ମହାରାଷ୍ଟ୍ର ପୁଣେରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ସ୍ୱାମୀକୁ ମୁଥା ମାରି ହତ୍ୟାକଲା ସ୍ତ୍ରୀ । ଜନ୍ମଦିନରେ ଦୁବାଇ ବୁଲାଇ ନନେବାରୁ ହତ୍ୟା ହୋଇଥିବା ଅଭିଯୋଗ

843

କନକ ବ୍ୟୁରୋ: ମହାରାଷ୍ଟ୍ର ପୁଣେରୁ ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ଆସିଛି ଯାହା ସଭିଁଙ୍କୁ ସ୍ତବ୍ଧ କରି ଦେଇଛି । ଜଣେ ପତ୍ନୀ ନିଜ ସ୍ୱାମୀକୁ ମୁଥା ମାରି ହତ୍ୟା କରିଛି । ଆଉ ହତ୍ୟାକାଣ୍ଡ ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜନ୍ମଦିନରେ ଦୁବାଇ ବୁଲାଇ ନନେବାରୁ ସ୍ୱାମୀଙ୍କ ସହ ପ୍ରଥମେ ଝଗଡା ପରେ ତାଙ୍କୁ ମୁଥା ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଏଭଳି କିଛି ଭୟଙ୍କର ଆଉ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ମହାରାଷ୍ଟ୍ରର ପୁଣେରେ । ପୁଣେର ୱାନିବାଡି ଅଂଚଳରେ ଜଣେ ସ୍ତ୍ରୀ ରାଗରେ ଆସି ନିଜ ସ୍ୱାମୀକୁ କରିଛି ହତ୍ୟା । ବଡ କଥା ହେଉଛି ସ୍ୱାମୀ ମୁହଁକୁ ମୁଥା ଉପରେ ମୁଥା ମାରି ହତ୍ୟା କରିଛି ସ୍ତ୍ରୀ । ଯାହା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

  • ୨୪ ନଭେମ୍ବର, ଶୁକ୍ରବାର
  • ସ୍ଥାନ- ଗଙ୍ଗା ସାଟେଲାଇଟ୍, ୱାନିୱାଡ଼ି, ପୁଣେ
  • ସମୟ – ରାତି ପାଖାପାଖି ୯ଟା

ହଠାତ୍ ନିଖିଲଙ୍କ ବାପା ଡାକ୍ତର ପୁଷ୍ପରାଜ ଖନ୍ନାଙ୍କୁ ବୋହୂ ରେଣୁକାର ଫୋନ୍ ଆସେ । ରେଣୁକା ଫୋନରେ ନିଜ ଶ୍ୱଶୁରଙ୍କୁ କୁହନ୍ତି, ପାପା, ଜଲଦି ଆମ ଘରକୁ ଆସ । ନିଖିଲ ଓ ମୋ ଭିତରେ ଝଗଡା ହୋଇଛି ଆପଣ ଶୀଘ୍ର ଆସନ୍ତୁ । ବୋହୂର କଥା ଶୁଣି ତୁରନ୍ତ ଗଙ୍ଗା ସାଟେଲାଇଟ୍ ଅଭିମୁଖେ ବାହାରି ପଡନ୍ତି ଡାକ୍ତର ପୁଷ୍ପରାଜ । ଏ ଭିତରେ ରେଣୁକା ପୁଣି ଫୋନ୍ କରେ ଆଉ କୁହେ, ଜଲଦି ଆସନ୍ତୁ ପାପା । ଡାକ୍ତର ପୁଷ୍ପରାଜ ଯେତେବେଳେ ନିଖିଲ ଓ ରେଣୁକାଙ୍କ ଫ୍ଲାଟରେ ପହଁଚନ୍ତି ସେଠାରେ ଦେଖନ୍ତି…

  • ନିଖିଲ ଅଚେତ ଅବସ୍ଥାରେ ତଳେ ପଡି ରହିଛି
  • ନିଖିଲଙ୍କ ନାକ ପାଟିରୁ ପ୍ରବଳ ରକ୍ତସ୍ରାବ ହେଉଛି
  • ପୁଷ୍ପରାଜ ଡାକ୍ତର ହୋଇଥିବାରୁ ପୁଅକୁ ତୁରନ୍ତ ସିପିଆର ଦେବାକୁ ଲାଗନ୍ତି

ନିଖିଳ-ରେଣୁକାଙ୍କ ଫ୍ଲାଟରେ ଡାକ୍ତର ପୁଷ୍ପରାଜ ପହଁଚିବା ବେଳକୁ ସବୁକିଛି ସରି ଯାଇଥିଲା । ନିଖିଲ ଚେତାଶୂନ୍ୟ ଥିଲେ । ମାତ୍ର ତାଙ୍କୁ ପ୍ରାଥମିକ ଚିକିତ୍ସା ଦେବାବେଳେ ପୁଷ୍ପରାଜ ଜାଣି ସାରିଥିଲେ, ନିଖିଲ ଆଉ ଜୀବିତ ନାହାଁନ୍ତି ।

