ବଂଚିବା ପାଇଁ ସଂଗ୍ରାମ କରୁଛି ପୁରା ପରିବାର : କିଡନୀ ଆକ୍ରାନ୍ତ ହୋଇ ପୁଅ ଶଯ୍ୟାଶାୟୀ; ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସହାୟତା ପାଇଁ ନିବେଦନ କରିଛନ୍ତି କିଡନୀ ଆକ୍ରାନ୍ତ ପ୍ରକାଶଙ୍କ ପରିବାର

148

କନକ ବ୍ୟୁରୋ : ବାପା ହୃଦରୋଗୀ । ପୁଅ କିଡନୀ ଆକ୍ରାନ୍ତ । ଏହାରି ଭିତରେ ବଂଚିବା ପାଇଁ ସଂଗ୍ରାମ କରୁଛି ପୁରା ପରିବାର । ଏପରି ସ୍ଥିତିରେ ଚିକିତ୍ସାରେ ଅର୍ଥ ସାଜିଛି ବାଧକ । ଗରିବ ପରିବାର ଉପରେ ଏବେ ଦୁଃଖର ବୋଝ । ଯାଜପୁର ଜିଲ୍ଲା କଂଟାପଡା ବ୍ଲକ ନାହାଳପୁର ଗାଁର ପ୍ରକାଶ ଦାସଙ୍କ ପରିବାର ଆଖିରୁ ଏବେ ଲୁହ ସରୁନି ।

ଗୋଟିଏ ବୋଲି ପୁଅ ପ୍ରକାଶ । ସେ କିଡନୀ ଆକ୍ରାନ୍ତ ହୋଇ ଏବେ ଶଯ୍ୟାଶାୟୀ । ଦୁଇ ବର୍ଷ ହେବ କିଡନୀ ରୋଗରେ ଆକ୍ରାନ୍ତ ହେବା ପରେ ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଥିବା କହିଛନ୍ତି ଡାକ୍ତର । ପୁଅକୁ ବଂଚାଇବା ପାଇଁ ମାଆ ତାଙ୍କର ଗୋଟିଏ କିଡନୀ ଦାନ କରିବାକୁ ଆଗେଇ ଆସିବା ପରେ ସମସ୍ତ କାଗଜପତ୍ର ବ୍ୟବସ୍ଥା ସରିଛି । କିନ୍ତୁ କିଡନୀ ପ୍ରତିରୋପଣ ପାଇଁ ଆବଶ୍ୟକ ଖର୍ଚ୍ଚ ପାଇଁ ପରିବାର ହାତରେ ଅର୍ଥ ନାହିଁ । ପୂର୍ବରୁ ପ୍ରକାଶଙ୍କ ବାପାଙ୍କର ହାର୍ଟ ଅପରେସନ୍ ହୋଇଥିଲା ।

ସେତେବେଳେ ଜମି ବାଡି ଯାହା ଥିଲା ତାହାକୁ ବିକ୍ରି କରି ଚିକିତ୍ସା କରାଇଥିଲେ । ଏବେ ଏକମାତ୍ର ପୁଅ ବଂଚିବା ପାଇଁ ସଂଘର୍ଷ କରୁଛି । ପୁଅର ତୁରନ୍ତ ଚିକିତ୍ସା ନକରାଇଲେ ତାକୁ ବଂଚାଇ ରଖିବା ବି କଷ୍ଟକର । ଏପରି ସ୍ଥିତିରେ କନକନ୍ୟୁଜ ମାଧ୍ୟମରେ ସହାୟତା ପାଇଁ ନିବେଦନ କରିଛନ୍ତି କିଡନୀ ଆକ୍ରାନ୍ତ ପ୍ରକାଶଙ୍କ ପରିବାର । ସରକାରଙ୍କ ଠାରୁ ସହାୟତା ମିଳିଲେ ପ୍ରକାଶଙ୍କୁ ବଂଚାଇ ହୁଅନ୍ତା ବୋଲି ଆକୁଳ ନିବେଦନ କରିଛନ୍ତି ପରିବାର ଲୋକେ ।