ମହାମାରୀ ମୁକାବିଲାରେ ଓଡିଶା ଆଗରେ । ନବୀନଙ୍କ ଦୂରଦୃଷ୍ଟିକୁ ଦେଖିଲା ସାରା ବିଶ୍ୱ ।

89

କନକ ବ୍ୟୁରୋ: ୨୦୨୦ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ସେତେବେଳେକୁ ଦେଶରେ କାୟା ମେଳାଇ ସାରିଲାଣି ମହାମାରୀ । ଯେତେବେଳେ କରୋନା ମହାମାରୀକୁ ନେଇ ସାରା ଦେଶରେ ହଇଚଇ ଖେଳି ଯାଇଥିଲା, ସେତେବେଳେ କିପରି ମହାମାରୀକୁ ଅଟକାଯିବ, ସେନେଇ ଆଗୁଆ ପଦକ୍ଷେପ ନେବା ଆରମ୍ଭ କରି ଦେଇଥିଲା ଓଡ଼ିଶା । ଦେଶରେ ତାଲାବନ୍ଦ ଆରମ୍ଭ ହେବା ପୂର୍ବରୁ ରାଜ୍ୟର କିଛି ଜିଲ୍ଲା ଓ ସହରାଞ୍ଚଳରେ, ସଟଡାଉନ୍ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏପରି କରି ନିଜ ଦୂରଦୃଷ୍ଟିର ପରିଚୟ ଦେଇଥିଲେ ନବୀନ ।

କରୋନା ମୁକାବିଲା ପାଇଁ କିପରି ସ୍ୱାସ୍ଥ୍ୟ ଭିତ୍ତିଭୂମିର ତ୍ୱରିତ ବିକାଶ କରାଯିବ, କିପରି ସମସ୍ତ ରୋଗୀଙ୍କୁ ଚିକିତ୍ସା ସୁବିଧା ମିଳିବ, ଏନେଇ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କମ୍ ସମୟ ମଧ୍ୟରେ ପ୍ରାୟ ସବୁ ଜିଲ୍ଲାରେ ଉର୍ତ୍ସଗୀକୃତ କୋଭିଡ୍ ହସପିଟାଲ୍, କୋଭିଡ୍ ହେଲଥ୍ ସେଣ୍ଟର ଗଢ଼ି ଉଠିଲା । ଆବଶ୍ୟକ ହେଉଥିବା ଆଇସିୟୁ ବେଡ୍, ଭେଣ୍ଟିଲେଟର ଓ ଅକ୍ସିଜେନଯୁକ୍ତ ବେଡ୍ ପାଇଁ ପଦକ୍ଷେପ ନେଇଥିଲେ ସରକାର । ପଞ୍ଚାୟତ ଓ ବ୍ଳକ ସ୍ତରରେ ସଙ୍ଗରୋଧ କେନ୍ଦ୍ର ଖୋଲାଯାଇଥିଲା ।

ମହାମାରୀର ମୁକାବିଲା ପାଇଁ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ଦେଇ ଆଉ ଏକ ଦୂରଦୃଷ୍ଟିର ପରିଚୟ ଦେଇଥିଲେ ନବୀନ । ଏପଟେ ଲୋକଙ୍କ ସଚେତନ ପାଇଁ ବିଶେଷ ପ୍ରୟାସ କରିଥିଲେ ରାଜ୍ୟ ସରକାର । ଗଣମାଧ୍ୟମରେ ମହାମାରୀ ସମ୍ପର୍କରେ ଟିକିନିଖି ସୂଚନା ଦିଆଯାଇଥିଲା । କରୋନା କଟକଣା ପାଳନ କରିବା ପାଇଁ ନିଜେ ବାରମ୍ବାର ଲୋକଙ୍କୁ ଅପିଲ୍ କରିଥିଲେ ନବୀନ । ବରିଷ୍ଠ ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲା ଓ ସହରର ଦାୟିତ୍ୱ ଦେଇ ମହାମାରୀ ମୁକାବିଲାକୁ କିପରି ଅଧିକ ସୁଦୃଢ଼ କରାଯାଇପାରିବ, ସେ ନେଇ ଯୋଜନାବଦ୍ଧ ପଦକ୍ଷେପ ନିଆଯାଇଥିଲା । ଫଳରେ କରୋନା ଭଳି ବିଶ୍ୱ ମହାମାରୀ ମୁକାବିଲାରେ ପଛରେ ପଡିନଥିଲା ଓଡ଼ିଶା ।

ମହାମାରୀର ସଫଳ ମୁକାବିଲା ଯୋଗୁଁ ରାଜ୍ୟରେ ମୃତ୍ୟୁହାର କମ ଥିବା ବେଳେ ସୁସ୍ଥହାର ଆଖିଦୃଶିଆ ରହିଛି । ଏପଟେ କରୋନାର ଦ୍ୱିତୀୟ ଲହର ବେଳେ ଅକ୍ସିଜେନ୍ ସଙ୍କଟକୁ ନେଇ ଯେତେବେଳେ ସାରା ଦେଶରେ ହାହାକାର ସ୍ଥିତି ଉପୁଜିଥିଲା, ସେତିକିବେଳେ ଅକ୍ସିଜେନ୍ ଉତ୍ପାଦନ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିଲା ଓଡ଼ିଶା । ନିଜ ଚାହିଦା ମେଣ୍ଟାଇବା ସହ ଅନ୍ୟରାଜ୍ୟକୁ ଅକ୍ସିଜେନ୍ ଯୋଗାଇ ଦେଶକୁ ଏକ ବଡ଼ ସଙ୍କଟରୁ ମୁକାଳିବା ପାଇଁ ଉଦ୍ୟମ କରିଥିଲେ ନବୀନ ସରକାର । ଏଭଳି ପ୍ରୟାସକୁ ପ୍ରଶଂସା କରିଥିଲା ଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ମେଡିକାଲ ଜର୍ଣ୍ଣାଲ ଲାନ୍ସେଟ୍ ।

କରୋନା ଟିକାକରଣରେ ମଧ୍ୟ ପଛରେ ପଡିନାହିଁ ଓଡ଼ିଶା । ଏପଟେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ନେଇ ଆଗୁଆ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ସମ୍ଭାବନା ଥିବାରୁ ସେମାନଙ୍କ ପାଇଁ ଡାକ୍ତରଖାନାରେ ସଂରକ୍ଷଣ ବ୍ୟବସ୍ଥା କରିବା ସହ ତୃତୀୟ ଲହର ମୁକାବିଲା ପାଇଁ ଦେଶର ବଡ଼ ବଡ଼ ବିଶେଷଜ୍ଞ ଡାକ୍ତରମାନଙ୍କୁ ନେଇ ଆଡଭାଇଜରି କମିଟି ଗଠନ କରାଯାଇଛି । ପିଲାମାନଙ୍କ ପାଇଁ ହସପିଟାଲରେ ଆଇସିୟୁ ବେଡ୍ ପ୍ରସ୍ତୁତ କରାଯାଇଛି । ମୋଟାମୋଟି କହିବାକୁ ଗଲେ ଆଗୁଆ ପଦକ୍ଷେପ ନେବାରେ ଆଗରେ ରହିଛି ଓଡ଼ିଶା ।