କନକ ବ୍ୟୁରୋ: ଶିମିଳିପାଳ ଜେନାବିଲ ରେଞ୍ଜରେ ହାତୀର ମୃତଦେହକୁ ପୋଡ଼ି ନଦୀର ଭସାଇଦେବା ଘଟଣାରେ ଆସିଲା ନୂଆମୋଡ଼ । ପ୍ରତ୍ୟକ୍ଷଦର୍ଶୀ ଅସ୍ଥାୟୀ ବନକର୍ମଚାରୀ ତୁରାମ ପୂର୍ତ୍ତି ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ମୃତକଙ୍କ ସ୍ତ୍ରୀ । ହାତୀ ମୃତ୍ୟୁ ଘଟଣାରେ ମୁହଁ ଖୋଲିଥିବାରୁ ତାଙ୍କୁ ପ୍ରବଳ ମାଡ଼ ମରାଯିବା ସହ ଜୋରଜବରଦସ୍ତ ବିଷ ପିଆଇଥିବା ନେଇ ଥାନାରେ ସାଂଘାତିକ ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ତ୍ରୀ ଚିଲମ ପୂର୍ତ୍ତି । ଏପରିକି ତୁରାମଙ୍କ ମୃତଦେହ ଧରି ଆମ୍ବୁଲାନ୍ସରେ ଗାଁକୁ ଆସୁଥିବା ବେଳେ କିଛି ବନ କର୍ମଚାରୀ ଆମ୍ବୁଲାନ୍ସଙ୍କୁ ଅଟକାଇ ତୁରାମଙ୍କ ସ୍ତ୍ରୀକୁ ଅକଥନୀୟ ନିର୍ଯ୍ୟାତନା ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି ।

ତୁରାମଙ୍କ ସ୍ତ୍ରୀ ଓଡ଼ିଆ କହିପାରୁନଥିବାରୁ ବିଧାୟକ, ପୂର୍ବତନ ସରପଞ୍ଚଙ୍କ ସହ ଯାଇ ଥାନାରେ ଅଭିଯୋଗ କରିଥିଲେ । ବିଧାୟକ ମୃତକଙ୍କ ପରିବାରକୁ ସମବେଦନା ଜଣାଇବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା ନେଇ ଜାଣିବାକୁ ପାଇଥିଲେ । ପୂର୍ବରୁ ପ୍ରମାଣ ନଷ୍ଟ ଅଭିଯୋଗରେ ଜଣେ ରେଞ୍ଜରଙ୍କ ସମେତ ୩ ବନ କର୍ମଚାରୀଙ୍କୁ ଗିରଫ କରାଯାଇଥିଲା । ଏପରିକି ଏଭଳି ସମ୍ବେଦନଶୀଳ ଘଟଣାକୁ ନେଇ ହାଇକୋର୍ଟ ମଧ୍ୟ ଜରୁରୀକାଳୀନ ଶୁଣାଣି କରିଥିଲେ ।