ଶେର୍ଲିନ ଚୋପ୍ରାଙ୍କ ଚାଞ୍ଚଲ୍ୟକର ବୟାନ । ଡ୍ରଗ୍ସ ମାମଲାରେ ସାମିଲ ଅଛନ୍ତି ବଲିଉଡ ତାରକାଙ୍କ ପତ୍ନୀ । କ୍ରିକେଟରଙ୍କ ସହ ମିଶି ନିଅନ୍ତି କୋକେନ

4,612
କନକ ବ୍ୟୁରୋ : ଏବେ ସାରାଦେଶରେ ଚାଲିଛି ଡ୍ରଗ୍ସକୁ ନେଇ ଖୋଳତାଡ । ବଲିଉଡରେ ବହୁ ବରିଷ୍ଠ ଓ ନାମିଦାମି କଳାକାର ଏଥିରେ ସଂପୃକ୍ତ  ଥିବା ନେଇ ନାର୍କୋଟିକ କଣ୍ଟ୍ରୋଲ ବୋର୍ଡ (ଏନସିବି)ହାତରେ ତଥ୍ୟ ଲାଗିବା ପରେ ଦୀପିକା ପାଦୁ୍କନଙ୍କ ଠାରୁ ଆରମ୍ଭ କରି ରକୁଲପ୍ରିତୀ ସିଂ ଯାଏ ସମନକରି ସେମାନଙ୍କୁ ପଚରା ଉଚରା ଆରମ୍ଭ କରିଛି ଏନସିବି । ହେଲେ ଏହା ଭିତରେ ଡ୍ରଗ୍ସକୁ ନେଇ ଶେର୍ଲିନ ଚୋପ୍ରାଙ୍କ ବୟାନ ଡ୍ରଗ୍ସ ଲିଙ୍କକୁ ବଲିଉଡରୁ ଭାରତୀୟ କ୍ରିକେଟ୍ ବୋର୍ଡ ଆଡକୁ ଟାଣି ଆଣିଛି ।
ଚଳଚିତ୍ର ତାରକା ତଥା ନାମିଦାମି ମଡେଲ୍ ଶେର୍ଲିନ ଚୋପ୍ରାଙ୍କ ବୟାନ ଏବେ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି । ଶେର୍ଲିନ କହିଛନ୍ତି କି ଯଦି ତାଙ୍କୁ ଏନସିବି ପକ୍ଷରୁ ଜେରା କରାଯାଏ ତେବେ ସେ କେବଳ ବଲିଓଡ ନୁହେଁ କ୍ରିକେଟ ଜଗତରେ କିଭଳି ଡ୍ରଗ୍ସ ବ୍ୟବହାର କରାଯାଏ ତାର ଖୋଲାସା କରିବେ । ସେ ଏକ ଉଦାହରଣ ଦେଇ କହିଛନ୍ତି କି ଆଇପିଏଲରେ କୋଲକତା ନାଇଟ୍ ନାଇଡର୍ସ ର ମ୍ୟାଚ ସରିବା ପରେ ହୋଟେଲର ୱାର୍ସରୁମ ଭିତରେ କ୍ରିକେଟର ଓ ଚଳଚିତ୍ର ତାରକାଙ୍କ ସ୍ତ୍ରୀ ମାନେ ମିଶି କୋକେନ ନେଇଥିଲେ ।
ଏକ ଜାତୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଶେର୍ଲିନ ସେ ଏଭଳି ମନ୍ତବ୍ୟ ଦେଇଥିବା ବେଳେ ସେ କିନ୍ତୁ ସ୍ପଷ୍ଟ କରିନାହାନ୍ତି କି ଆଇପିଏଲର କେଉଁ ସିଜିନ ବା କେଉଁ ମ୍ୟାଚ୍ ରେ ଏଭଳି ଘଟଣା ଘଟିଥିଲା । ହେଲେ ସେ କହିଛନ୍ତି କି ‘ମୁଁ କେ.କେ.ଆର ମ୍ୟାଚ୍ ଦେଖିବାକୁ କୋଲକତା ଯାଇଥିଲି । ସେଠାରେ ହୋଇଥିବା ଡ୍ରଗ୍ସ ପାର୍ଟିରେ ବି ମୁଁ ସାମିଲ ହୋଇଥିଲି । ସେହି ପାର୍ଟିରେ ମୁଁ ଦେଖିଲି କି କ୍ରିକେଟର ଓ ବଲିଓଡର ବଡ ବଡ ସେଲିବ୍ରେଟି ମାନେ ସେଠାରେ ଅଛନ୍ତି । ମୁଁ ନାଚି ନାଚି କ୍ଲାନ୍ତ ହୋଇପଡିଥିଲି । ତେଣୁ ମୁଁ ସତେଜ ହେବାକୁ ୱାଶରୁମ ଯାଇ ଦେଖେତ କିଛି ଚଳଚିତ୍ର ତାରକାଙ୍କ ପତ୍ନୀ ଓ କ୍ରିକେଟର ମାନେ ମିଶି କୋକେନ ବ୍ୟବହାର କରୁଥିଲେ ।’