୁହାଁଇପାରେ। ୨୭ ତାରିଖରେ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ। ପବନ ସହିତ ବର୍ଷା ଏବଂ ସ୍ଥାନେ ସ୍ଥାନେ ବିଶେଷକରି ଉତ୍ତର ଉପକୂଳରେ ଭାରି ବର୍ଷା ହୋଇପାରେ। ପାରାଦୀପ ଠାରୁ ଦୀଘା ମଧ୍ୟରେ ଏହା ସ୍ଥଳଭାଗ ଅତିକ୍ରମ କରିବା ସମ୍ଭାବନା ଅଧିକ। ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ। ଆହୁରି ଜଣାପଡ଼ୁଛି ଯେ ୨୭ ତାରିଖରୁ ଏହା ଦୁର୍ବଳ ହୋଇପାରେ। ଏହାର ଅର୍ଥ ସ୍ଥଳଭାଗ ଛୁଇଁବା ବେଳକୁ ଏହା ଦୁର୍ବଳ ହୋଇସାରିଥିବ।

ସେ କହିଛନ୍ତି ଯେ ଉତ୍ତର ବଙ୍ଗୋପସାଗରର ଜଳପତ୍ତନର ତାପମାତ୍ରା ବାତ୍ୟା ଅନୁକୂଳ ରହିଛି। ଯଦିବା ଆଜି ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ତାପମାତ୍ରା ଏବଂ ବାୟୁର ଚାପ ଅନୁକୂଳ ନାହିଁ, କିନ୍ତୁ ଏହା କ୍ରମଶଃ ୨୪ ତାରିଖରୁ ଅନୁକୂଳ ହେବ। ଯାହାଫଳରେ ଓଡ଼ିଶା ପ୍ରତି ବିପଦ ରହିପାରେ। ଏହା ଯଥେଷ୍ଟ ପୂର୍ବରୁ ଆକଳନ କରାଯାଉଛି, ଯେଉଁଥିପାଇଁ ଅନେକ ପରିବର୍ତ୍ତନ ହୋଇପାରେ। ତେବେ ୨୨ ତାରିଖ ବେଳକୁ ଠିକ୍ ଭାବେ ଏହାର ସ୍ବରୂପ ନିର୍ଣ୍ଣୟ କରାଯାଇପାରିବ।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଆଜି ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିଲା। ଆସନ୍ତାକାଲି ମଧ୍ୟ ରାଜ୍ୟରେ ପାଗ ଶୁଖିଲା ରହିବ। ଖରାର ପ୍ରକୋପ ଅଧିକ ରହିବ। ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ି ଅଧିକାଂଶ ସ୍ଥାନର ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିପାରେ। ୨୦ ତାରିଖ ଆଡ଼କୁ ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବ। ବିଶେଷ କରି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିବ। ସେହିଭଳି ୨୧ ତାରିଖ ଦିନ ମଧ୍ୟ ଉପକୂଳ ଓଡ଼ିଶା ଯଥା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ ଓ ଢେଙ୍କାନାଳ ଆଦି ଜିଲ୍ଲାରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବା ସହ ବର୍ଷା ହେବ ବୋଲି କେନ୍ଦ୍ର କହିଛି।