  • ସବୁବେଳେ ନିଖିଲଙ୍କ ସହ ଝଗଡ଼ା କରୁଥିଲେ ରେଣୁକା
  • ଜନ୍ମଦିନ ଓ ବିବାହ ବାର୍ଷିକିରେ ଉପହାର ନଦେବାକୁ ନେଇ ଥିଲେ କ୍ଷୁବ୍ଧ

ନିଖିଲଙ୍କ ମୃତ୍ୟୁ ପରେ ତୁରନ୍ତ ୱାନାବାଡି ଥାନାରେ ଅଭିଯୋଗ କରିଥିଲେ ନିଖିଲଙ୍କ ବାପା ପୁଷ୍ପରାଜ ଖନ୍ନା । ଅଭିଯୋଗ କ୍ରମେ ପୋଲିସ ମଧ୍ୟ ରେଣୁକାଙ୍କୁ ଗିରଫ କରି ତଦନ୍ତ କରିବା ଆରମ୍ଭ କରିଛି । ଏ ଭିତରେ ରେଣୁକାଙ୍କୁ ନେଇ ଚକିତ କଲା ଭଳି ତଥ୍ୟ ପୋଲିସକୁ ଦେଇଛନ୍ତି ଶ୍ୱଶୁର ପୁଷ୍ପରାଜ । ତାଙ୍କ ଅଭିଯୋଗ ଅନୁସାରେ….

  • ନିଖିଲ ଓ ରେଣୁକା ୨୦୧୭ ମସିହାରେ ପ୍ରେମ ବିବାହ କରିଥିଲେ
  • ରେଣୁକା, ନିଖିଲଙ୍କ ଠାରୁ ବୟସରେ ୨ ବର୍ଷ ବଡ଼ ଥିଲେ
  • ବିବାହ ପରେ ଦୁହିଁଙ୍କ ଭିତରେ ସବୁବେଳେ ଝଗଡ଼ା ଲାଗି ରହୁଥିଲା
  • ଛୋଟ ଛୋଟ କଥାରେ ରାଗି ଯାଉଥିଲେ ରେଣୁକା ଓ ନିଖିଲଙ୍କୁ ଦୁର୍ବ୍ୟବହାର କରୁଥିଲେ
  • ଘରେ କାମ କରୁଥିବା ଚାକର, ଚାକରାଣୀଙ୍କୁ ବି ଦୁର୍ବ୍ୟବହାର କରନ୍ତି ରେଣୁକା
  • ସ୍ୱାମୀ, ସ୍ତ୍ରୀଙ୍କ ଝଗଡ଼ା ପାଇଁ ପରିବାରଠାରୁ ଦୁରରେ ଗଙ୍ଗା ସାଟେଲାଇଟ୍ରେ ଆପାର୍ଟମେଂଟ୍ରେ ରହୁଥିଲେ
  • ସେପ୍ଟେମ୍ବର ୧୮ରେ ରେଣୁକାଙ୍କ ଜନ୍ମଦିନ ଥିଲା,
  • ଜନ୍ମଦିନ ସେଲିବ୍ରେସନ୍ ପାଇଁ ଦୁବାଇ ଯିବାକୁ ଜିଦ୍ କରିଥିଲେ ରେଣୁକା
  • ଯାହାକୁ ଗୁରୁତ୍ୱ ଦେଇ ନଥିଲେ ନିଖିଲ
  • ଗତ ନଭେମ୍ବର ୫ ତାରିଖରେ ଉଭୟଙ୍କ ବିବାହ ବାର୍ଷିକି ଥିଲା
  • ଏଥିରେ ବି ରେଣୁକାଙ୍କୁ କିଛି ଉପହାର ଦେଇ ନଥିଲେ ନିଖିଲ

ଶୁକ୍ରବାର ରାତିରେ ପୁରୁଣା କଥାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ପୁଣି ହୋଇଥିଲା । ଆଉ ଏଥିରେ ଏତେ ରାଗିଯାଇଥିଲେ ରେଣୁକା ଯେ, ନିଜ ହିତାହିତ ଜ୍ଞାନ ଭୁଲି ଯାଇଥିଲେ । ଆଉ ମୁଥା ମାରି ସ୍ୱାମୀ ନିଖିଲଙ୍କୁ ହତ୍ୟା କରିଥିଲେ ।

ପୋଲିସ ଘଟଣାର ତଦନ୍ତ କରୁଛି । ରେଣୁକା ହାତରେ ମୁଥା ମାରିଛନ୍ତି କି କୌଣସି ବସ୍ତୁରେ ତାହାର ବି ତଦନ୍ତ କରାଯାଉଛି । ତେବେ ରାଗରେ ଆସି ସ୍ୱାମୀଙ୍କୁ ମାରିଥିବା କଥା ପୋଲିସ କଷ୍ଟଡିରେ ସ୍ୱିକାର କରିଛନ୍ତି ରେଣୁକା । କ୍ଷଣିକ ରାଗ ପାଇଁ ସ୍ୱାମୀଙ୍କ ମୃତ୍ୟୁ ଆଉ ଏଥିପାଇଁ ଜେଲ ଯିବାକୁ ପଡିଛି ରେଣୁକାଙ୍କୁ ।